
ମୟୂରଭଂଜ/ପୂର୍ବସିଂହଭୂମ: ଚାରିଆଡ଼େ ଏବେ ଦୁଇଟି ପ୍ରସଙ୍ଗକୁ ନେଇ ବେଶ୍ ଚର୍ଚ୍ଚା। ଗୋଟିଏ ହେଉଛି କରୋନା ଏବଂ ଅନ୍ୟଟି ଆଇପିଏଲ୍। କେଉଁଠି ଲୋକେ ଟିଭି ଖୋଲି କରୋନା ଖବର ଦେଖୁଛନ୍ତି ତ ଆଉ କେଉଁଠି କ୍ରିକେଟ୍ ଫ୍ୟାନ୍ମାନେ ଆଇପିଏଲ୍ ମ୍ୟାଚ୍।
ତେବେ ଏହି କ୍ରମରେ ଗୋଟିଏ ନିଆରା ଯୌଥ ପରିବାର କଥା ଉଲ୍ଲେଖ କରିବା ପ୍ରାସଙ୍ଗିକ ହେବ। ଯେଉଁ ପରିବାରରେ ଆଠ ଜଣ କ୍ରିକେଟର ଭାଇ ଅଛନ୍ତି! ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ। ସେମାନଙ୍କର ଅଭିଭାବକମାନେ କ୍ରିକେଟ୍କୁ ଏତେ ଭଲପାଆନ୍ତି ଯେ ନିଜ ନିଜ ପୁଅମାନଙ୍କୁ ବିଭିନ୍ନ କ୍ରିକେଟରଙ୍କ ନାମ ଦେଇଛନ୍ତି।
ପୁଅମାନେ ମଧ୍ୟ କ୍ରିକେଟ୍ ପାଇଁ ପୂରା ବାୟା। ଓଡ଼ିଶାର ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡର ପୂର୍ବସିଂହଭୂମ ଜିଲ୍ଲା ଅଧୀନ ଡୁମୁରିଆ ବ୍ଲକ୍ରେ ଅଛି କମଡ଼ାଶୋଳ ଗ୍ରାମ। ଏହା ସୀମାନ୍ତ ମୟୂରଭଂଜ ଜିଲ୍ଲାକୁ ଲାଗି ରହିଛି। ଏଠାରେ ପ୍ରଦୀପ ପ୍ରମାଣିକ, ଭରତ ପ୍ରମାଣିକ, ଦିଲ୍ଲୀପ ପରମାଣିକ ନିର୍ମଳ ପ୍ରମାଣିକ; ଚାରି ଭାଇ ଏକାଠି ରହନ୍ତି। ସବୁ ଭାଇମାନେ ଗରିବ ହୋଇଥିଲେ ବି ଭଲ ହୃଦୟର। ପର ଉପକାର କରିବାକୁ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ। ଏମାନେ ସିନା ଝାଡ଼ଖଣ୍ଡରେ ରହନ୍ତି, ହେଲେ ଓଡ଼ିଶା ସହ ସଂପର୍କ ଅତି ନିବିଡ଼।
କାରଣ ଓଡ଼ିଶାର ମୟୂରଭଞ୍ଚ ଜିଲ୍ଲା ଅନ୍ତର୍ଗତ ଟେରଣ୍ଟି, ଗୁହାଳଡ଼ାଙ୍ଗିରୀ, ବହଦଳା, ବାରିପଦା, ରାଇହରି ଓ ବାଙ୍ଗିରିପୋଷି ଏବଂ କେନ୍ଦୁଝର ଜିଲ୍ଲା ଖୁଣ୍ଟାପିଙ୍ଗୁରେ ସେମାନଙ୍କର ଅନେକ ସଂପର୍କୀୟ ରହନ୍ତି।୪ ଭାଇ ଭାରି କ୍ରିକେଟ୍ ପ୍ରେମୀ। ପ୍ରତିଦିନ କ୍ରିକେଟ୍ ଖବର ଟିକେ ନ ପଢ଼ିଲେ କି ନ ଶୁଣିଲେ ପ୍ରଦୀପ ବାବୁଙ୍କର ତ ଭାତ ହଜମ ହୁଏନି। କ୍ରିକେଟ୍ ପ୍ରତି ତାଙ୍କର ଏତେ ଦୁର୍ବଳତା ଯେ ସେ ନିଜର ଦୁଇ ପୁଅଙ୍କ ନାମ କ୍ରିକେଟର କୁନାଲ କପୁର ଓ ଶୀତଲ ପାଠକଙ୍କ ନାମରେ ରଖିଛନ୍ତି।
ଜଣଙ୍କ ନାମ କୁନାଲ ପ୍ରମାଣିକ (୧୧) ଏବଂ ଅନ୍ୟଜଣଙ୍କ ନାମ ଶୀତଲ ପ୍ରମାଣିକ (୧୨)। ଉଲ୍ଲେଖ ଥାଉକି କ୍ରିକେଟର କୁନାଲ କପୁର କର୍ଣ୍ଣାଟକର। ସେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନ ଥିଲେ ମଧ୍ୟ ନିଜର ନିଆରା ବ୍ୟାଟିଂ ପାଇଁ କ୍ରିକେଟ୍ରେ ଏକ ସ୍ବତନ୍ତ୍ର ପରିଚୟ ତିଆରି କରିପାରିଛନ୍ତି। ସେହିପରି ଦିଲ୍ଲୀର ଶୀତଲ ପାଠକ ୪ଟି ଲିଷ୍ଟ-ଏ ମ୍ୟାଚ୍ ଖେଳିଛନ୍ତି। ତାଙ୍କର ନିଆରା ଷ୍ଟାଇଲ୍ ଅନେକଙ୍କୁ ଆକର୍ଷିତ କରିଛି।
ସାନ ମଝିଆଁ ଭାଇ ଦିଲ୍ଲୀପ ପ୍ରମାଣିକଙ୍କ ଦୁଇ ପୁଅ ନାମ ମଧ୍ୟ ଦମ୍ଦାର ତଥା ଷ୍ଟାଇଲିସ୍ କ୍ରିକେଟର ସୌରଭ ଗାଙ୍ଗୁଲି ଓ ଏମ୍ଏସ୍ ଧୋନୀଙ୍କ ନାମରେ ରଖାଯାଇଛି। ଜଣଙ୍କ ନାମ ଗାଙ୍ଗୁଲି ପ୍ରମାଣିକ (୧୮) ଏବଂ ଅନ୍ୟଜଣଙ୍କ ନାମ ଧୋନୀ ପ୍ରମାଣିକ (୧୪)। ସେହିପରି ମଝିଆଁ ଭାଇ ଭରତ ପ୍ରମାଣିକଙ୍କ ଦୁଇ ପୁଅ ନାମ କ୍ରିକେଟ୍ କିମ୍ବଦନ୍ତୀ କପିଲ ଦେବ ଓ ରୋହିତ ଶର୍ମାଙ୍କ ନାମରେ ହୋଇଛି।
ଜଣଙ୍କ ନାମ କପିଲ ପ୍ରମାଣିକ (୧୮) ଏବଂ ଅନ୍ୟଜଣଙ୍କ ନାମ ରୋହିତ ପ୍ରମାଣିକ (୧୩)। ବଡ଼ଭାଇ ନିର୍ମଳ ପ୍ରମାଣିକଙ୍କ ଦୁଇ ପୁଅ ନାମ କ୍ରିକେଟ୍ର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଓ ବାଭାନାକା ପରମେଶ୍ବର ସଂଦୀପଙ୍କ ନାମରେ ରଖାଯାଇଛି। ଜଣଙ୍କ ନାମ ସଚିନ ପ୍ରମାଣିକ (୨୨) ଏବଂ ଅନ୍ୟଜଣଙ୍କ ନାମ ପରମେଶ୍ବର ପ୍ରମାଣିକ (୨୬)। ଉଲ୍ଲେଖ ଥାଉକି କ୍ରିକେଟର ପରମେଶ୍ବର ହାଇଦ୍ରାବାଦର। ସେ ଅନେକ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଛନ୍ତି। ୨୦୧୭-୧୮ ରଣଜୀ ଟ୍ରଫିରେ ୪ଟି ମ୍ୟାଚ୍ରୁ ୪୦୦ ରନ୍ କରି ସମସ୍ତଙ୍କ ଦୃଷ୍ଟିକୁ ଆସିଥିଲେ।
ତେବେ ଆଠ ଭାଇ; କୁନାଲ, ଶୀତଲ, କପିଲ, ରୋହିତ, ଗାଙ୍ଗୁଲି, ଧୋନୀ, ସଚିନ ଓ ପରମେଶ୍ବରଙ୍କ ନାମ କେବଳ କ୍ରିକେଟରଙ୍କ ନାମରେ ହୋଇନାହିଁ, ଏମାନେ ସମସ୍ତେ କ୍ରିକେଟ୍ ଖେଳିବାକୁ ବି ଭାରି ପସନ୍ଦ କରନ୍ତି। ସଚିନ ତ ବିଭିନ୍ନ ଟୁର୍ଣ୍ଣାମେଣ୍ଟରେ ମ୍ୟାନ୍ ଅଫ୍ ଦି’ ସରିଜ୍ ଓ ମ୍ୟାନ୍ ଅଫ୍ ଦି’ ମ୍ୟାଚ୍ ପୁରସ୍କାର ପାଇ ନିଜ ଗାଁ ପାଇଁ ଗର୍ବ ଆଣିଛନ୍ତି।
ଏନେଇ ଆମେ ପ୍ରମାଣିକ ୪ ଭାଇମାନଙ୍କ ମଧ୍ୟରୁ ବଡ଼ଭାଇ ନିର୍ମଳଙ୍କ ସହ କଥା ହୋଇଥିଲୁ। ସେ କ୍ରିକେଟ୍କୁ ଭଲପାଇବା ଛଡ଼ା ନିଜ ପୁଅ ଓ ପୁତୁରାମାନଙ୍କ ନାମ ବିଭିନ୍ନ କ୍ରିକେଟରଙ୍କ ନାମ ଅନୁସାରେ ରଖିବା ପଛର ଆଉ ଏକ ଉଦ୍ଦେଶ୍ୟ ବଖାଣିଥିଲେ। ତାଙ୍କ କହିବା କଥା ହେଲା, ‘ଦଳଗତ ଉଦ୍ୟମ ଯୋଗୁ ଯେପରି ଖେଳାଳିମାନେ ସହଜରେ ମ୍ୟାଚ୍ ଜିତିନିଅନ୍ତି, ଏକାଠି ରହି ଜୀବନ ଲଢ଼େଇ ଜିତିବାକୁ ଆମର ଏ ପ୍ରୟାସ ନିଶ୍ଚୟ ଶକ୍ତି ଓ ସାମର୍ଥ୍ୟ ଯୋଗାଇବ।’
The post କ୍ରିକେଟ୍ ପ୍ରେମୀ ପରିବାର: କ୍ରିକେଟରଙ୍କ ନାମ ଅନୁସାରେ ରହିଛି ଆଠଭାଇଙ୍କ ନାମ first appeared on Sambad.from ବିଶେଷ | Sambad https://ift.tt/3nmilrg
0 Comments