୫ ବର୍ଷ ତଳେ ଛତିଶଗଡ଼ରୁ ମହାନଦୀରେ ଭାସି ଆସିଥିବା ସୋନିଙ୍କ ବିବାହ ୨୧ରେ, ପାଳିଥିବା ବାପା-ମା’ ଚଳାଇଛନ୍ତି ପ୍ରସ୍ତୁତି 

କନକତୋରା: ପାଂଚ ବର୍ଷ ପୂର୍ବରୁ ଅର୍ଥାତ ୨୦୧୬ ସେପ୍ଟେମ୍ବର ମାସର କଥା। ପଡ଼ୋଶୀ ଛତିଶଗଡ଼ର ରାୟଗଡ଼ ଜିଲ୍ଲା ସାରଙ୍ଗଗଡ଼ ଥାନା ଯୋବ୍ରା ଗାଁର ବାପା-ମା’ ନଥିବା ଜଣେ ଯୁବତୀ ଚନ୍ଦ୍ରହାସିନୀ ଦେବୀ ପୀଠକୁ ଦର୍ଶନ ପାଇଁ ଆସିଥିଲେ। ନିକଟସ୍ଥ ମହାନଦୀକୁ ଗୋଡ଼ ହାତ ଧୋଇବାକୁ ଯାଇଥିବା ବେଳେ ହଠାତ୍ ନଦୀରେ ଖସିପଡ଼ିଥିଲେ। ସେ ମହାନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ମହାନଦୀର ଜଳସ୍ରୋତରେ ପ୍ରାୟ ୫୦ କିଲୋମିଟର ଭାସି ଭାସି ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା କୁସମେଲ ଗାଁ ନିକଟରେ ଶାଖା ନଦୀ କେଲୋ ନଦୀ ସଙ୍ଗମସ୍ଥଳରେ ଲାଗିଥିଲେ। କୁସମେଲ ଗାଁର ମତ୍ସ୍ୟଜୀବୀ ସନ୍ନ୍ୟାସୀ କାଲୋ ଗଭୀର ମହାନଦୀରୁ ତାଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରି ନୂଆ ଜୀବନ ଦେଇଥିଲେ। ସେଦିନର ସେହି ସୋନି ଯାଦବ ଆଜି ବିବାହ ଯୋଗ୍ୟା। ଏ ନେଇ ପାଳିତ ପିତା ସନ୍ନ୍ୟାସୀ ଓ ତାଙ୍କ ପତ୍ନୀ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଆସନ୍ତା ୨୧ ତାରିଖରେ ସୋନିର ବାହାଘର ହେବ ବୋଲି ସ୍ଥିର ହୋଇଛି।

ସୂଚନା ଅନୁଯାୟୀ, ସେଦିନ ଏହି ଘଟଣା ପ୍ରଚାର ହେବା ପରେ ରାଜ୍ୟର ସମସ୍ତ ଗଣମାଧ୍ୟମରେ ଏହା ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଥିଲା। ଏହି ଅଞ୍ଚଳକୁ ଗଣମାଧ୍ୟମ ପ୍ରତିନିଧି ଓ ଜନ ପ୍ରତିନିଧିଙ୍କ ସୁଅ ଛୁଟିଥିଲା ଏହି ଅଖ୍ୟାତ ପଲ୍ଲୀ କୁସମେଲକୁ। ସେ ସମୟର ଏହି ଖବର ସାରା ଓଡ଼ିଶାକୁ ଆଶ୍ଚର୍ଯ୍ୟ କରି ଦେଇଥିଲା। ଦୀର୍ଘ ୫୦ କିଲୋମିଟର ବନ୍ୟା ଜଳରେ ଜଣେ ଯୁବତୀ ଭାସି ଆସିବା ଓ ତାଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରିବା କୌଣସି ଚମତ୍କାରରୁ କମ୍ ନ ଥିଲା।

ଏହି ଖବର ପ୍ରଚାରିତ ହେବା ପରେ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ସୋନିକୁ ପ୍ରଥମେ ସହାୟତା ଯୋଗାଇ ଦେବାକୁ ଆଗେଇ ଆସିଥିଲେ। ସେ ତାଙ୍କୁ ସେତେବେଳେ ୧୦ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ସୋନି ମହାନଦୀର ବନ୍ୟାଜଳରୁ ଉଦ୍ଧାର ପାଇବା ପରେ ତାଙ୍କ ପରିବାର, ଗାଁକୁ ଛାଡ଼ି ତାଙ୍କୁ ନବଜନ୍ମ ଦେଇଥିବା କୁସମେଲ ଗାଁର ପାଳିତ ବାପା, ମା’ଙ୍କ ନିକଟରେ ରହିବାକୁ ଇଚ୍ଛାପ୍ରକାଶ କରିଥିଲା। ପ୍ରାଶାସନିକସ୍ତରରେ ସହମତି ପ୍ରକାଶ ପାଇବା ପରେ ପାଞ୍ଚ ବର୍ଷ ହେବ ସେ କୁସମେଲ ଗାଁର ଗେହ୍ଲି ଝିଅ ପାଲଟି ଯାଇଛନ୍ତି। ସୋନିକୁ ଏହି ଗାଁରୁ ମିଳିଛି ଅଜସ୍ର ସ୍ନେହ, ପ୍ରେମ ଓ ଭଲପାଇବା।

ଏହା ମଧ୍ୟରେ ସୋନି ୨୩ ବର୍ଷ ବୟସରେ ପାଦ ଥାପିଛନ୍ତି। ୨୧ ତାରିଖରେ ପାଳିତ ମା ଓ ବାପା’ ସୋନିଙ୍କ ବାହାଘର ପାଇଁ ପ୍ରସ୍ତୁତି ଜୋରସୋରରେ ଆରମ୍ଭ କରିଦେଇଛନ୍ତି। ଗରିବ ହେଲେ ମଧ୍ୟ ନିଜ ଭଙ୍ଗା ଦଦରା ଘରକୁ ସଫାସୁତୁରା ସହିତ ରଙ୍ଗ ଦେବାରେ ପରିବାର ସହିତ ପାଖ ପଡ଼ୋଶୀ ଲାଗି ପଡ଼ିଛନ୍ତି। ବାପା ସନ୍ନ୍ୟାସୀ ଝିଅ ବାହାଘର ଯେପରି ସୁରୁଖୁରୁରେ ହୋଇ ପାରିବ ସେଥିପାଇଁ ଦିନରାତି ଏକ କରି ଦେଇଛନ୍ତି। ପଡ଼ୋଶୀ ରାଜ୍ୟ ରାୟଗଡ ଜିଲ୍ଲା ଧରମଜୟଗଡ଼ ପୁରୁଷୋତ୍ତମ ସିଂହ ଯାଦବଙ୍କ ସହିତ ତାଙ୍କର ବାହାଘର ହେବାକୁ ଯାଉଛି। ଦୀର୍ଘ ପାଞ୍ଚ ବର୍ଷ ପରେ ସୋନି ବାହାଘର କଥା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୋନି ନିଜର ଖୁସି ପ୍ରକଟ କରିବା ସହିତ ପାଳିତ ବାପା ମା’ଙ୍କୁ ଛାଡ଼ି ଚାଲିଯିବାକୁ ନେଇ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ସୋନିଙ୍କ ବାହାଘରରେ ଯୋଗଦେବେ ବୋଲି ଆଲୋଚନା ହେଉଛି।

The post ୫ ବର୍ଷ ତଳେ ଛତିଶଗଡ଼ରୁ ମହାନଦୀରେ ଭାସି ଆସିଥିବା ସୋନିଙ୍କ ବିବାହ ୨୧ରେ, ପାଳିଥିବା ବାପା-ମା’ ଚଳାଇଛନ୍ତି ପ୍ରସ୍ତୁତି  first appeared on Sambad.

from ବିଶେଷ | Sambad https://ift.tt/3eeBZ4D

Post a Comment

0 Comments