ଦୁଇଜଣ ମହିଳାଙ୍କ ଜୀବନ ବଞ୍ଚାଇବା ପାଇଁ ଯୁବକ ରୋଜା ଭାଙ୍ଗି ଦାନ କଲେ ପ୍ଲାଜମା

ନୂଆଦିଲ୍ଲୀ: କରୋନା ଭାଇରସ ପୁଣିଥରେ ଦେଶରେ ହାହାକାର ସୃଷ୍ଟି କରିଛି। ପ୍ରତିଦିନ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଯାହାକୁ ନେଇ ଲୋକମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ହସ୍ପିଟାଲରେ କରୋନା ରୋଗୀ ଏତେମାତ୍ରାରେ ଭର୍ତ୍ତି ହୋଇଗଲେଣି ଯେ ଆଉ ରୋଗୀଙ୍କ ପାଇଁ ବେଡ ନଥିବା କୁହାଯାଉଛି।

ବିଶେଷଜ୍ଞଙ୍କ କହିବାନୁସାରେ, କରୋନାର ଏହି ଦ୍ବିତୀୟ ଲହର ପୂର୍ବ ଅପେକ୍ଷା ଅଧିକ ବିପଦପୂର୍ଣ୍ଣ ରହିଛି। ଏଭଳି ସମୟରେ ରୋଗୀଙ୍କୁ ଅକ୍ସିଜେନର ଅଭାବ ପଡ଼ୁଥିବା ଦେଖିବାକୁ ମିଳୁଛି। ଆବଶ୍ୟକ ଔଷଧ ଉପଲବ୍ଧ ହୋଇପାରୁ ନାହିଁ। ଏମିତିରେ ଲୋକେ ପରସ୍ପରକୁ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି।

ଏବେ ରମଜାନର ପବିତ୍ର ମାସ ଚାଲୁଛି। ଅକିଲ ମଂସୁରୀ ଏମିତି ଜଣେ ବ୍ୟକ୍ତି ଯିଏକି ଦୁଇଜଣ ମହିଳାଙ୍କ ଜୀବନ ବଞ୍ଚାଇବା ପାଇଁ ରୋଜା ଭାଙ୍ଗି ଦେଇଥିବା ଜଣାପଡ଼ିଛି। ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି।
ଉଦୟପୁରର ପେସିଫିକ ହସ୍ପିଟାଲରେ ୩୬ବର୍ଷୀୟ ନିର୍ମଳା ଓ ୩୦ବର୍ଷୀୟ ଉଲକା ଚିକିତ୍ସା ପାଇଁ କିଛିଦିନ ହେବ ଭର୍ତ୍ତି ହୋଇଥିଲେ। ଦୁହିଁଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡ଼ିବାରେ ଲାଗିଥିଲା। ଏହି ଦୁଇ ମହିଳାଙ୍କ ବ୍ଲର୍ଡ ଗ୍ରୁପ ଏ-ପଜିଟିଭ ଥିଲା। ଦୁହିଁଙ୍କର ପ୍ଲାଜମାର ଆବଶ୍ୟକ ପଡ଼ିଥିଲା।

ଡାକ୍ତର ଦୁହିଁଙ୍କ ପରିବାରକୁ ତୁରନ୍ତ ପ୍ଲାଜମା ଯୋଗାଡ଼ କରିବାକୁ କହିଥିଲେ। ଏହାର ସୂଚନା ରକ୍ତ ଯୁବ ବାହିନୀ କର୍ମକର୍ତ୍ତାଙ୍କ ପର୍ଯ୍ୟନ୍ତ ପହଞ୍ଚିଥିଲା। ଏହି ସମୟରେ ଅକିଲ ମଂସୁରୀଙ୍କ କଥା ମନେପଡ଼ିଥିଲା। କାରଣ ସେ ୧୭ଥର ରକ୍ତଦାନ କରି ସାରିଥିବା ବେଳେ ଦୁଇଥର ପ୍ଲାଜମା ଦାନ କରିଥିଲେ।

ତାଙ୍କର ବ୍ଲଡ ଗ୍ରୁପ ବି ଏ ପଜିଟିଭ ରହିଛି। ତେବେ ଏହି ଦୁଇ ମହିଳାଙ୍କୁ ଏ ପିଜିଟିଭି ଥିବା ବ୍ୟକ୍ତି ହିଁ ପ୍ଲାଜମା ଦାନ କରି ପାରିବେ ବୋଲି ଡାକ୍ତର କହିଥିଲେ। ଏହାପରେ ଯୁବା ବାହିନୀ ମଂସୁରୀଙ୍କୁ ପ୍ଲାଜମା ଦାନ କରିବାକୁ ଅନୁରୋଧ କରିଥିଲେ। ତାଙ୍କର ରୋଜା ଚାଲିଥିବା ସତ୍ତ୍ବେ ସେ ତୁରନ୍ତ ପ୍ଲାଜମା ଦାନ କରିବାକୁ ହସ୍ପିଟାଲରେ ପହଞ୍ଚି ଯାଇଥିଲେ। କିନ୍ତୁ ଉପବାସରେ ପ୍ଲାଜମା ଦାନ କରିହେବ ନାହିଁ ବୋଲି ଡାକ୍ତରମାନେ ମଂସୁରୀଙ୍କୁ କହିଥିଲେ।

ଶେଷରେ ମଂସୁରୀ ରୋଜା ଭାଙ୍ଗି କିଛି ଖାଦ୍ୟ ଖାଇଥିଲେ। ଏହାପରେ ଡାକ୍ତର ତାଙ୍କର ଆଣ୍ଟିବଡ଼ି ପରୀକ୍ଷା କରି ପ୍ଲାଜମା ନେଇ ଦୁଇଜଣ ମହିଳା ନିର୍ମଳା ଓ ଉଲକାଙ୍କ ଶରୀରରେ ଚଢ଼ାଇଥିଲେ।

The post ଦୁଇଜଣ ମହିଳାଙ୍କ ଜୀବନ ବଞ୍ଚାଇବା ପାଇଁ ଯୁବକ ରୋଜା ଭାଙ୍ଗି ଦାନ କଲେ ପ୍ଲାଜମା first appeared on Sambad.

from ବିଶେଷ | Sambad https://ift.tt/3egFnfd

Post a Comment

0 Comments