
ସାରାବିଶ୍ବରେ କରୋନା ଭୂତାଣୁର ମ୍ୟୁଟେସନ୍ ବା ରୂପାନ୍ତରଣକୁ ନେଇ ଚିନ୍ତା ଦେଖାଦେଇଛି। ଏଥିରେ ଦ୍ରୁତ ସଂକ୍ରମଣ ସହିତ କରୋନା ନିୟନ୍ତ୍ରଣ ଲାଗି ପ୍ରସ୍ତୁତ ହୋଇଥିବା କରୋନା ଟିକା ଏହାକୁ ରୋକିବାକୁ ସମର୍ଥ ହେଉଛି କି ନାହିଁ, ତାହାକୁ ନେଇ ସାଧାରଣ ଲୋକଙ୍କଠାରୁ ବିଶେଷଜ୍ଞମାନେ ଚିନ୍ତିତ ହୋଇପଡ଼ିଥିଲେ। ବିଶେଷକରି ଦେଶର ସ୍ବଦେଶୀ ଟିକା ‘କୋଭାକ୍ସିନ୍’କୁ ନେଇ ପ୍ରଶ୍ନ ଉଠିଥିଲା। ତେବେ ଆମେରିକାର ବିଶିଷ୍ଟ ସଂକ୍ରମଣବିତ୍ ଡା. ଆନ୍ଥୋନି ଫୌଚି ଗତକାଲି ଗଣମାଧ୍ୟମରେ କୋଭାକ୍ସିନ୍ ଟିକା ଡବଲ ମ୍ୟୁଟାଣ୍ଟ(ବି.୧.୬୧୭)କୁ ରୋକିବାରେ ସମର୍ଥ ହେଉଥିବା କହିବା ପରେ ଲୋକମାନେ ଆଶ୍ବସ୍ତ ହୋଇଛନ୍ତି।
ଆଇସିଏମ୍ଆରର ପୂର୍ବତନ ଉପଦେଷ୍ଟା ଡା. ତ୍ରିଭୁବନ ମହାପାତ୍ରଙ୍କ କହିବା କଥା, ବିଶ୍ବରେ ଏ ପର୍ଯ୍ୟନ୍ତ କରୋନାର ୧୨ଟି ମ୍ୟୁଟେସନ୍ ଦେଖିବାକୁ ମିଳିଛି। ତହିଁରୁ ୨ଟି ମ୍ୟୁଟେସନ୍ ଭାରତରେ ହୋଇଛି। ବି.୧.୬୧୭ ବା ଡବଲ ମ୍ୟୁଟାଣ୍ଟ, ବି.୧.୬୧୮ ବା ଟ୍ରିପଲ ମ୍ୟୁଟାଣ୍ଟ ଚିହ୍ନଟ କରାଯାଇଛି। ଭୂତାଣୁ ନିଜକୁ ବଞ୍ଚାଇ ରଖିବା ଲାଗି ମ୍ୟୁଟେସନ୍ କରିଥାଏ। ମ୍ୟୁଟେସନ୍ର ପରବର୍ତୀ ରୂପକୁ ଭାରିଏଣ୍ଟ କୁହାଯାଇଥାଏ। ତେବେ ଅନେକ ‘କୋଭାକ୍ସିନ୍’ ଓ ‘କୋଭିସିଲ୍ଡ’ ଟିକା ମ୍ୟୁଟାଣ୍ଟ ଭୂତାଣୁ ଉପରେ କିଭଳି କାମ କରିବ, ତାହାକୁ ନେଇ ସାମାନ୍ୟ ଦ୍ବନ୍ଦ୍ବରେ ରହିଥିଲେ। ମାତ୍ର ଏହି ଦୁଇ ଟିକା ଭୂତାଣୁକୁ ରୋକିବାରେ ସଫଳ ହେବ ବୋଲି ଆଶା।
‘କୋଭିସିଲ୍ଡ’ ଟିକା ରିକମ୍ପାଣ୍ଟ ଡିଏନ୍ଏ ବା ଡିଏମ୍ଏରେ ଆରଏନ୍ଏକୁ ଯୋଡ଼ାଯାଇ ଟିକା ପ୍ରସ୍ତୁତ ହୋଇଥିବା ବେଳେ ‘କୋଭାକ୍ସିନ୍’ରେ ହୋଲ୍ ଭାଇରସ୍ ନିଆଯାଇଛି। ‘କୋଭିସିଲ୍ଡ’ ଓ ସ୍ପୁଟନିକ୍-ଭି ଏଡିନୋଭାଇରସ୍ ଉପରେ ପର୍ଯ୍ୟବସିତ ହୋଇଥିବା ବେଳେ ସ୍ପୁଟନିକ-ଭିରେ ଦ୍ବିତୀୟଟି ହ୍ୟୁମାନ ଉପରେ ପର୍ଯ୍ୟବସିତ। ଆରମ୍ଭରୁ ଦେଶରେ ଟିକାକୁ ନେଇ ହେଜିଟେନ୍ସି ବା ଏକପ୍ରକାର ସଂକୋଚ ରହିଥିଲା। ମାତ୍ର ଏବେ ବହୁ ସଂଖ୍ୟାରେ ଲୋକମାନେ ଟିକା ନେବା ପାଇଁ ଆଗେଇ ଆସୁଥିବା ଦେଖିବାକୁ ମିଳିଛି। ତେଣୁ ଲୋକମାନେ ଟିକା ନେବା ପାଇଁ ଆଗେଇ ଆସିବା ଦରକାର ବୋଲି ଡା. ମହାପାତ୍ର କହିଛନ୍ତି।
The post ବିଶ୍ବରେ କରୋନାର ୧୨ଟି ମ୍ୟୁଟେସନ୍ first appeared on Sambad.from ବିଶେଷ | Sambad https://ift.tt/3xwWOAW
0 Comments