
କଟକ : କରୋନା ସଂକ୍ରମିତଙ୍କୁ ସେମାନଙ୍କ ସଂକ୍ରମଣ ସ୍ଥିତି ଅନୁଯାୟୀ ସାଧାରଣ ଭାବେ ତିନିଟି ବର୍ଗରେ ବିଭକ୍ତ କରାଯାଏ। ମାଇଲ୍ଡ (ସାମାନ୍ୟ), ମଡରେଟ୍ (ମଧ୍ୟମ) ଏବଂ ସିଭିୟର (ଗୁରୁତର) ଲକ୍ଷଣଯୁକ୍ତ। ଜଣେ କରୋନା ସଂକ୍ରମିତ କେଉଁଭଳି ସ୍ଥିତିରେ ରହିଛି, ସେ ସଂପର୍କରେ ଜାଣିବା ପାଇଁ ବିଶେଷଜ୍ଞମାନେ ସାଧାରଣ ଭାବେ କେତେକ ପରୀକ୍ଷା ପାଇଁ ପରାମର୍ଶ ଦେଇଥାନ୍ତି। ସେଥିରେ ରହିଛି ୪ ପ୍ରକାର ରକ୍ତ ପରୀକ୍ଷା। ସିଆର୍ପି, ଏଲ୍ଡିଏଚ୍, ଫେରିଟିନ୍ ଏବଂ ଡି-ଡାଇମର୍। ଏସବୁ ରକ୍ତ ପରୀକ୍ଷାରୁ ଜଣେ ସଂକ୍ରମିତଙ୍କ ବର୍ତ୍ତମାନର ସ୍ଥିତି ଜଣା ପଡିବା ସହିତ ଭବିଷ୍ୟତରେ ତାଙ୍କର ଗୁରୁତର ହେବାର ସମ୍ଭାବନା ରହିଛି କି ନାହିଁ, ସେ ସଂପର୍କରେ ଜଣା ପଡେ। ଏବଂ ବିଶେଷଜ୍ଞମାନେ ସେହି ଅନୁଯାୟୀ ରୋଗୀଙ୍କୁ ଚିକିତ୍ସା ପାଇଁ ପରାମର୍ଶ ଦେଇଥାନ୍ତି। ଏହା ସହିତ ଏଚ୍ଆର୍ସିଟି ଥୋରାକ୍ସ ପରୀକ୍ଷାରୁ ରୋଗର ଲଙ୍ଗ୍ସ (ଫୁସଫୁସ୍) ସଂକ୍ରମଣ ସ୍ଥିତି ସଂପର୍କରେ ଜଣାଯାଏ।
ଏସସିବି ମେଡିକାଲ କଲେଜ ହୃଦରୋଗ ବିଭାଗର ସହକାରୀ ପ୍ରଫେସର ଡାକ୍ତର ଦୀପକ ରଂଜନ ଦାସଙ୍କ କହିବା ଅନୁଯାୟୀ ଅଧିକାଂଶ ରୋଗୀଙ୍କର ଏସବୁ ପରୀକ୍ଷାର ଆବଶ୍ୟକତା ପଡେ ନାହିଁ। କିନ୍ତୁ ବୟସାଧିକ୍ୟ ବ୍ୟକ୍ତି ଅଥବା ଅନ୍ୟ କୌଣସି ଗୁରୁତର ରୋଗରେ ପୀଡିତ ବ୍ୟକ୍ତି ଯଦି କରୋନା ସଂକ୍ରମିତ ହୁଅନ୍ତି ତେବେ ରକ୍ତର ଯେଉଁ ପରୀକ୍ଷା ରହିଛି, ତାହା କରାଇ ନେବା ଉଚିତ। କିନ୍ତୁ ଶରୀରରେ ଅକ୍ସିଜେନ୍ ମାତ୍ରା ଯଦି ୯୪ ଉପରେ ରହୁଛି ତେବେ ଏଚ୍ଆରସିଟି ଥୋରାକ୍ସ କରିବାର ଆବଶ୍ୟକତା ନାହିଁ। ଯଦି ବା କରିବେ ତେବେ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ତାହା କରାଯିବା ଆବଶ୍ୟକ। କିନ୍ତୁ କରୋନା ସଂକ୍ରମିତ ଯେ କୌଣସି ଔଷଧ ଖାଆନ୍ତୁ ଅଥବା ଯେଉଁ ସବୁ ପରୀକ୍ଷା କରନ୍ତୁ, ତାହା ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ କରିବା ଆବଶ୍ୟକ ବୋଲି ଡାକ୍ତର ଦାସ କହିଛନ୍ତି।
The post କରୋନା ସଂକ୍ରମିତଙ୍କ ସଂକ୍ରମଣ ସ୍ଥିତି ଜାଣିବା ପାଇଁ କ’ଣ ରହିଛି ପରୀକ୍ଷା? first appeared on Sambad.from ବିଶେଷ | Sambad https://ift.tt/32YbyuJ
0 Comments