
ଡେରାଡୁନ୍: ଚଳିତମାସ ୭ ତାରିଖରେ ଉତ୍ତରାଖଣ୍ଡରେ ହୋଇଥିବା ବନ୍ୟାରେ ନିଜ ଜୀବନ ହରାଇଥିବା ଜଣେ ବ୍ୟକ୍ତିଙ୍କର ୪ ଝିଅଙ୍କ ଦାୟିଦ୍ବ ନେଇ ପୁଣି ଚର୍ଚ୍ଚାରେ ବଲିଉଡ୍ ଅଭିନେତା ସୋନୁ ସୁଦ୍। ଜାଣିବାକୁ ମିଳିଛି କି ଉତ୍ତରାଖଣ୍ଡର ତେହରି ଜିଲ୍ଲାର ଲୟାଲ ଗ୍ରାମର ଆଲମ୍ ସିଂହ ପୁନ୍ଦିର(୪୫) ତପୋବନ ଜଳ ବିଦ୍ୟୁତ୍ ପ୍ରକଳ୍ପରେ ଜଣେ ବିଦ୍ୟୁତ୍କର୍ମୀ ଭାବେ କାର୍ଯ୍ୟ କରୁଥିଲେ। ନିକଟରେ ଗ୍ଲାସିୟର ଫାଟିବା ଯୋଗୁଁ ହୋଇଥିବା ବନ୍ୟାରେ ତାଙ୍କ ଜୀବନ ଚାଲିଯିବା ପରେ ନିଃସହାୟ ହୋଇ ପଡ଼ିଥିଲେ ବିଧବା ପତ୍ନୀ ଓ ତାଙ୍କର ୪ ଝିଅ। ସେମାନଙ୍କୁ ଏବେ ସହାୟତାର ହାତ ବଢ଼ାଇ ୪ ଝିଅଙ୍କ ଖାଇବା, ପିଇବାରୁ ନେଇ ସମସ୍ତ ପଢ଼ା ଖର୍ଚ୍ଚ ନିଜ ମୁଣ୍ଡକୁ ନେଇଛନ୍ତି ସୋନୁ।
ସୋନୁଙ୍କର ଏହି ବଡ଼ପଣ ସଂପର୍କରେ ଗାଁର ମୁଖିଆ କହନ୍ତି, ‘ପିଲାମାନଙ୍କର ପଢ଼ା ଖର୍ଚ୍ଚ ସହ ପରିବାରର ଅନ୍ୟ ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ସେନୁ ସୁଦଙ୍କ ଟିମ୍ ଆମକୁ ପ୍ରତିଶ୍ରୁତି ଦେଇଛନ୍ତି। ତାଙ୍କ ଉପରେ ଆମ ସମସ୍ତଙ୍କ ଆଶୀର୍ବାଦ ଓ ଶୁଭେଚ୍ଛା ରହିଛି।’
ମୃତ ଆଲମ୍ ସିଂହଙ୍କ ୪ ଝିଅ ହେଉଛନ୍ତି ଆଞ୍ଚଲ୍(୧୪), ଅନ୍ତରା(୧୧), କାଜଲ(୮) ଏବଂ ଅନନ୍ୟା(୨)। ସୋନୁଙ୍କ ଏହି ମହତ୍କାର୍ଯ୍ୟ ପାଇଁ ମୃତ ଆଲାମ୍ଙ୍କ ପରିବାର ଲୋକ ତାଙ୍କୁ ଅନ୍ତରରୁ ଧନ୍ୟବାଦ ଜଣାଇଛନ୍ତି।
ଆଲମ୍ ସିଂହ ପତ୍ନୀ ସରୋଜିନୀ ଦେବୀ କହନ୍ତି, ‘ବନ୍ୟା ଆମଠାରୁ ସବୁ କିଛି ଛଡ଼ାଇ ନେଲା। ମୋ ପିଲାମାନଙ୍କୁ ବାପଛେଉଣ୍ଡ କରିଦେଲା। ସୋନୁଜୀ ଆସି ଆମକୁ ସାହାଯ୍ୟର ହାତ ବଢ଼ାଇଛନ୍ତି। ଆମେ ତାଙ୍କ ନିକଟରେ ଚିର ଋଣୀ ରହିବୁ।’ ସୋନୁ ଟ୍ବିଟ୍ କରି ଲେଖିଛନ୍ତି କି ‘ସେ ପରିବାର ଏବେ ଠାରୁ ମୋ ନିଜର।’
The post ଉତ୍ତରାଖଣ୍ଡ ବନ୍ୟାରେ ବାପଛେଉଣ୍ଡ ହୋଇଯାଇଥିବା ୪ ଝିଅଙ୍କ ଦାୟିତ୍ବ ନେଲେ ସୋନୁ ସୁଦ୍ first appeared on Sambad.
from ବିଶେଷ – Sambad https://ift.tt/2ZAvz8U
0 Comments