
ମୁମ୍ବାଇ: ଡାଏଲିସିସ, ଏହି ପ୍ରକ୍ରିୟାଟି କିଡନି ସମସ୍ୟା ଥିବା ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହୃତ ହୋଇଥାଏ | ଆଉ ବାରମ୍ବାର ଡାଏଲିସିସ କରିବାକୁ ପଡୁଥିବାରୁ ଅଧିକାଂଶ ରୋଗୀଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡିଥାଏ | ତେବେ ରୋଗୀଙ୍କୁ ସ୍ୱଳ୍ପ ମୂଲ୍ୟରେ ଡାଏଲିସିସ ସୁବିଧା ଯୋଗାଇଦେବାକୁ ଏବେ ସହଯୋଗର ହାତ ବଢ଼ାଇଛନ୍ତି ମୁମ୍ବାଇର ଯୁବକ ଶଶାଙ୍କ ମୋଧୀଆ | ଶଶାଙ୍କ ଦି ରୀନଲ ପ୍ରୋଜେକ୍ଟ ନାମରେ ଏକ ଷ୍ଟାର୍ଟଅପ ଜରିଆରେ କିଡନି ଡାଏଲିସିସ କରୁଥିବା ରୋଗୀଙ୍କ ପାଇଁ ଦେବଦୁତ ପାଲଟିଛନ୍ତି | କରୋନା ମହାମାରୀ ସମୟରେ ହୋଇଥିବା ଲକଡାଉନବେଳେ ଯେତେବେଳେ ଅଧିକାଂଶ ରୋଗୀ କିଡନି ଡାଏଲିସିସ କରିପାରୁନଥିଲେ, ସେତେବେଳେ ଶଶାଙ୍କଙ୍କ ଏହି ଷ୍ଟାର୍ଟଅପ ବେଶ ସହାୟକ ହୋଇଥିଲା |
ଶଶାଙ୍କ ୨୦୧୯ ମସିହାରେ ଦି ରୀନଲ ପ୍ରୋଜେକ୍ଟ ଷ୍ଟାର୍ଟଅପକୁ ଆରମ୍ଭ କରିଥିଲେ | ଏହା ପୂର୍ବରୁ ଶଶାଙ୍କ ଆମେରିକାରେ ଏକ କମ୍ପାନୀରେ କାମ କରୁଥିଲେ ଯାହାକି ରୋଗୀଙ୍କୁ କମ ଦାମରେ ହେମୋଡାଏଲିସିସ ସୁବିଧା ଯୋଗାଉଥିଲା | ଶଶାଙ୍କ ଆମେରିକାର ଟେକସାସରେ ବାୟୋମେଡିକାଲ ଇଂଜିନିୟରିଂରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ | ଆଉ ୧୨ ବର୍ଷ ଧରି ସେଠାରେ ଚାକିରି କରିବା ପରେ ସେ ଅନୁଭବ କରିଥିଲେ ଯେ ଭାରତରେ ଅଧିକାଂଶ ରୋଗୀ ହେମୋଡାଏଲିସିସର ସୁବିଧା ପାଇପାରୁନାହାନ୍ତି | ଅଧିକାଂଶ ରୋଗୀ ଖର୍ଚ୍ଚାନ୍ତ ହୋଇ ଦୂରରେ ଥିବା ମେଡିକାଲକୁ ଆସିବାକୁ ପସନ୍ଦ କରୁନଥିବାରୁ ଶଶାଙ୍କ ଭାରତରେ କିଭଳି ସ୍ୱଳ୍ପ ମୂଲ୍ୟରେ ଡାଏଲିସିସ ସୁବିଧା ଯୋଗାଇ ହେବ ସେ ନେଇ ଭାବିଥିଲେ |
ଆଉ ଆମେରିକାରେ ଚାକିରି ଛାଡି ଶଶାଙ୍କ ଭାରତ ଆସି ଏହି ଷ୍ଟାର୍ଟଅପକୁ ଆରମ୍ଭ କରିଥିଲେ | ଶଶାଙ୍କଙ୍କ କହିବା ମୁତାବକ ହେମୋଡାଏଲିସିସ ପାଇଁ ଥରକରେ ୧୭୦୦ ଟଙ୍କାରୁ ୪ ହଜାର ଟଙ୍କା ଖର୍ଚ୍ଚ ହେଉଥିବାବେଳେ ବାର୍ଷିକ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ | ଆଉ ଷ୍ଟାର୍ଟଅପ ମାଧ୍ୟମରେ ହେମୋଡାଏଲିସିସ ପାଇଁ ଥରକରେ ୭୨୫ ଟଙ୍କାରୁ ୧୪୦୦ ଟଙ୍କା ଯାଏଁ ନିଆଯାଇଥାଏ | ଯାହାକି ୪୦ ପ୍ରତିଶତ କମିଯାଇଥାଏ | ବର୍ତ୍ତମାନ ଶଶାଙ୍କଙ୍କ ଏହି ଷ୍ଟାର୍ଟଅପ ମୁମ୍ବାଇ ଛଡା ଥାନେ, ପୁନେ, ନାସିକ ଓ ନାଗପୁରରେ କାର୍ଯ୍ୟ କରୁଛି |
The post ଆମେରିକାରୁ ଚାକିରି ଛାଡି କିଡନି ରୋଗୀଙ୍କୁ ଅଧା ଦାମରେ ଡାଏଲିସିସ ସୁବିଧା ଯୋଗାଉଛନ୍ତି ଏହି ଯୁବକ first appeared on Sambad.
from ବିଶେଷ – Sambad https://ift.tt/2PKxR3D
0 Comments