ଆୟ ଅଭାବ; ଦେବାଳିଆ ସ୍ଥିତିରେ ମଠ-ମନ୍ଦିର, ଅନ୍ନ ଭୋଗ ପାଇଁ ଏବେ ଦାତା ଭରସା

ରାୟଗଡ଼ା(ନବୀନ ଚନ୍ଦ୍ର ସାହୁ): ଆୟ ଅଭାବରୁ ଦେବୋତ୍ତର ବିଭାଗ ଅଧୀନରେ ଥିବା ମଠ, ମନ୍ଦିର ଏବେ ଦେବାଳିଆ ସ୍ଥିତିରେ। ଠାକୁରଙ୍କ ନୀତିକାନ୍ତି, ସେବା ପାଇଁ ଅର୍ଥ ନଥିବାରୁ ସବୁ କିଛି ଫିକା ପଡିଲାଣି। ଦୈନନ୍ଦିନ ଅନ୍ନ ଭୋଗ ତୁଲାଇବା ପାଇଁ ମଧ୍ୟ ମନ୍ଦିର କମିଟି ଆଉ ସକ୍ଷମ ନଥିବାରୁ ଏବେ ଦାତା ହିଁ ଏକ ମାତ୍ର ଭରସା। କରୋନା କଟକଣା ଯୋଗୁ ମନ୍ଦିରକୁ ଭକ୍ତ ଆସୁନଥିବାରୁ ପୂଜକ ଓ ସେବାୟତଙ୍କ ଅବସ୍ଥା ମଧ୍ୟ ଦୟନୀୟ ହୋଇ ପଡ଼ିଲାଣି। ଗତ ଏକ ବର୍ଷ ହେଲା ମଠ, ମନ୍ଦିର କଟକଣା ଭିତରେ ଖୋଲୁଥିବାରୁ ପୂଜକ, ସେବାୟତଙ୍କ ଭୋକ ମେଣ୍ଟୁନି କି ପେଟ ପୁରୁନି।

ରାୟଗଡ଼ା ଜିଲ୍ଲାର ପ୍ରସିଦ୍ଧ ମନ୍ଦିର ମଧ୍ୟରେ ରହିଛି ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀ ମନ୍ଦିର। ସେହିପରି ରାୟଗଡ଼ା, ଗୁଣପୁରର ଜଗନ୍ନାଥ ମନ୍ଦିର, କଲ୍ୟାଣସିଂହପୁରର ଦେବଗିରି, ପାଇକପଡ଼ାର ପାତାଳେଶ୍ବର, ପଦ୍ମପୁରର ନୀଳକଣ୍ଠେଶ୍ବର, କାଶୀପୁରର ମାଣିକେଶ୍ବରୀ, ବିଷମକଟକର ମା’ ମାର୍କମା ମନ୍ଦିର। ଏଥି ସହିତ ଗାଁ ଗହଳିର ବହୁ ପୁରୁଣା ମନ୍ଦିର ଦେବୋତ୍ତର ବିଭାଗ ଅଧୀନରେ ରହିଛି। ବାପା ଅଜା ଅମଳରୁ  ପରମ୍ପରା ଅନୁଯାୟୀ ପିଢ଼ି ପରେ ପିଢ଼ି ଏହି ସବୁ ମନ୍ଦିରରେ ପୂଜକ ଓ ସେବାୟତ ଭାବେ କାମ କରି ଆସୁଛନ୍ତି। ମନ୍ଦିର ପରିଚାଳନା ପାଇଁ ସ୍ଥାନୀୟ ତହସିଲଦାରଙ୍କୁ ଦେବ‌ୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି। କେବଳ ମା’ ମଝିଘରିଆଣୀ ମନ୍ଦିର ପାଇଁ ସିଧାସଳଖ ଦେବତ୍ତର ବିଭାଗର ଜଣେ ଉଚ୍ଚ ଅଧିକାରୀଙ୍କ ନିଯୁକ୍ତି ଦିଆଯାଇଛି।

ରାୟଗଡ଼ା, ଗୁଣପୁର ଜଗନ୍ନାଥ ମନ୍ଦିରକୁ ଛାଡ଼ିଲେ ଜିଲ୍ଲାର ଅନ୍ୟ କୌଣସି ମନ୍ଦିରର ନିଜସ୍ବ ଜମି ନଥିବାରୁ ଭକ୍ତଙ୍କ ଦାନ, ଥାଳି ଓ ହୁଣ୍ଡି ଅର୍ଥରେ ମନ୍ଦିରର ନୀତିକାନ୍ତ, ଅନ୍ନଭୋଗ ସହ ଯାନି ଯାତ୍ରା, ପର୍ବପର୍ବାଣି ପରିଚାଳନା ହୋଇ ଆସୁଛି। ରାୟଗଡ଼ା ଜଗନ୍ନାଥ ମନ୍ଦିରର ୧୯ ଏକର, ଗୁଣପୁର ଜଗନ୍ନାଥ ମନ୍ଦିରର ପାଖାପାଖି ୧୫ ଏକର ଜମି ରହିଛି। ଯାହା ଭାଗସୂତ୍ରରେ ଚାଷ ହେବା ପରେ ଆଦାୟ ହେଉଥିବା ଧାନ, ଅନ୍ୟାନ୍ୟ ଫସଲ ମନ୍ଦିରର ଭୋଗ ପାଇଁ ଆସୁଛି। ରାୟଗଡ଼ା ଜଗନ୍ନାଥ ମନ୍ଦିରର ୧୯ ଏକର ଜମିରୁ ଆସୁଥିବା ଆୟକୁ ରାୟଗଡ଼ା ଓ ପାଇକାପଡ଼ାର ପାତାଳେଶ୍ବର ମନ୍ଦିରକୁ ଭାଗସୂତ୍ରରେ ଦିଆଯାଉଛି। ଫଳରେ ଭାଗ ସୂତ୍ରରୁ ଯାହା ଆସୁଛି ସେଥିରେ ମାତ୍ର ଦୁଇ ମାସ ହିଁ ମନ୍ଦିରର ଅନ୍ନ ଭୋଗ ସଂପନ୍ନ ହୋଇ ପାରୁଛି। ବାକି ୧୦ ମାସ ଭକ୍ତଙ୍କ ଦାନ ଉପରେ ନିର୍ଭର କରିବାକୁ ପଡୁଛି। ଦାତାଙ୍କ ଦାନରେ ବହୁ କଷ୍ଟରେ ଅନ୍ନଭୋଗ ଓ ଦୈନିକ ନୀତିକାନ୍ତି ସଂପନ୍ନ ହେଉଥିବା ବେଳେ ଯାନି ଯାତ୍ରା ସମେତ ରଥଯାତ୍ରା, ଶିବରାତ୍ରି ସମୟରେ ମନ୍ଦିର କମିଟିକୁ ନାକେଦମ୍ ହେବାକୁ ପଡୁଛି। ରାୟଗଡ଼ା ରଥଯାତ୍ରା ପରିଚାଳନା ପାଇଁ ୭ରୁ ୮ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଦେବ‌ୋତ୍ତର ବିଭାଗ ଦେଉଛି ମାତ୍ର ୨ ଲକ୍ଷ ଟଙ୍କା।

୨୦୨୦ ମାର୍ଚ୍ଚ ମାସରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ମନ୍ଦିର ବନ୍ଦ ପାଇଁ ପ୍ରଶାସନ ନିର୍ଦେଶ ଦେବା ପରେ ମନ୍ଦିରରେ କାମ କରୁଥିବା ପୂଜକ, ସେବାୟତଙ୍କ ଅବସ୍ଥା ଦୟନୀୟ ହୋଇ ପଡିଛି। କିଛି ବଦାନ୍ୟ ବ୍ୟକ୍ତି ସହାନୁଭୂତି ଦେଖାଇ ପୂଜକ, ସେବାୟତଙ୍କୁ ସହାୟତ କରିଥିଲେ ମଧ୍ୟ ସରକାର କିମ୍ବା ଦେବୋତ୍ତର ବିଭାଗ ପକ୍ଷରୁ କାଣି କଉଡିଟିଏ ଏମାନଙ୍କୁ ମିଳିନି। ବହୁ କଷ୍ଟରେ ପରିବାର ଚଳୁଥିବା ବେଳେ ପ୍ରଶାସନର କଟକଣା ପୂଜକ ଓ ସେବାୟତଙ୍କ ବୃତ୍ତିକୁ ଅଧିକ ଦୟନୀୟ କରିଛି।

ପୁରୀ ଜଗନ୍ନାଥ ମନ୍ଦିର ପରେ ଓଡ଼ିଶାର ଦ୍ଵିତୀୟ ଆୟକାରୀ ମନ୍ଦିର ମଧ୍ୟରେ ମା’ ମଝିଘରିଆଣୀ ମନ୍ଦିର ରହିଛି। ବାର୍ଷିକ ବିଭିନ୍ନ ସୂତ୍ରରୁ ପ୍ରାୟ ୩ କୋଟି ଟଙ୍କା ମନ୍ଦିରରୁ ଆୟ ହେଉଥିବା ବେଳେ କେବଳ ହୁଣ୍ଡିରୁ ଦୁଇ କୋଟି ଟଙ୍କା ଆଦାୟ ହୋଇଥାଏ। ଏହି ସବୁ ଟଙ୍କା ସିଧାସଳଖ ଦେବୋତ୍ତର ବିଭାଗ ଅଧୀନରେ ଥିବା ବେଳେ ମନ୍ଦିରର ଉନ୍ନତି କିମ୍ବା ପରିଚାଳନା ପାଇଁ ଆବଶ୍ୟକ ଅର୍ଥ ସ୍ବତ୍ତଃପ୍ରବୃତ୍ତ ଭାବେ ମନ୍ଦିର ପରିଚାଳନା କମିଟି ଖର୍ଚ କରିପାରିବାର କ୍ଷମତା ନାହିଁ। ସବୁଠୁ ବଡ଼ କଥା ହେଲା ମନ୍ଦିରରୁ ସଂଗୃହୀତ ଅର୍ଥ ଜିଲ୍ଲାର ମଠ ମନ୍ଦିରରେ ଖର୍ଚ ନ ହୋଇ ରାଜ୍ୟର ଅନ୍ୟ ମନ୍ଦିରକୁ ଦିଆଯାଉଥିବା ଗୁରୁତର ଅଭିଯୋଗ ଆସିଛି। ଦେବୋତ୍ତର ବିଭାଗ ପକ୍ଷରୁ ହାତ ଗଣତି କିଛି ମନ୍ଦିରକୁ ନାମକୁ ମାତ୍ର ସହାୟତା ମିଳୁଥିବା ବେଳେ ବାକି ମନ୍ଦିର ଗୁଡ଼ିକର ଅବସ୍ଥା ନ କହିଲେ ଭଲ।

The post ଆୟ ଅଭାବ; ଦେବାଳିଆ ସ୍ଥିତିରେ ମଠ-ମନ୍ଦିର, ଅନ୍ନ ଭୋଗ ପାଇଁ ଏବେ ଦାତା ଭରସା first appeared on Sambad.

from ବିଶେଷ | Sambad https://ift.tt/3g1Hc20

Post a Comment

0 Comments