
କେନ୍ଦୁଝର: କରୋନା ବେଳେ ସବୁ ପଞ୍ଚାୟତରେ ଖୋଲିଲା ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ବା ଟିଏମସି। ଏହି ଟିଏମ୍ସିରେ ରାଜ୍ୟ ବାହାରୁ ଆସୁଥବା ବାସିନ୍ଦାଙ୍କ ରହିବା ପାଇଁ ବେଡ୍, ବେଡ୍ସିଟ୍, ତକିଆ, ଚେୟାର ଆଦି କିଣା ଯାଇଥିଲା। ଇତିମଧ୍ୟରେ ଏହି ଟିଏମ୍ସି ସେଣ୍ଟର ବନ୍ଦ ହେବାକୁ ପ୍ରାୟ ୭ ମାସରୁ ଊର୍ଦ୍ଧ୍ବ ହେଲାଣି। ମାତ୍ର ଏଠାରେ ଥିବା ବେଡ଼୍, ବେଡ୍ସିଟ୍ ଏବଂ ଚେୟାର ଆଦିର ହିସାବ କାହା ପାଖରେ ନାହିଁ।
କେନ୍ଦୁଝର ଜିଲ୍ଲାର ୧୩ଟି ବ୍ଲକ ମଧ୍ୟରୁ ଆନନ୍ଦପୁର ବ୍ଲକରେ ମୋଟ ୧୮ଟି ପଞ୍ଚାୟତରେ ଗୋଟିଏ ଲେଖାଏଁ ଟିଏମ୍ସି ସେଣ୍ଟର ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଆବଶ୍ୟକତା ଅନୁସାରେ ଆହୁରି ଅଧିକ ୩୭ଟି ଟିଏମ୍ସି ସେଣ୍ଟର ଖୋଲିଥିଲା। ସଦର ବ୍ଲକ ଅନ୍ତର୍ଗତ ରାଇକଳା ପଞ୍ଚାୟତର ଟିଏମ୍ସି ସେଣ୍ଟର ରାଇକଳା ନୋଡାଲ ହାଇସ୍କୁଲରେ ଆରମ୍ଭ କରାଯାଇଥିଲା। ଏଥିପାଇଁ ୧୧୦ଟି ବେଡ୍, ୨୨୦ଟି ବେଡ୍ସିଟ୍, ୧୧୦ଟି ତକିଆ, ୨୨୦ଟି ତକିଆ ଖୋଳ, ୧୧୦ଟି ଡଷ୍ଟବିନ୍, ୧୧୦ଟି ପାପୋଛ, ୧୧୦ଟି ବାଲଟି, ୧୧୦ଟି ମଗ୍ ସମେତ ବ୍ରସ, ପେଷ୍ଟ୍, ସାନିଟାଇଜର, ଇନଭର୍ଟର, ୱାଟର ପ୍ୟୁରିଫାୟାର, ସାବୁନ ଆଦି କିଣାଯାଇଥିଲା।
ଗତବର୍ଷ ଅଗଷ୍ଟ ମାସରୁ ଏହି ଟିଏମ୍ସି ସେଣ୍ଟର ବନ୍ଦ ହେବା ପରେ ଏଠାକାର ପ୍ରଥମ ସମସ୍ୟା ହେଲା ଏହି ସବୁ ସାମଗ୍ରୀକୁ ସୁରକ୍ଷିତ ରଖିବା। ଏହି ଟିଏମ୍ସି ସେଣ୍ଟର ବନ୍ଦ ହେବାପରେ ପ୍ରଥମେ ଏଠାରୁ ଇନ୍ଭର୍ଟର ଏବଂ ୱାଟର ପ୍ୟୁରିଫାୟାର ଚୋରି ହୋଇଗଲା। ଦୀର୍ଘଦିନ ଖୋଜାଖୋଜି କରିବା ପରେ ଶେଷକୁ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ପକ୍ଷରୁ ସଦର ଥାନାରେ ମାମଲା ରୁଜୁ ହେଲା ପରେ ଚୋର ଧରା ପଡ଼ିଲା ଏବଂ ଏହି ସାମଗ୍ରୀ ଫେରି ଆସିଲା। ଏହି ଦୁଇଟି ସାମଗ୍ରୀ ସିନା ଫେରି ଆସିଲା, ମାତ୍ର ଏଠାରେ ଏବେ ବି ଏତେ ସଂଖ୍ୟକ ସାମଗ୍ରୀ ରଖିବା ପାଇଁ ପଞ୍ଚାୟତ ପାଇଁ ସବୁଠୁ ବଡ଼ ସମସ୍ୟା ଉପୁଜୁଛି। ଏଠାରେ ଥିବା ବେଡ୍ଗୁଡିକୁ ସ୍ଥାନୀୟ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଗୃହରେ ରଖାଯାଇଥିଲା। ମାତ୍ର ସେଠାରେ ସ୍ଥାନାଭାବରୁ ଘର ବାହାର ବାରଣ୍ଡାରେ ପଡ଼ିଛି ଏହି ସବୁ ସାମଗ୍ରୀ। ଯାହାର ହିସାବ କାହା ପାଖରେ ନାହିଁ।
ଖାଲି ରାଇକଳା ନୁହେଁ, ଆଜି ନେଲୁଙ୍ଗ ପଞ୍ଚାୟତର ଟିଏମ୍ସି ସେଣ୍ଟର ପରିଦର୍ଶନ ବେଳେ ସେମିତି ପରିସ୍ଥିତି ଦେଖିବାକୁ ମିଳିଥିଲା। ଏଠାରେ ଅଧିକାଂଶ ସାମଗ୍ରୀ ନ ଥିବା ସ୍ଥାନୀୟ ପଞ୍ଚାୟତବାସୀ ସୂଚନା ଦେଇଛନ୍ତି। ଡିମ୍ବୋ ପଞ୍ଚାୟତର ଟିଏମ୍ସି ସେଣ୍ଟର ପରିଦର୍ଶନ ବେଳେ ବେଡ୍ ନ ଥିବା ଦେଖିବାକୁ ମିଳିଥିଲା। ପଞ୍ଚାୟତ କାର୍ଯ୍ୟାଳୟରେ ମାତ୍ର ୬ଟି ବେଡ଼୍ ରହିଥିବା ଦେଖିବାକୁ ମିଳିଲା। ଏ ସଂପର୍କରେ ଡିମ୍ବୋ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ କ୍ଷେତ୍ରବାସୀ ଜେନାଙ୍କୁ ପଚାରିବାରୁ ସେ କହିଥିଲେ ଯେ ସବୁ ବେଡ୍ ସୁରକ୍ଷିତ ଅଛି। କିନ୍ତୁ ପଞ୍ଚାୟତ କାର୍ଯ୍ୟାଳୟରେ ବେଡ଼୍ ନ ଥିବା ସଂପର୍କରେ ପଚାରିବାରୁ ନିକଟସ୍ଥ ହାଇସ୍କୁଲରେ ରହିଥିବା ନେଇ ସଫେଇ ଦେଇଥିଲେ।
ଭଦ୍ରକ: ମହାମାରୀ କୋଭିଡ୍ ମୁକାବିଲା ପାଇଁ ଭଦ୍ରକ ଜିଲ୍ଲାରେ ପାଣି ଭଳି ଟଙ୍କା ଖର୍ଚ୍ଚ କରାଯାଇଥିଲା। ପ୍ରବାସୀଙ୍କୁ ପଞ୍ଚାୟତ ଓ ସହରାଞ୍ଚଳରେ ଟିଏମ୍ସି (ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର), ସିସିସି (କୋଭିଡ୍ କେୟାର ସେଣ୍ଟର)ରେ ରଖିବାର ବ୍ୟବସ୍ଥା କରିଥିଲେ ସରକାର। ଏଥିପାଇଁ ଖଟ, ଫ୍ୟାନ୍, ଇନଭର୍ଟର୍, ସପ, ତକିଆ, ବେଡସିଟ୍, ପ୍ଲାଷ୍ଟିକ ବାଲ୍ଟି, ମଗ୍, ବିଦ୍ୟୁତ୍ ବଲବ, ଟର୍ଚ୍ଚ ଲାଇଟ୍ ଆଦି କିଣାଯାଇଥିବା ବେଳେ ଏସବୁ ସାମଗ୍ରୀ ବର୍ତ୍ତମାନ ଖୋଜିଲେ ଆଉ ମିଳୁନି। କେବଳ ଅଳ୍ପ କେତୋଟି ଭଙ୍ଗାଖଟ, ଫ୍ୟାନ୍, ଅଚଳ ଇନଭର୍ଟର ପଞ୍ଚାୟତ ଗୋଦାମ ଘରେ ଖତ ଖାଉଛି। ଲକ୍ଷାଧିକ ଟଙ୍କା ବ୍ୟୟରେ କିଣାଯାଇଥିବା ଏସବୁ ସାମଗ୍ରୀର ହିସାବ ମଧ୍ୟ କାହା ପାଖରେ ନାହିଁ।
ଭଦ୍ରକ ଜିଲ୍ଲାରେ ପ୍ରାୟ ୨୦ ହଜାରରୁ ଅଧିକ ପ୍ରବାସୀ ଟିଏମ୍ସି କେନ୍ଦ୍ରରେ ରହିଥିବା ବେଳେ ସଙ୍ଗରୋଧ ସମୟରେ ସେମାନଙ୍କ ରହିବା, ଖାଇବାଠୁ ଆରମ୍ଭ କରି ସବୁ କଥା ବୁଝିଥିଲେ ସରକାର। ଏବେ ଆଉ ଜିଲ୍ଲାରେ ଆଉ ଟିଏମ୍ସି ନାହିଁ କି ସିସିସି ନାହିଁ। କୋଭିଡ୍ କେୟାର ହସ୍ପିଟାଲ ବି ବନ୍ଦ। କିନ୍ତୁ କୋଭିଡ୍ ପରିଚାଳନା ପାଇଁ ଜିଲ୍ଲାରେ ଖର୍ଚ୍ଚ ହୋଇଥିବା କୋଟି କୋଟି ଟଙ୍କାର ହିସାବ ମିଳିପାରୁନାହିଁ। ଜିଲ୍ଲା ପ୍ରଶାସନ ମଧ୍ୟ ଏ ଦିଗରେ ମୁଣ୍ଡକାନ ଖେଳାଉନାହିଁ। ଅଧିକାଂଶ ସାମଗ୍ରୀର ପତ୍ତା ମିଳୁନଥିବାବେଳେ କିଛି ଭଙ୍ଗା ଖଟ, ଅଚଳ ଫ୍ୟାନ୍, ଇନଭର୍ଟରକୁ ଆଣି ପଞ୍ଚାୟତ ଗୋଦାମ ଘରେ ରଖି ଦାୟିତ୍ବ ସାରିଛନ୍ତି ପଞ୍ଚାୟତ ମୁଖିଆ। ପ୍ରକାଶଥାଉକି, ଜିଲ୍ଲାର ୭ଟି ବ୍ଲକରେ ମୋଟ୍ ୬୩୧ଟି ଟିଏମ୍ସି ଖୋଲା ଯାଇଥିବା ବେଳେ ୮ ଟି କୋଭିଡ୍ କେୟାର ସେଣ୍ଟର ଓ ଗୋଟିଏ କୋଭିଡ୍ ହସପିଟାଲ୍ ଖୋଲାଯାଇଥିଲା।
ପଞ୍ଚାୟତ ସରପଞ୍ଚମାନଙ୍କୁ ଏ ସଂପର୍କରେ ପଚାରିଲେ ଅଜବ ଉତ୍ତର ମିଳୁଛି। ଟିଏମ୍ସି କେନ୍ଦ୍ର ବନ୍ଦ ହେବା ପରେ ସ୍କୁଲ ଘର ସାନିଟାଇଜ୍ କରାଗଲା। ପ୍ରବାସୀଙ୍କ ପାଇଁ କିଣାଯାଇଥିବା ସପ, ତକିଆ, ବେଡସିଟ୍, ପ୍ଲାଷ୍ଟିକ ବାଲଟି, ମଗ୍, ବିଦ୍ୟୁତ ବଲବ୍, ଟର୍ଚ୍ଚ ଲାଇଟ୍ ସବୁ କିଏ କୁଆଡେ ନେଇଗଲେ। ଏସବୁ ସାମଗ୍ରୀକୁ ପ୍ରବାସୀ ବ୍ୟବହାର କରିଥିବାରୁ ଏହାକୁ ରଖିବା ମଧ୍ୟ ସମ୍ଭବପର ନୁହେଁ ବୋଲି କିଛି ସରପଞ୍ଚ ମତ ଦେଇଛନ୍ତି। କେତେକ ସ୍ଥାନରେ ଏହାକୁ ନଷ୍ଟ କରି ଦିଆଯାଇଥିବା ବେଳେ ଆଉ କିଛି ସ୍ଥାନରେ ପ୍ରବାସୀମାନେ ଗଲାବେଳେ ନେଇ ଯାଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି।
The post ଟିଏମ୍ସି ସେଣ୍ଟର ଅବସ୍ଥା ଏମିତି, ବେଡ୍ ନାହିଁ କି ବେଡସିଟ୍ ନାହିଁ! first appeared on Sambad.
from ବିଶେଷ – Sambad https://ift.tt/3qC1GzW
0 Comments