ଓଡ଼ିଶା ପୁଲିସ ଶିଖିଲା, କୁଖ୍ୟାତଙ୍କ ଚିକିତ୍ସା ପାଇଁ ଖୁବଶୀଘ୍ର ଏସ୍ଓପି

ଭୁବନେଶ୍ବର : ଗ୍ୟାଙ୍ଗଷ୍ଟର୍‌ ହାଇଦର୍‌ ଫେରାର ହେବା ଘଟଣାରେ ପୁଲିସକୁ ବେଶ୍ ଅପବାଦ ମୁଣ୍ଡାଇବାକୁ ପଡ଼ିଥିଲା। ତେବେ ଦିନରାତି ଏକ କରି ୫ ଦିନ ଭିତରେ ହାଇଦର୍‌କୁ ତେଲେଙ୍ଗାନାରୁ ଗିରଫ କରିବାକୁ ସକ୍ଷମ ହୋଇଛି ପୁଲିସ। ହାଇଦର୍‌ କେମିତି ଫେରାର ହେଲା, କିଏ ସହଯୋଗ କଲା, କେଉଁମାନେ ସମ୍ପୃକ୍ତ, କେଉଁଠି ରହିଲା ଦୋଷତ୍ରୁଟି, ସୁରକ୍ଷା ବ୍ୟବସ୍ଥାରେ କେମିତି ସୁଧାର ଅଣାଯାଇ ପାରିବ, ଭବିଷ୍ୟତରେ ଯେମିତି ଏପରି ଘଟଣା ନ ଘଟିବ ସେଥିପାଇଁ ଆରମ୍ଭ ହୋଇଛି ମାନସମନ୍ଥନ। ହସ୍ପିଟାଲରୁ ହାଇଦର୍‌ ଫେରାର୍ ହେବା ଘଟଣାରୁ ଶିକ୍ଷା ନେଇ ଜେଲ୍‌ରେ ଥିବା କୁଖ୍ୟାତ ଅପରାଧୀମାନଙ୍କ ଚିକିତ୍ସା ବେଳେ କି ପ୍ରକାର ସତର୍କତା ଅବଲମ୍ବନ କରାଯିବ, ସେ ନେଇ ଖୁବଶୀଘ୍ର ସରକାର ଏକ ଏସ୍‌ଓପି(ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର) ଆଣିବାକୁ ଯାଉଛନ୍ତି।

ଝାରପଡ଼ା ସମେତ ବଲାଙ୍ଗୀର, ଚୌଦ୍ବାରରେ ଏବେ ୮ରୁ ୧୦ ଜଣ ଗ୍ୟାଙ୍ଗଷ୍ଟର୍‌ ତଥା କୁଖ୍ୟାତ ଅପରାଧୀ ରହିଛନ୍ତି। ଗ୍ୟାଙ୍ଗଷ୍ଟର୍‌ ଟିଟୋ, ଧଳସାମନ୍ତ ବ୍ରଦର୍ସ, ଗଞ୍ଜାମର କୁଖ୍ୟାତ ଅପରାଧୀ ବିକ୍ରମ ମଲ୍ଲିକ, ରାଜା ଆଚାର୍ଯ୍ୟ, ମାଓନେତା ଆଜାଦ ପ୍ରମୁଖ ଏବେ ଜେଲ୍‌ରେ ସଜା କାଟୁଛନ୍ତି। ସେହିପରି ରାଜ୍ୟର ବିଭିନ୍ନ ଜେଲ୍‌ରେ ସ୍ଥାନୀୟ ଅଞ୍ଚଳର କୁଖ୍ୟାତ ଅପରାଧୀମାନେ ମଧ୍ୟ ଅଛନ୍ତି। ଆଗକୁ କୌଣସି ଗ୍ୟାଙ୍ଗଷ୍ଟର୍‌ କିମ୍ବା କୁଖ୍ୟାତ ଅପରାଧୀ ଯଦି ଚିକିତ୍ସା ପାଇଁ କୌଣସି ହସ୍ପିଟାଲକୁ ଯାଆନ୍ତି ତାହେଲେ ସେମାନଙ୍କ ଉପରେ ସ୍ବତନ୍ତ୍ର ନଜର ରଖାଯିବ। ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବ। ସ୍ଥାନୀୟ ଥାନାକୁ ସୂଚନା ଦିଆଯିବ। ଜଣେ ବରିଷ୍ଠ ଅଧିକାରୀ ଦାୟିତ୍ବରେ ରହିବେ। ଏମିତି କିଛି ଯୋଜନା ଚିନ୍ତା କରୁଛି ପୁଲିସ। ଖୁବ୍‌ଶୀଘ୍ର ବରିଷ୍ଠ ପୁଲିସ ଅଧିକାରୀ, ଜେଲ୍ ଅଧିକାରୀଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ବସିବ ବୋଲି ଜଣାପଡ଼ିଛି। ଖୁବଶୀଘ୍ର ଏ ସଂକ୍ରାନ୍ତରେ ଏକ ଏସ୍ଓପି ପ୍ରସ୍ତୁତ କରାଯିବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

The post ଓଡ଼ିଶା ପୁଲିସ ଶିଖିଲା, କୁଖ୍ୟାତଙ୍କ ଚିକିତ୍ସା ପାଇଁ ଖୁବଶୀଘ୍ର ଏସ୍ଓପି first appeared on Sambad.

from ବିଶେଷ | Sambad https://ift.tt/3eenbTz

Post a Comment

0 Comments