
କେନ୍ଦ୍ରାପଡ଼ା: ମହାମାରୀ କୋଭିଡ୍ ମୁକାବିଲା ଲାଗି ପ୍ରତି ପଞ୍ଚାୟତରେ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର(ଟିଏମ୍ସି) ଖୋଲାଗଲା। ଖଟଠୁ ନେଇ ଗଦି, ବେଡସିଟ୍, ତକିଆ, ଫ୍ୟାନ୍, ଆକ୍ବାଗାର୍ଡ, ବାଲ୍ଟି କିଣାଗଲା। ହେଲେ କୋଭିଡ୍ ପ୍ରକୋପ କମିବା ପରେ ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ଯେଉଁ ସବୁ ଭିତ୍ତିଭୂମି ସୃଷ୍ଟି କରାଯାଇଥିଲା, ସେଥିରୁ ଅଧାରୁ ଅଧିକ ଜିନିଷ ଏବେ ନାହିଁ। ବେଡସିଟ୍, ତକିଆ, ବାଲ୍ଟି, ମଗ ଇତ୍ୟାଦି ସ˚ପୂର୍ଣ୍ଣ ଗାଏବ୍। ସ˚ଗରୋଧରେ ରହିଥିବା ପ୍ରବାସୀମାନେ ଏ ସବୁ ନେଇଯାଇଥିବା କୁହାଯାଉଥିବା ବେଳେ ଖଟ, ଗଦି କିନ୍ତୁ ପ˚ଚାୟତ ଗୋଦାମ ଅଥବା ସ୍କୁଲ୍ ଘରେ ଖତ ଖାଉଥିବା ଦେଖିବାକୁ ମିଳିଛି। ଅଥଚ, ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନେଉ ନ ଥିବାରୁ ଏହା ନଷ୍ଟ ହେବ ନା ଅନ୍ୟତ୍ର ବ୍ୟବହାର କରାଯିବ, ତାକୁ ନେଇ ପ୍ରଶ୍ନ ଉଠୁଛି।
କେନ୍ଦ୍ରାପଡ଼ାରେ ପ୍ରଥମ କରୋନା ରୋଗୀ ୨୦୨୦, ଏପ୍ରିଲ୍ ୬ତାରିଖରେ ଆଳି ଅ˚ଚଳରୁ ଚିହ୍ନଟ ହୋଇଥିଲା। ଏହାପରେ ପ୍ରଶାସନିକ ତତ୍ପରତା ବଢ଼ିବା ସହିତ ସରକାରଙ୍କ ନିଷ୍ପତ୍ତିକ୍ରମେ ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ ଏକାଧିକ ଟିଏମ୍ସି ଖୋଲାଯାଇଥିଲା। ପ୍ରଶାସନର ରେକର୍ଡ ମୁତାବକ, ଜିଲ୍ଲାରେ ସମୁଦାୟ ୧୦୨୭ଟି ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଖୋଲାଯାଇଥିଲା। କିନ୍ତୁ ସେଥିରୁ ୯୯୯ଟି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଥିଲା ଏବ˚ ଏଥିରେ ୪୫ହଜାର ୫୪୧ବେଡ୍ ପକାଯାଇଥିଲା। ମୋଟ୍ ୫୪ହଜାର ୨୧୮ପ୍ରବାସୀ ଏ ସବୁ କେନ୍ଦ୍ରରେ ସ˚ଗରୋଧରେ ରହିଥିଲେ। ପଟ୍ଟାମୁଣ୍ତାଇ ବ୍ଲକ୍କୁ ସର୍ବାଧିକ ୮୪୭୯ ପ୍ରବାସୀ ଆସିଥିବା ବେଳେ ଗରଦପୁର ବ୍ଲକ୍କୁ ସବୁଠୁ କମ୍ ୩୯୧୮ ଆସିଥିବା ରେକର୍ଡ କହୁଛି। ହେଲେ ଏବେ ବଡ଼ ପ୍ରଶ୍ନ ଉଠିଲାଣି ଯେ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ଯେଉଁ ସବୁ ଖଟ, ତକିଆ, ବେଡସିଟ୍, ବାଲ୍ଟି, ଫ୍ୟାନ୍ ଇତ୍ୟାଦି କିଣାଯାଇଥିଲା, ସେ ସବୁ ଗଲା କୁଆଡେ଼? ପଞ୍ଚାୟତ ଅଧିକାରୀଙ୍କ ହେପାଜତରେ ଅଛି ନା ଜିଲ୍ଲାପାଳଙ୍କ କ୍ଷମତା ପାଇଥିବା ସରପଞ୍ଚ ମାନେ ରଖିଛନ୍ତି? ଅନେକ ପଞ୍ଚାୟତରେ ଏ ସବୁ ସାମଗ୍ରୀ ଗାଏବ୍ ହୋଇଯାଇଥିବା ଅଭିଯୋଗ ସାମ୍ନାକୁ ଆସିଲାଣି। ଏହାର ବାସ୍ତବ ଚିତ୍ର ପରଖିବା ପାଇଁ ଆମେ କେନ୍ଦ୍ରାପଡ଼ା ବ୍ଲକ୍ର ଶ୍ୟାମସୁନ୍ଦରପୁର, ମହାକାଳପଡ଼ାର ମଙ୍ଗଳପୁର, ବରକନ୍ଧା, ପେଟଛେଲା, ରାମନଗର ଆଦି ପ˚ଚାୟତ ବୁଲିଥିଲୁ। କିନ୍ତୁ ସବୁଠି ଖଟ ସ୍କୁଲ୍ ଘର ଅଥବା ପଞ୍ଚାୟତ ଘରେ ପଡ଼ିଥିବା ବେଳେ ଗଦି କିନ୍ତୁ ସେହି ପରିମାଣର ନାହିଁ। ବେଡସିଟ୍, ତକିଆ, ବାଲ୍ଟି ଇତ୍ୟାଦି ତ ଆଦୌ ଦେଖିବାକୁ ମିଳିଲା ନାହିଁ। କେବଳ ସେତିକି ନୁହେଁ, ଟିଏମ୍ସି କେନ୍ଦ୍ର ଯୋଗୁ କେନ୍ଦ୍ରାପଡ଼ା ସାନମାଣତିଆ ପ˚ଚାୟତ ଜରିଆବାଡ଼ ସ୍କୁଲ୍ ପରି ଅନେକ ସ୍କୁଲ୍ର ବେଞ୍ଚ, ଟେବୁଲ୍ ଭା˚ଗିରୁଜି ଯାଇଥିବାରୁ ପିଲମାନେ କିଭଳି ପାଠ ପଢ଼ିବେ ବୋଲି ପ୍ରଶ୍ନ ଉଠୁଛି।
ଅନ୍ୟପକ୍ଷରେ ଶ୍ୟାମସୁନ୍ଦରପୁର ସରପଞ୍ଚ ପୁଷ୍ପଲତା ସେନାପତିଙ୍କ କହିବା କଥା ହେଉଛି ତାଙ୍କ ପଞ୍ଚାୟତରେ ମୋଟ୍ ୧୨୫ଟି ବେଡ୍ ଓ ଗଦି ପକାଯାଇଥିଲା। ସେସବୁ ଏବେବି ଶ୍ୟାମସୁନ୍ଦରପୁର ୟୁପି ସ୍କୁଲ୍ର ଗୋଟିଏ ଘରେ ସାଇତା ହୋଇ ରହିଛି। କିନ୍ତୁ ବେଡସିଟ୍, ତକିଆ, ବାଲ୍ଟି ଇତ୍ୟାଦି ପ୍ରବାସୀ ମାନେ ନେଇ ଯାଇଛନ୍ତି। ସେ ସମୟରେ ତାଙ୍କୁ କେହି ଛୁଉଁନଥିଲେ। ଏହାର ସୁଯୋଗରେ ସେମାନେ ଏ ସବୁ ନେଇ ପଳାଇଲେ।
ଅନ୍ୟପକ୍ଷରେ ଡିଆର୍ଡିଏ ପିଡି ଦିଲ୍ଲୀପ ପରିଡ଼ା କହିଛନ୍ତି ଯେ ବେଡ୍ସିଟ, ତକିଆ, ବାଲ୍ଟି ଇତ୍ୟାଦି ନାହିଁ। ପ୍ରବାସୀ ମାନେ ଗଲା ବେଳେ ଏ ସବୁ ନେଇ ଯାଇଛନ୍ତି। କିନ୍ତୁ ଖଟ ଓ ଗଦି ପ˚ଚାୟତଵାରୀ ତାଲିକା କରାଯାଇ ରଖାଯାଇଛି। ଯେଉଁ ପଞ୍ଚାୟତରେ ତାଲିକା ସ˚ଖ୍ୟାଠୁ ଯଦି କମ୍ ବାହାରିବେ, ତେବେ ସେଥିପାଇଁ ଭିଏଲ୍ଡବ୍ଲୁ, ସରପଞ୍ଚ ଦାୟୀ ରହିବେ। ତା ଛଡ଼ା ଏହାର ବ୍ୟବହାର ସ˚ପର୍କରେ ଜିଲ୍ଲାପାଳ ହିଁ ନିଷ୍ପତ୍ତି ନେବେ ବୋଲି ଶ୍ରୀ ପରିଡ଼ା କହିଛନ୍ତି।
The post ଟିଏମ୍ସି ବନ୍ଦ ପରେ କେନ୍ଦ୍ରାପଡ଼ା ସ୍ଥିତି ଏମିତି: ଖତ ଖାଉଛି ଖଟ; ତକିଆ, ବେଡସିଟ୍ ଗାଏବ୍ first appeared on Sambad.
from ବିଶେଷ – Sambad https://ift.tt/30xLo0s
0 Comments