ଗ୍ୟାଙ୍ଗଷ୍ଟର‌‌ ହାଇଦରକୁ ଧରିବା ପାଇଁ ଦୁଇ ଇନସ୍ପେକ୍ଟରଙ୍କ ନେତୃତ୍ବରେ ଦୁଇଟି ଟିମ୍ ଯାଇଥିଲେ ତେଲେଙ୍ଗାନା

ଗ୍ୟାଙ୍ଗଷ୍ଟର‌‌ ହାଇଦର୍‌‌ ବଡ଼ ଡାକ୍ତରଖାନାରୁ ଫେରାର ପରେ ତାକୁ ଧରିବା ପାଇଁ କଟକ କମିସନରେଟ୍‌ ପୁଲିସର ଦୁଇଟି ଟିମ୍‌ ତେଲେଙ୍ଗାନା ଯାଇଥିଲା। ପ୍ରଥମ ଟିମ୍‌ ୧୧ ତାରିଖ ରାତିରେ ତେଲେଙ୍ଗାନାରେ ପହଞ୍ଚିଥିବା ବେଳେ ଦ୍ବିତୀୟ ଟିମ୍‌ ୧୨ ତାରିଖରେ ପହଞ୍ଚିଥିଲା। ବାଦାମବାଡ଼ି ଥାନା ଆଇଆଇସି ରଶ୍ମିରଞ୍ଜନ ମହାପାତ୍ର ଓ ଚାଉଳିଆଗଞ୍ଜ ଥାନା ଆଇଆଇସି ତାପସ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ଦୁଇଟି ଟିମ୍‌ ତେଲେଙ୍ଗାନାରେ ହାଇଦର୍‌କୁ ପିଛା କରିଥିଲେ। ପୂରା ଅପରେସନ୍‌କୁ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଡିସିପି ପ୍ରତୀକ୍‌ ସି˚ହ ପ୍ରତି ମୁହୂର୍ତ୍ତରେ ଅନୁଧ୍ୟାନ କରୁଥିଲେ। ହାଇଦର୍‌କୁ ଧରି ରଶ୍ମିରଂଜନଙ୍କ ଟିମ୍ ଓଡ଼ିଶା ଫେରି ଆସିଥିବା ବେଳେ ଅନ୍ୟ ଆନୁସଙ୍ଗିକ କାର୍ଯ୍ୟ ଶେଷ କରି ତାପସ ପ୍ରଧାନଙ୍କ ଟିମ୍ ଓଡ଼ିଶା ଫେରିବ ବୋଲି ସୂଚନା ମିଳିଛି। ରଶ୍ମିରଂଜନ ମହାପାତ୍ରଙ୍କ ଟିମରେ ହାବିଲଦାର ତୋଫାନ ବେହେରା, କନଷ୍ଟେବଳ ପଂଚାନନ ବେହେରା, ବୃନ୍ଦାବନ ପାଲକା ରହିଥିଲେ। ସେହିଭଳି ତାପସ ପ୍ରଧାନଙ୍କ ଟିମରେ ସୁଶାନ୍ତ ନାୟକ ଓ ବିଶ୍ବଜିତ ସାମନ୍ତରାୟ ଥିଲେ।

କିଙ୍ଗ୍‌ କୋଟିରେ ରୋଷେୟା ଥିଲା ହାଇଦର ପୁଅ ଆଜାରୁଦ୍ଦିନ୍
ହାଇଦରାବାଦ୍‌ର କିଙ୍ଗ୍‌ କୋଟି ମୁର୍ସିଦାବାଦ୍‌ରେ ହାଇଦର‌ର ମଝିଆ ପୁଅ ଆଜାରୁଦ୍ଦିନ ରୋଷେୟା କାମ ସହିତ କ୍ୟାଟେରି˚ କାମ ବି କରୁଥିଲା। ହାଇଦର‌ କଟକରୁ ୧୦ ତାରିଖ ଅପରାହ୍ଣରେ ଫେରାର ହେବା ପରେ ୧୧ ତାରିଖ ସକାଳେ ହାଇଦ୍ରାବାଦ୍‌ରେ ପହଞ୍ଚିଥିଲା। ହାଇଦ୍ରାବାଦ୍‌ର ମୁର୍ସିଦାବାଦ୍‌ ଅଞ୍ଚଳରେ ପୁଅ ନେଇଥିବା ଭଡ଼ା ଘରେ ସେ ଆଶ୍ରୟ ନେଇ ରହିଥିଲା। ୧୨ ତାରିଖରେ ଜାହିରାବାଦ୍‌ରେ ପୁଅର ଜଣେ ପରିଚିତ ଲୋକଙ୍କ ଘରେ ହାଇଦର‌ ରହିଥିଲା। ପୁଲିସ ସେଠି ଚଢ଼ଉ କରିବାରୁ ହାଇଦର‌ ସେଠାରୁ ଖସିଯାଇ ସାଙ୍ଗାରେଡ୍ଡି ଜିଲ୍ଲା ଜାହିରାବାଦ୍‌ ହୁଦନୁଲ୍‌ ଅଞ୍ଚଳରେ ଆଉ ଜଣେ ସମ୍ପର୍କୀୟଙ୍କ ନିକଟରେ ଲୁଚିଥିଲା। ହୁଦନୁଲ୍‌ ହେଉଛି ନିପଟ ଉପାନ୍ତ ଅଞ୍ଚଳ। ସେହି ଅଞ୍ଚଳରେ ହିଁ ହାଇଦର‌ ଲୁଚି ରହିଥିଲା। ସେଠୁ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ହୋଣ୍ତା ଆକ୍ଟିଭା ସ୍କୁଟିରେ ବସି ଅନ୍ୟ ଜଣେ ବନ୍ଧୁଙ୍କ ନିକଟକୁ ଯାଉଥିଲା। ଅନ୍ୟଆଡେ଼ ଫେରାର‌ ହେବାର ଯୋଜନା ଥିଲା। ବାଦାମବାଡ଼ି ଥାନା ଆଇଆଇସି ରଶ୍ମିରଞ୍ଜନ ମହାପାତ୍ରଙ୍କ ଟିମ୍‌ ତାକୁ ପିଛା କରିଥିଲା ବେଳେ ଗତକାଲି ଜାହିରାବାଦ୍‌ ଅଞ୍ଚଳରେ ତାକୁ ଆକ୍ଟିଭାରେ ଯାଉଥିବା ବେଳେ କାବୁ କରି ନେଇଥିଲେ।

କିଙ୍ଗ୍‌ କୋଟିରେ ୧୧ ତାରିଖ ରାତି
ଯୋବ୍ରାର ଇସ୍ତିଆଜ୍‌ ଗାଡ଼ି ରିକଭରି ଏଜେନ୍ସିରେ କାମ କରୁଥିବା ବେଳେ ଇସ୍ତିଆଜ୍‌ ମାଧ୍ୟମରେ ଆଜାରୁଦ୍ଦିନ୍‌ ଏକ ମାରୁତି ଗାଡ଼ି ହାତେଇଥିଲା। ହାଇଦର‌ର ଜ୍ବାଇଁ ପଲସର‌ ବାଇକ୍‌ ଆଣିଥିଲା। ବଡ଼ ମେଡିକାଲ୍‌ରୁ ଅପରାହ୍ଣ ପ୍ରାୟ ୪ଟା ବେଳେ ପଲସର‌‌ ବାଇକ୍‌ରେ ହାଇଦର‌କୁ ଧରି ପୁଅ ଆଜାରୁଦ୍ଦିନ, ମାଉସୀ ପୁଅ ଭାଇ କାଳିଆ ଓ ସାନ ଜ୍ବାଇଁ ଖୋର୍ଧା ଆଡ଼କୁ ଜାତୀୟ ରାଜପଥ ରାସ୍ତାରେ ଯାଇଥିଲେ। ସେଠାରେ ପୂର୍ବରୁ ଅପେକ୍ଷା କରିଥିବା ଉକ୍ତ ମାରୁତି ସୁଇଫ୍ଟ୍‌ ଡିଜାୟାର‌ କାର‌ରେ ହାଇଦର‌ ସମେତ ଆଜାରୁଦ୍ଦିନ ଓ କାଳିଆ ତେଲେଙ୍ଗାନା ଆଡ଼କୁ ଯାଇଥିଲେ। ଏହି ଗାଡ଼ିକୁ ହାଇଦର‌୍‌ର ଜଣେ ସମ୍ପର୍କୀୟ କିଣିଛି। କାର‌ ପଛରେ ବାଇକ୍‌ ଧରି ଯାଇଥିଲା ସାନ ଜ୍ବାଇଁ। ହାଇଦରାବାଦ୍‌ର କିଙ୍ଗ୍‌ କୋଟିରେ ୧୧ ତାରିଖ ରାତି ପ୍ରାୟ ୧୦ଟା ବେଳକୁ ପ୍ରଥମେ ଏମାନେ ସମସ୍ତେ ପହଞ୍ଚି ଥିଲେ। ସମସ୍ତେ ଗୋଟିଏ ରାତି ଏକାଠି କଟାଇଥିଲେ। ପରଦିନ ସକାଳୁ ହାଇଦର‌କୁ ଜାହିରାବାଦ୍‌ରେ ଥିବା ନିଜ ବନ୍ଧୁଙ୍କ ଘରକୁ ଆଜାରୁଦ୍ଦିନ ଆଶ୍ରୟ ନେବାକୁ ପଠାଇ ଦେଇଥିଲା। ଆଜାରୁଦ୍ଦିନ, କାଳିଆ, ସାନ ଜ୍ବାଇଁ ଅଲଗା ସ୍ଥାନରେ ରହିଥିଲେ।

ବାଇକ୍‌ରେ ହାଇଦର‌ର ପିଛା କରି ଧରିଲୁ
ଜାହିରାବାଦ୍‌ ହୁଦନୁଲ୍‌ ଥାନା ଅଞ୍ଚଳରେ ହାଇଦର‌ ଥିବା ଖବର ମିଳିଥିଲା। ଏହି ଅଞ୍ଚଳକୁ ଏକ ନିପଟ ଗାଁ ବୋଲି କୁହାଯିବ। ହୁଦନୁଲ୍‌ ଥାନା ପୁଲିସ ସହାୟତାରେ ସେ ଗାଁ ସାରା ବାଇକ୍‌ରେ ବୁଲିଲୁ। ଗାଁ ଲୋକଙ୍କ ନିକଟରୁ ହାଇଦର‌ ସମ୍ପର୍କରେ ତଥ୍ୟ ସ˚ଗ୍ରହ କରିଥିଲୁ। କଟକରୁ ନିୟନ୍ତ୍ରଣ ହେଉଥିବା ଟେକନିକାଲ୍‌ ଟିମ୍‌ ବି ଏଥିରେ ସହାୟତା କରିଥିଲେ। ୧୫ ତାରିଖ ସନ୍ଧ୍ୟାରେ ଜାହିରାବାଦ୍‌ ଅଞ୍ଚଳରେ ସ୍ଥାନୀୟ ଜଣେ ବ୍ୟକ୍ତିଙ୍କ ସ୍କୁଟିରେ ବସି ଯାଉଥିବା ଖବର ମିଳିବାରୁ ତାର ପିଛା କରାଯାଇଥିଲା। ରାସ୍ତାରେ ଆମକୁ ହାଇଦର‌୍‌ ଓଭରଟେକ୍‌ କରି ଚାଲିଗଲା। ସନ୍ଧ୍ୟା ପ୍ରାୟ ୬ଟା ୩୦ ବେଳେ ତାକୁ କାବୁ କରିଥିଲୁ। ସେତେବେଳକୁ ହାଇଦର‌ ନିଜର ବେଶଭୂଷା ବଦଳାଇ ଦେଇଥିଲା। ଚୁଟି, ଦାଢ଼ି ଇତ୍ୟାଦି କାଟି ଭଲ ପୋଷାକ ଆଉ ନୂଆ ଧଳା ବୁଟ୍ ପିନ୍ଧିଥିଲା। ସିଏ କେବେ ଭାବିନଥିଲା ଯେ ଆମେ ଏଭଳି ଗୋଟେ ଉପାନ୍ତ ଅଞ୍ଚଳରେ ପହଞ୍ଚି ତାକୁ କାବୁ କରିବୁ। ଯେଉଁ ବ୍ୟକ୍ତି ତାକୁ ଆକ୍ଟିଭାରେ ଆଣୁଥିଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ଅଧିକ ଛାନଭିନ୍‌ କରିବାକୁ ସେ ଥାନାକୁ କୁହାଯାଇଛି।
ରଶ୍ମିରଞ୍ଜନ ମହାପାତ୍ର, ବାଦାମବାଡ଼ି ଥାନା ଆଇଆଇସି

ଡିଜିଙ୍କ ପ୍ରଶଂସା ସାଉଁଟିଲେ କୋର‌‌ ଟିମ୍‌
ଡିସିପି ପ୍ରତୀକ ସି˚ହଙ୍କ ସମେତ ଏଡିସିପି ତ୍ରିନାଥ ମିଶ୍ର, ଏଡିସିପି ପ୍ରମୋଦ ରଥ, ଏସିପି ଅମରେନ୍ଦ୍ର ପଣ୍ତା, ସେକ୍‌ ସରିଫୁଦ୍ଦିନ, ଶୁଭନାରାୟଣ ମୁଦୁଲି, ଅଜୟ ଦାସ ଆଜି ଡିଜି ଅଭୟଙ୍କୁ ଭେଟିଥିଲେ। ହାଇଦର‌ ଅପରେସନ୍‌ରେ ଏହି କୋର‌ ଟିମ୍‌ କଟକରେ ରହି ପୂରା ଅପରେସନ୍‌କୁ ନିୟନ୍ତ୍ରଣ କରିଥିଲା। ତେଲେଙ୍ଗାନା ଯାଇଥିବା ପୁଲିସ ଟିମ୍‌କୁ ପ୍ରତି ମୁହୂର୍ତ୍ତରେ ଟେକ୍‌ନିକାଲ୍‌ ଓ ଫିଜିକାଲ୍‌ ସହଯୋଗ ଯୋଗାଇ ଦେଇଥିଲା। ଏହି ଟିମ୍‌କୁ ଡିଜି ଅଭୟ ଉଚ୍ଚ ପ୍ରଶଂସା କରିଛନ୍ତି।

The post ଗ୍ୟାଙ୍ଗଷ୍ଟର‌‌ ହାଇଦରକୁ ଧରିବା ପାଇଁ ଦୁଇ ଇନସ୍ପେକ୍ଟରଙ୍କ ନେତୃତ୍ବରେ ଦୁଇଟି ଟିମ୍ ଯାଇଥିଲେ ତେଲେଙ୍ଗାନା first appeared on Sambad.

from ବିଶେଷ | Sambad https://ift.tt/3tqhXuh

Post a Comment

0 Comments