ଖୋଳା ଯାଇଛି ୧୦ଟି ବୋରୱଲେ ଓ ଖୋଲା କୂପ, ପାନୀୟ ଜଳ ନ ପାଇ ଡହଳ ବିକଳ ହେଉଛନ୍ତି ଲୋକେ

ଓଡ଼ାପଡ଼ା: ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ସରକାରଙ୍କ ତରଫରୁ ଅନେକ ଯୋଜନା କାର୍ଯ୍ୟକାରୀ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ବିଭିନ୍ନ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି । ଏହି ପ୍ରକଳ୍ପ ମାନଙ୍କରୁ ପ୍ରଜାମାନେ କେତେ ପାନୀୟ ଜଳ ପାଉଛନ୍ତି ତାକୁ କୈାଣସି ଅଧିକାରୀ କିମ୍ବା ଲୋକ ପ୍ରତିନିଧି ମାନେ ଦେଖିବାକୁ ଯାଆନ୍ତି ନାହିଁ । ଫଳରେ ପ୍ରଶାସନ ଗରିବଙ୍କ ନାମରେ ଯୋଜନା କରି ଠିକାଦାର ଓ ଯନ୍ତ୍ରୀଙ୍କୁ ପୋଷିଥାନ୍ତି । ଏ ସମସ୍ତେ ପ୍ରଜାମାନେ ଯେତେ ଦାବି ଆପତ୍ତି କଲେ ମଧ୍ୟ କେହି ଶୁଣୁ ନଥିବା ଦେଖି ବାକୁ ମିଳିଛି । ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକର ବିଭିନ୍ନ ଅଞ୍ଚଳରେ ଯେତେ ଗୁଡ଼ିଏ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି ସେଥି ମଧ୍ୟରୁ ଅଧାରୁ ଅଧିକ ପ୍ରକଳ୍ପ ଅଚଳ ହୋଇପଡ଼ିଥିବା ଦେଖିବାକୁ ମିଳିଛି ।

ଦୀପ ତଳ ଅନ୍ଧାର ପରି ଓଡ଼ାପଡ଼ା ବ୍ଲକ କାର୍ଯ୍ୟାଳୟ ନିକଟ ପରିସର ମଧ୍ୟରେ ଥିବା ପ୍ରଜାମାନଙ୍କୁ ପାନୀୟ ଜଳ ଯୋଗାଇ ଦେବାକୁ ପ୍ରାୟ ୧୦ ଗୋଟି ବୋରୱଲେ ଓ ଖୋଲା କୂପ ଖୋଳା ଯାଇଥିଲେ ମଧ୍ୟ ଜନସାଧାରଣ ପାନୀୟ ଜଳ ନ ପାଇ ଡହଳ ବିକଳ ହେଉଥିବା ଦେଖିବାକୁ ମିଳିଛି । ଓଡ଼ାପଡ଼ା ବ୍ଲକ ନିକଟରେ ଥିବା ନୂଆବାଙ୍ଗୁରସଂହ ଓ ବୁଢିପର୍ବତ ଗ୍ରାମରେ ବସବାସ କରୁଥିବା ହରିଜନ ଆଦିବାସୀ ପ୍ରଜାମାନେ
ଦିର୍ଘ ବର୍ଷ ହେଲା ପାନୀୟ ଜଳ ଯୋଗାଇ ଦେବାକୁ ପ୍ରଶାସନ ଠାରୁ ଲୋକପ୍ରତିନିଧିଙ୍କ ପର୍ଯ୍ୟନ୍ତ ଦାବି ଆପତ୍ତି କରି ଆସୁଥିଲେ ମଧ୍ୟ ସେମାନଙ୍କ ଦାବି ଆପତ୍ତି କେହି ଶୁଣୁ ନଥିବା ଅଭିଯୋଗ କରିଛନ୍ତି ।

ରାଜ୍ୟ ସରକାର ପାନୀୟ ଜଳ ଯୋଗାଇ ଦେବାକୁ ପଞ୍ଚାୟତକୁ କ୍ଷମତା ପ୍ରଦାନ କରିଥିଲେ ମଧ୍ୟ ସେମାନଙ୍କର କୌଣସି ଦାୟିତ୍ଵ ଥିବା ପରି ମନେହେଉ ନାହିଁ । ବିଭାଗୀୟ ଅଧିକାରୀ ମାନେ ମେଗା ପ୍ରକଳ୍ପ କହି ମୁଣ୍ଡରୁ ଦାୟିତ୍ବ ଖସାଇ ଚାଲିଛନ୍ତି । ଓଡ଼ାପଡ଼ା ବ୍ଲକ ସହିତ ହିନ୍ଦୋଳ ବ୍ଲକର ୬୪ ଗୋଟି ଗ୍ରାମ ପଞ୍ଚାୟତର ପ୍ରଜାମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଲକ୍ଷ୍ୟ ରଖି ସରକାରଙ୍କ ତରଫରୁ ଏକ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡିଛି । କିନ୍ତୁ ଏହି ପ୍ରକଳ୍ପ କେବେ କାର୍ଯ୍ୟ କ୍ଷମ ହେବ ତାହା କହିବା ମୁସ୍କିଲ ହୋଇ ପଡ଼ିଛି । ସେତେବେଳ ପର୍ଯ୍ୟନ୍ତ ଲୋକ ମାନଙ୍କ ଅବସ୍ଥା କଣ ହେବ ତାହା ଭଗବାନଙ୍କୁ ଜଣା । ମେଗା ପ୍ରକଳ୍ପ କହି ଅଧିକାରୀ ମାନେ ନିଜ ମୁଣ୍ଡରୁ ଦାୟିତ୍ବ ନ ଖସାଇ, ଅଚଳ ପ୍ରକଳ୍ପ ଗୁଡ଼ିକ ଚାଲୁ କରିବା ସହିତ, ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବା ପ୍ରକଳ୍ପ ଗୁଡ଼ିକ ଶେଷ ହେବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଶାସନ ଅଧିକାରୀ ଓ ଲୋକପ୍ରତିନିଧି ମାନେ ଦୃଷ୍ଟି ଦେବାକୁ ସାଧାରଣ ଦାବି ହେଉଛି ।

ଗତକାଲି ( ସୋମବାର) ଦିନ ନୂଆବାଙ୍ଗୁରସିଂହ ଗ୍ରାମର ୨୦ରୁ ଅଧିକ ମହିଳା ପାନୀୟ ଜଳ ଯୋଗାଇ ଦେବାକୁ ଏକ ଲିଖିତ ଦରଖାସ୍ତ ଓଡ଼ାପଡ଼ା ବ୍ଲକକୁ ଯାଇ ବିଡିଓଙ୍କୁ ଦେବାକୁ ଯାଇ ଥିଲେ କିନ୍ତୁ ବିଡିଓ ଦାସରଥି ଜେନା ଅନୁପସ୍ଥିତ ଥିବାରୁ ସେମାନଙ୍କ ଦାବି ପତ୍ର ପ୍ରଦାନ କରିବା ପାଇଁ ଉପସ୍ଥିତ ଜଣେ କର୍ମଚାରୀଙ୍କୁ ପଚାରିବାରୁ ସେ ମହାଶୟ ସେମାନଙ୍କୁ ସହଯୋଗ ତ କଲେ ନାହିଁ ଓଲଟି ଦୁଵ୍ୟବହାର ଦେଖାଇଥିବା ମହିଳା କୋଇଲି ନାଏକ, ଜୟନ୍ତୀ ନାଏକ, ନନ୍ଦିନୀ ନାଏକ, ସୁଫଳା ନାଏକ, ଲକ୍ଷ୍ମୀ ନାଏକ, ରଂଜିତା ନାଏକ, ଅଗାରି ନାଏକଙ୍କ ସହିତ ୨୦ ଜଣ ମହିଳା ଅଭିଯୋଗ କରିଛନ୍ତି । ସେହିପରି ଶିବପୁର ଗ୍ରାମ ପଞ୍ଚାୟତ ଅଧୀନ କୋଚିଲାମଡା ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।

ଏହି ଗ୍ରାମର ଜନସଂଖ୍ୟା ପ୍ରାୟ ୨୦୦୦ରୁ ଅଧିକ ଥିବା ବେଳେ ୪ ଗୋଟି ନଳ କୂଅ ମଧ୍ୟରୁ ଦୁଇଟି ଅଚଳ ହୋଇଯାଇଥିବା ବେଳେ ଅନ୍ୟ ଦୁଇଟି ନଳକୂପରୁ କମ୍ ପାଣି ବାହାରୁଥିବାରୁ ପାଣି ପାଇଁ ଗ୍ରାମବାସୀ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଗ୍ରାମ ନିକଟରେ ଥିବା ବିଭିନ୍ନ କଳକାରଖାନା କର୍ତ୍ତୃପକ୍ଷ ଲୋକମାନଙ୍କ ପାଇଁ ସ୍ବାସ୍ଥ୍ୟ, ପାନୀୟ ଜଳ, ରାସ୍ତା ପରି ମୌଳିକ। ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିବା କହୁଥିବାବେଳେ ବାସ୍ତବରେ ତାହା ଦେଖିବାକୁ ମିଳୁନଥିବା ଅଭିଯୋଗ ହୋଇଛି । ଗତକାଲି କୋଚିଲାମଡା ଗ୍ରାମର ମହିଳାମାନେ ଖରା ବାଲଟି ଧରି ଗ୍ରାମରେ ଥିବା ସହିଦ ସ୍ମୃତି ସ୍ତମ୍ଭ ତଳେ ବସି ପ୍ରତି ବାଦ କରିବା ସହିତ ପାନୀୟ ଜଳ ଯୋଗାଇ ଦେବାକୁ ଦାବି କରିଥିଲେ ।

The post ଖୋଳା ଯାଇଛି ୧୦ଟି ବୋରୱଲେ ଓ ଖୋଲା କୂପ, ପାନୀୟ ଜଳ ନ ପାଇ ଡହଳ ବିକଳ ହେଉଛନ୍ତି ଲୋକେ first appeared on Sambad.

from ବିଶେଷ | Sambad https://ift.tt/3gqhoNm

Post a Comment

0 Comments