
ବ୍ରହ୍ମପୁର : କରୋନାର ପ୍ରଥମ ଓ ଦ୍ବିତୀୟ ଲହର ମଧ୍ୟରେ ବହୁତ ଗୁଡ଼ିଏ ପାର୍ଥକ୍ୟ ରହିଛି। ବର୍ତ୍ତମାନ ନୂଆ ପ୍ରଜାତିର ଭାଇରସ୍ ସାମ୍ନାକୁ ଆସୁଛି। ପ୍ରାଥମିକ ଅବସ୍ଥାରେ ଦେଶ ବାହାରୁ ବ୍ରିଟ୍ରେନ୍ ଷ୍ଟ୍ରେନ୍, ସାଉଥ୍ ଆଫ୍ରିକା ଷ୍ଟ୍ରେନ୍ ଓ ଅଷ୍ଟ୍ରେଲିଆ ଷ୍ଟ୍ରେନ୍ ଆସୁଥିଲା। ଏବେ ଭାରତରେ ଡବଲ୍ ମ୍ୟୁଟାଣ୍ଟ୍, ଟ୍ରିପଲ୍ ମ୍ୟୁଟାଣ୍ଟ୍ ଭଳି ଭାଇରସ୍ ଆସିଛି। ଏହା ହେଉଛି ଭାଇରସ୍ର ଏକ ନୂଆ ରୂପ। ଯାହାର ସଂକ୍ରମଣ କ୍ଷମତା ଖୁବ୍ ଅଧିକ।
ଏହି ଭାଇରସ୍ ମ୍ୟୁଟେଣ୍ଟ୍ ହୋଇ ଶରୀରରେ ଥିବା କୋଷଗୁଡ଼ିକରେ ଖୁବ୍ଶୀଘ୍ର ସଂଲଗ୍ନ ହୋଇଯାଉଛି। ଏହି ଭାଇରସ୍ ଯୋଗୁଁ ୫୦ରୁ ୭୦ପ୍ରତିଶତ ସଂକ୍ରମଣ ଆଶଙ୍କା ବଢ଼ିଯାଇଛି। ଦ୍ବିତୀୟ ଲହର ଭାଇସର୍ରେ ଇମ୍ୟୁନ୍ ଏସ୍କେପ୍ ଦେଖାଦେଇଛି। ଯାହାକି ରୋଗ ପ୍ରତିରୋଧକ ଶକ୍ତିକୁ ମାତ୍ ଦେଇ ସଂକ୍ରମଣ କରୁଛି। ସେଥିପାଇଁ ଟିକା ନେବାପରେ ମଧ୍ୟ ଲୋକେ ସଂକ୍ରମିତ ହେଉଛନ୍ତି। ବର୍ତ୍ତମାନର ଭାଇରସ୍ ଖୁବ୍କମ୍ ଦିନ ନାକ ଓ ଗଳାରେ ରହୁଛି। ଅତିଶୀଘ୍ର ଫୁସ୍ଫୁସ୍କୁ ପହଞ୍ଚି ସଂକ୍ରମଣ କରୁଛି। ବହୁ ଲୋକଙ୍କ କ୍ଷେତ୍ରରେ ନାକ ଓ ଗଳାର ସ୍ବାବ୍ ପରୀକ୍ଷା ପରେ ରିପୋର୍ଟ ନେଗେଟିଭ୍ ଆସୁଛି। କିନ୍ତୁ ଫୁସ୍ଫୁସ୍ର ସିଟି ସ୍କାନ୍ କଲାପରେ ଭାଇରସ୍ ଥିବା ଜଣାପଡ଼ୁଛି। ଏବେ ବହୁ ଲୋକଙ୍କ କ୍ଷେତ୍ରରେ ଅସ୍ବାଭାବିକ ଲକ୍ଷଣ ଦେଖାଦେଉଛି। ସୁସ୍ଥ ଥିବା ଲୋକଙ୍କ ହଠାତ୍ ମୁଣ୍ଡ ବିନ୍ଧା ହେବା, ଆଖି ନାଲି ପଡ଼ିଯିବା, ଦୁର୍ବଳ ଅନୁଭବ ହେବା, ଝାଡ଼ାବାନ୍ତି ଦେଖାଦେଉଛି। ଯାହାକି କରୋନାର କିଛି ନୂଆ ଲକ୍ଷଣ। ଏଥର କରୋନା ସଂକ୍ରମିତ ରୋଗୀଙ୍କ କ୍ଷେତ୍ରରେ ଅମ୍ଳଜାନ ଅଭାବ ଅଧିକ ଦେଖାଦେଉଛି। ଭାଇରସ୍ ଖୁବ୍ଶୀଘ୍ର ଫୁସ୍ଫୁସ୍କୁ ପହଞ୍ଚିଯିବାରୁ ଅମ୍ଳଜାନ ଗ୍ରହଣ କରିବାରେ ରୋଗୀଙ୍କୁ ସମସ୍ୟା ହେଉଛି।
ଅନ୍ୟପଟେ ବାୟୁ ଦ୍ବାରା ସଂକ୍ରମିତ ହେବାର ପ୍ରାୟ ୩୦ପ୍ରତିଶତ ସମ୍ଭାବନା ରହିଛି। ଏଣୁ ସଂକ୍ରମଣରୁ ରକ୍ଷାପାଇବା ପାଇଁ ଦୁଇଟି ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଉଛି। ରୁଦ୍ଧଦ୍ବାରା କୋଠରିରେ ସଂକ୍ରମଣର ଅଧିକ ଭୟ ରହିଛି। ପ୍ରଥମ ଲହରରେ ଦ୍ବିତୀୟ ସପ୍ତାହରେ ରୋଗୀ ଅଧିକ ଗୁରୁତର ହେଉଥିଲେ। କିନ୍ତୁ ଏଥର ୫/୬ଦିନରେ ରୋଗୀ ଗୁରୁତର ହୋଇଯାଉଛନ୍ତି। ଗତଥର ୪୫ବର୍ଷରୁ କମ ବୟସ୍କ ଲୋକଙ୍କ ମଧ୍ୟରେ ମାତ୍ର ୪.୭ପ୍ରତିଶତ ଲୋକ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ଏଥର ୫.୭ପ୍ରତିଶତ ଲୋକ ଆକ୍ରାନ୍ତ ହେଉଛନ୍ତି। କରୋନାରେ ସଂକ୍ରମିତ ହେଲାପରେ ଯଦି ଶିରାରେ ରକ୍ତ ଜମାଟ ବାନ୍ଧି ଯାଉଛି ତେବେ ହାର୍ଟ ଆଟାକ୍, ବ୍ରେନ୍ ଷ୍ଟ୍ରୋକ୍, ପାରାଲିସିସ୍ ହେବାର ଭୟ ରହିଛି।
The post ଫୁସ୍ଫୁସ୍ ସଂକ୍ରମିତ ହେଲେ ଅମ୍ଳଜାନ ଗ୍ରହଣରେ ସମସ୍ୟା ହୁଏ first appeared on Sambad.from ବିଶେଷ | Sambad https://ift.tt/32ZmS9E
0 Comments