
ନୂଆଦିଲ୍ଲୀ: ସମାଜରେ ମହିଳାଙ୍କ ଭୂମିକା ଅବର୍ଣ୍ଣୀୟ। ଆଜି ‘ଅନ୍ତର୍ଜାତୀୟ ମହିଳା ଦିବସ’ ଅବସରରେ ଛତିଶଗଡ଼ର ଅମ୍ବିକାପୁର ସହରର ଜଣେ ମହିଳା ଚର୍ଚ୍ଚାରେ ରହିଛନ୍ତି।
ତାରା ପ୍ରଜାପତି ନାମକ ଜଣେ ମହିଳା ନିଜ କୋଳରେ ପିଲାକୁ ଧରି ଅଟୋ ରିକ୍ସା ଚଲାଉଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସରେ ଆସନ୍ତୁ ଜାଣିବା ତାରା ପ୍ରଜାପତିଙ୍କ ସଂଘର୍ଷମୟ ଜୀବନ ବିଷୟରେ…

ଛୋଟ ପିଲାକୁ ସାଥୀରେ ଧରି ରିକ୍ସା ଚଲାଇବା ଏତେ ସହଜ ନୁହେଁ। ହେଲେ ତାରା ପ୍ରଜାପତି ଏହାକୁ କରି ଦେଖାଇଛନ୍ତି। ଆଉ ଗାଡ଼ି ଚଲାଇ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ନେବା ସମୟରେ ସେ ଶିଶୁର ଯଥାସମ୍ଭବ ଧ୍ୟାନ ବି ରଖି ଥାଆନ୍ତି। ଏଥିସହିତ ଘରୁ ବାହାରିବା ସମୟରେ ସେ ଶିଶୁ ପାଇଁ ପାଣିବୋତଲ ଓ ଖାଦ୍ୟ ଆଦିକୁ ଉକ୍ତ ଅଟୋ ରିକ୍ସାରେ ନେଇ ଆସି ଥାଆନ୍ତି।
ତାରା ତାଙ୍କ ସଂଘର୍ଷମୟ ଜୀବନ ବିଷୟରେ କହିବାକୁ ଯାଇ କୋହଭରା କଣ୍ଠରେ କହନ୍ତି, ‘ଅଭାବଗ୍ରସ୍ତ ଜୀବନକୁ ଆଗକୁ ବଢ଼ାଇବାକୁ ଅଟୋ ଚଲାଇବାକୁ ବାଧ୍ୟ ହୋଇଛି। ମୁଁ ଦ୍ବା୍ଦଶ ଶ୍ରେଣୀ ଯାଏଁ ପାଠ ପଢ଼ିଛି। ୧୦ବର୍ଷ ପୂର୍ବେ ବିବାହ ହୋଇଥିଲା। ସେବେ ଠାରୁ ପରିବାରର ଆର୍ଥିକସ୍ଥିତି ଠିକ ନାହିଁ। ସ୍ବାମୀ ଅଟୋ ଚଲାନ୍ତି। ଜଣକଙ୍କ ରୋଜଗାରରେ ପରିବାର ଚଳିବା ବହୁତ କଷ୍ଟ ହେଉଥିଲା।

ତେଣୁ ବାଧ୍ୟ ହୋଇ ମୁଁ କାମ କରିବାକୁ ଘରୁ ପାଦ କାଢ଼ିଥିଲି। ଆଉ ନିଜେ ଅଟୋ ଚଲାଇବା ଶିଖିଥିଲି। ପରିବାର ଆର୍ଥିକସ୍ଥିତି ଠିକ କରିବା ସହିତ ପିଲାଙ୍କ ପାଠପଢ଼ା ପାଇଁ ଅଟୋ ଚଲାଉଛି। ଛୋଟଛୋଟ ଆବଶ୍ୟକକୁ ପୂରା କରିବା ପାଇଁ ଆଜି ବି ବହୁତ ସଂଘର୍ଷ କରିବାକୁ ହେଉଛି।’
The post ପେଟକୁ ଦୁଇମୁଠା ଦାନା ଦେବା ପାଇଁ କଅଁଳ ଶିଶୁକୁ କୋଳରେ ଧରି ଅଟୋ ଚଲାଉଛନ୍ତି ଏହି ମା’ first appeared on Sambad.
from ବିଶେଷ – Sambad https://ift.tt/3bsudE4
0 Comments