କୋଭିଡ୍‌ ଟିକା ସହ ରକ୍ତ ଜମାଟ ବାନ୍ଧିବାର କୌଣସି ସଂଯୋଗ ନାହିଁ

ଟିକା ନେବା ଦ୍ବାରା ରକ୍ତ ଜମାଟ ବାନ୍ଧୁଛି କି?
ରୋଗ ହେଲେ ରକ୍ତ ଜମାଟ ବାନ୍ଧେ। ଏପରିକି କୋଭିଡ୍‌ରେ ସଂକ୍ରମଣ ହେଲେ ଏହି ଲକ୍ଷଣ ଦେଖାଦେବା ସାଧାରଣ କଥା। କିନ୍ତୁ ଟିକା ନେବା ଦ୍ବାରା ରକ୍ତ ଜମାଟ ବାନ୍ଧିବା ଭଳି କୌଣସି ପ୍ରମାଣ ମିଳିନାହିଁ। ଟିକା ମାଧ୍ୟମରେ ଆମେ ଏକ କୃତ୍ରିମ ରୋଗ ସୃଷ୍ଟି କରିଥାଉ। ଯେଉଁଥିରେ ରୋଗ ପ୍ରତିରୋଧକ ଶକ୍ତି ଆସେ, କିନ୍ତୁ କୌଣସି ରୋଗ ହୋଇନଥାଏ। ସାଧାରଣ ଭାବେ ଏହାକୁ ଆମେ ମିଛିମିଛିକା ରୋଗ ବୋଲି କହିପାରିବା। ଅର୍ଥାତ୍‌ ଟିକା ନେବା ପରେ ରୋଗୀ ରୋଗ ପ୍ରତି ଉନ୍ମୁକ୍ତ ଥାଏ କିନ୍ତୁ କୌଣସି ରୋଗ ହୁଏ ନାହିଁ। ସେଥିପାଇଁ ବିଶ୍ବରେ ବିଭିନ୍ନ ପ୍ରକାରର ଟିକା ପ୍ରସ୍ତୁତ କରାଯାଇଛି। ଭାରତରେ ପ୍ରଚଳିତ ଥିବା କୋଭାକ୍ସିନ୍‌ ଟିକା ହେଉଛି କିଲ୍‌ଡ ଭାଇରସ୍‌ ଏବଂ କୋଭିସିଲ୍‌ଡ ହେଉଛି ଲାଇଭ୍‌ ବା ସିମ୍ପାଞ୍ଜି ଭାଇରସ।

ମହିଳା ମାନଙ୍କ କ୍ଷେତ୍ରରେ ଟିକା ସଂପୂର୍ଣ୍ଣ ସୁରକ୍ଷିତ
ମହିଳା ମାନଙ୍କ ମଧ୍ୟରେ ମାସିକ ଋତୁସ୍ରାବ ବେଳେ ଟିକା ନେବାକୁ ନେଇ ଏକ ଗୁଜବ ଚାରିଆଡେ ଚାଲିଛି। କିନ୍ତୁ ଋତୁସ୍ରାବ ପୂର୍ବରୁ କିମ୍ବା ହେଉଥିଲାବେଳେ ନଚେତ୍‌ ହୋଇସାରିବା ପରେ ଟିକା ନେଲେ ତାହାର ପାର୍ଶ୍ବ ପ୍ରତିକ୍ରିୟା ସହିତ କେଣସି ସମ୍ପର୍କ ନାହିଁ। ଟିକା ପରୀକ୍ଷାର ପ୍ରଥମ ପର୍ଯ୍ୟାୟରୁ ଆରମ୍ଭ କରି ତୃତୀୟ ପର୍ଯ୍ୟନ୍ତ ପରୀକ୍ଷାରେ ସବୁଥିରେ ଏହି ବିଷୟକୁ ନେଇ ପରୀକ୍ଷା କରାଯାଇଥିଲା। ଏବଂ ଗବେଷକମାନେ ଏଥିରେ ସଫଳ ହୋଇଥିଲେ। ତେବେ ସ୍ତନ୍ୟପାନ କରାଉଥିବା ମା’ମାନେ ୬ମାସ ପର୍ଯ୍ୟନ୍ତ ଟିକା ନେଇପାରିବେ ନାହିଁ।

ପଶ୍ଚିମ ଦେଶମାନଙ୍କରେ ଟିକାକୁ ନେଇ ରାଜନୀତି କରୁଛନ୍ତି
ମଡର୍ଣ୍ଣା, ଫାଇଜର ଭଳି ଟିକା ନେବା ପରେ ବୟସ୍କମାନଙ୍କଠାରେ ରକ୍ତ ଜମାଟ ବାନ୍ଧିବା ଦେଖାଯାଇଛି। କିନ୍ତୁ ଏହି ରକ୍ତ ଜମାଟ ଟିକା ଦ୍ବାରା ହୋଇଛି କି ନାହିଁ ତାହା ମଧ୍ୟ ପ୍ରମାଣିତ ହୋଇପାରିଲାନି। ଯଦି ଟିକା ଦ୍ବାରା ରକ୍ତ ଜମାଟ ବାନ୍ଧିବା ପ୍ରମାଣିତ ହୋଇଥାନ୍ତା, ତାହେଲେ ସାରା ବିଶ୍ବରେ ଟିକାକରଣ ବନ୍ଦ ହୋଇଯାଇଥାନ୍ତା। ତେଣୁ ଟିକା ଦ୍ବାରା ରକ୍ତ ଜମାଟ ବାନ୍ଧୁଛି କି ନାହିଁ ତାହା ଏବେ ବି ପ୍ରଶ୍ନବାଚୀ ହୋଇ ରହିଛି।

ପଶ୍ଚିମ ଦେଶମା‌ନଙ୍କରେ ରୋଗୀଙ୍କ କ୍ଷେତ୍ରରେ ଯେଉଁ ରକ୍ତ ଜମାଟ ବାନ୍ଧିବା କଥା ଉଠୁଛି, ତାହା ଅନ୍ୟ ରୋଗରୁ ହେଉଥିବା ଜଣାପଡ଼ିଛି। କିନ୍ତୁ ସେସବୁ ଦେଶଗୁଡ଼ିକ ଏପରି ପ୍ରଚାର କରି ଭାରତର ଟିକା ମଲିକୁଲ୍‌କୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି। ଆନ୍ତର୍ଜାତିକ ସ୍ତରରେ ଟିକା ବ୍ୟବସାୟକୁ ନେଇ ଏକ ରାଜନୀତି ମଧ୍ୟ ଆରମ୍ଭ ହୋଇଗଲାଣି। ଜାପାନ୍‌ ମଲିକୁଲ୍‌କୁ ଆମେରିକା ସମର୍ଥନ କରୁ ନଥିଲାବେଳେ ୟୁକେର ମଲିକୁଲ୍‌କୁ ଋଷ୍‌ ସମର୍ଥନ କରୁନି। ହେଲେ ଏତେ ସବୁ ରାଜନୀତି ଭିତରେ ଏତିକି କୁହାଯାଇପାରିବ ଯେ ଟିକା ହେଉଛି ସମ୍ପୂର୍ଣ୍ଣ ସୁରକ୍ଷିତ।

ଜ୍ବର ହୋଇଥିଲେ ୧୪ ଦିନ ପର୍ଯ୍ୟନ୍ତ ଟିକା ନିଅନ୍ତୁ ନାହିଁ
କାହାକୁ ଜ୍ବର ହେଉଥିଲେ କିମ୍ବା ଦେହହାତ ଘୋଳାବିନ୍ଧା ‌କରୁଥିଲେ ପ୍ରଥମେ ସେ କୋଭିଡ୍‌ ପରୀକ୍ଷା କରାଇନେବା ଉଚିତ୍‌। ଯଦି ଜଣଙ୍କର କୋଭିଡ୍‌ ରିପୋର୍ଟ ପଜିଟିଭ୍‌ ବାହାରେ ତାହେଲେ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ହିଁ ଟିକା ନେବେ। ରିପୋର୍ଟ ନେଗେଟିଭ୍‌ ବାହାରିଲେ ମଧ୍ୟ ଜ୍ବର ହେବାର ୧୪ ଦିନ ପର୍ଯ୍ୟନ୍ତ ‌ସଂପୃକ୍ତ ରୋଗୀ ଟିକା ନେବା ଉଚିତ୍‌ ନୁହେଁ। କାରଣ ଜ୍ବର ସୃଷ୍ଟି କରୁଥିବା ଭୂତାଣୁ ସହ ଟିକାର କୃତ୍ରିମ ଭୂତାଣୁ ମିଶିବା ପରେ ରୋଗୀର ଅବସ୍ଥା ଗୁରୁତର ହେବା ସମ୍ଭାବନା ଅଧିକ ରହିଛି। ଏଭଳି ମାମଲା ମଧ୍ୟ ସାମ୍ନାକୁ ଆସିଛି। ଯେଉଁମାନେ ଜ୍ବର ହୋଇଥିଲେ ବି ଟିକା ନେଇ ଯାଉଛନ୍ତି ଓ ପରେ ତାଙ୍କ ରିପୋର୍ଟ ପଜିଟିଭ୍‌ ବାହାରୁଛି। ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇଯିବାରୁ ଏହାର ଚିକିତ୍ସା କରିବା କଷ୍ଟସାଧ୍ୟ ହୋଇଯାଉଛି।

ପ୍ରଫେସର ଡାକ୍ତର ଜୟନ୍ତ କୁମାର ପଣ୍ଡା,
ରାଜ୍ୟ ସରକାରଙ୍କ କୋଭିଡ୍‌ ବୈଷୟିକ ପରାମର୍ଶଦାତା

The post କୋଭିଡ୍‌ ଟିକା ସହ ରକ୍ତ ଜମାଟ ବାନ୍ଧିବାର କୌଣସି ସଂଯୋଗ ନାହିଁ first appeared on Sambad.

from ବିଶେଷ | Sambad https://ift.tt/3h5NGxA

Post a Comment

0 Comments