ବାଙ୍ଗରା ବୀର

ସାର‌୍‌ ଜେଫ୍ରି ହଡ୍‌ସନ୍‌ ବ୍ରିଟେନ୍‌ ଇତିହାସର ବାଙ୍ଗରା ଦ୍ବନ୍ଦ୍ବ-ଯୋଦ୍ଧା ଭାବେ ପ୍ରସିଦ୍ଧ। ରଟ୍‌ଲାଣ୍ତ୍‌ ଅନ୍ତର୍ଗତ ଓକ୍‌ହାମ୍‌ ଜନ୍ମିତ ଜେଫ୍ରି ନଅ ବର୍ଷ ବୟସରେ ତତ୍‌କାଳୀନ ଡିଉକ୍‌ ଅଫ୍‌ ବକି˚ହାମ୍‌ ଜର୍ଜ‌୍‌ ଭିଲର୍ସ‌୍‌ଙ୍କ ବ୍ୟକ୍ତିଗତ ପରିଚାରକ ଭାବେ କର୍ମମୟ ଜୀବନ ଆରମ୍ଭ କରିଥିଲେ। ସେତେ ବେଳକୁ ତାଙ୍କ ଉଚ୍ଚତା ଥିଲା ମାତ୍ର ଅଠର ଇଂଚ୍‌। ସେ ଅଚିରେ ଡଚେସ୍‌ଙ୍କର ପ୍ରିୟଭାଜନ ହେଇପାରିଥିଲେ। ତେବେ, ଡିଉକ୍‌ଙ୍କ ଘରେ ସେ ବେଶି ଦିନ ରହିପାରି ନ ଥିଲେ।

ବ୍ରିଟେନ୍‌ର ରାଜା ପ୍ରଥମ ଚାର୍ଲ‌୍‌ସଙ୍କ ବିବାହ ପରର କଥା। ଏକ ରାଜକୀୟ ଭୋଜିରେ ଡିଉକ୍‌ ଓ ଡଚେସ୍‌, ନୂଆ ରାଣୀ ହେନ୍‌ରିଏଟା ମାରିଆଙ୍କୁ ଉପହାର ସ୍ବରୂପ ଭେଟିଦେଇଥିଲେ ଜେଫ୍ରିଙ୍କୁ। ମାରିଆ ବି ତାଙ୍କୁ ପସନ୍ଦ କରିଥିଲେ। ସେ ସର୍ବଦା ରାଣୀଙ୍କ ପାଖେପାଖେ ରହୁଥିଲେ। ଅସ୍ତ୍ରଚାଳନା ଆଦି ଶିକ୍ଷା କରିଥିଲେ। ବାଙ୍ଗରା ଆକାର ସତ୍ତ୍ବେ ସେ ତରବାରି ଓ ଆଗ୍ନେୟାସ୍ତ୍ର ଚାଳନା ବିଦ୍ୟାରେ ପାରଙ୍ଗମ ହୋଇପାରିଥିଲେ। ଦ୍ବନ୍ଦ୍ବ ଯୁଦ୍ଧ ଲଢ଼ୁଥିଲେ। ୧୬୪୦ର ବ୍ରିଟିସ୍‌ ଗୃହ ଯୁଦ୍ଧ ବେଳେ ସେ ଚାର୍ଲ‌୍‌ସଙ୍କ ସପକ୍ଷରେ ସୈନ୍ୟ ପରିଚାଳନା କରି ନାଇଟ୍‌ ଉପାଧି ଲାଭକରିଥିଲେ

ତାଙ୍କୁ ଯେତେ ବେଳେ ପଚିଶ ବର୍ଷ ବୟସ, ଦୁର୍ଭାଗ୍ୟବଶତଃ ସେ ଜଳଦସ୍ୟୁଙ୍କ ହାତରେ ବନ୍ଦୀ ହେଇଥିଲେ। ସେମାନେ ତାଙ୍କୁ ଉତ୍ତର ଆଫ୍ରିକାରେ ବିକିଦେଇଥିଲେ। କ୍ରୀତଦାସ ଭାବେ ସେ ପ୍ରାୟ ପଚିଶ ବର୍ଷ କଟାଇଥିବା ଜଣାଯାଏ। ଶେଷରେ ତାଙ୍କୁ ମୁକ୍ତି ମିଳିଥିଲା। ୧୬୮୨ରେ ତେଷଠି ବର୍ଷ ବୟସରେ ଜେଫ୍ରି ମୃତ୍ୟୁବରଣ କରିଥିଲେ। ସେତେ ବେଳକୁ ତାଙ୍କ ଉଚ୍ଚତା ୩ ଫୁଟ୍‌ ୯ ଇଂଚ୍‌ ଥିଲା।

The post ବାଙ୍ଗରା ବୀର first appeared on Sambad.



from ବିଶେଷ – Sambad https://ift.tt/3v3Yh0w

Post a Comment

0 Comments