ଜୟପୁର (ସୁରେଶ କୁମାର ନାଇଡ଼ୁ): ଇଛା ଶକ୍ତି, ସଂଗଠିତ ହୋଇ କାମ କରିବା ଲକ୍ଷ୍ୟ, କିଛି ଅଲଗା କରି ଦେଖାଇବା ଝୁଙ୍କ ରହିଲେ ସଫଳତା ନିଶ୍ଚିତ ରୁପେ ମିଳେ । ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ଜୟପୁର ବ୍ଲକର ଜାମୁଣ୍ଡା ଗାଁର ମା ମୁତ୍ୟାଲୁମ୍ମା ମହିଳା ସ୍ବୟଂ ସହାୟକ ଦଳ। ଗାଁର ୧୦ଜଣ ମହିଳାଙ୍କୁ ନେଇ ମାତ୍ର ଶହେ ଟଙ୍କାରେ ୬ବର୍ଷ ତଳେ ଆରମ୍ଭ ହୋଇଥିବା ଦଳ ଆଜି ୩କୋଟି ଟଙ୍କାର କାରବାର କରିବାରେ ସକ୍ଷମ ହେବା ସହ ପ୍ରଶାସନ, ୪୦୦ କୃଷକଙ୍କର ଆସ୍ଥାଭାଜନ ହୋଇ ପାରିଛି। ନିଜ ଦଳର ୧୦ଜଣଙ୍କ ସହ ୧୦୦ଜଣଙ୍କୁ ବର୍ଷ ତମାମ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଜୀବିକା ଯୋଗାଇ ଆସୁଛି।
୧୪ ଜୁଲାଇ ୨୦୧୪ ମସିହାରେ ମହିଳା ସ୍ବୟଂ ସହାୟକ ଦଳ ଆରମ୍ଭ ହୋଇଥିଲା। ଦଳ ପ୍ରଥମେ ଟଙ୍କା ସଂଚୟ କରି ବ୍ୟାଙ୍କରୁ ଋଣ ଆଣି ସୁଝୁଥିଲା। ଦଳ ମଧ୍ୟରେ ସାମାନ୍ୟ ବିବାଦ ଆସିବା ସହ ୬୦ହଜାର ଟଙ୍କା ବ୍ୟାଙ୍କ ଋଣ ସୁଝି ପାରି ନଥିଲେ। ଏହା ପରେ ଦଳରେ ସଂପ୍ରତି ସଂପାଦିକା ଥିବା ସୁଜାତା ପାଣିଗ୍ରାହୀ ସଭ୍ୟ ଭାବେ ସାମିଲ ହୋଇଥିଲେ। ସେ ଦଳକୁ ସଂଗଠିତ କରିବା ଆରମ୍ଭ କରିଥିଲେ। ଧିରେ ଧିରେ ବ୍ୟାଙ୍କର ୬୦ହଜାର ଋଣ ସୁଝିବା ସହ ପୁଣି ୧ଲକ୍ଷ ୨୦ହଜାର ଋଣ ଆଣିଥିଲେ। ନିୟମିତ ଭାବେ ଋଣ ଅର୍ଥ ପରିଶୋଧ ବି କରିଥିଲେ। ଏହାରି ମଧ୍ୟରେ ୩ଏକର ଜମି ଭାଗରେ ଆଣି ପନି ପରିବା ଚାଷ କରି କ୍ଷତି ସହିଥିଲେ।

ତେବେ କ୍ଷତି ପରେ ବି ଦଳର ସଭ୍ୟା ମାନେ ଭାଙ୍ଗି ନ ପଡି ଜାମୁଣ୍ଡା ପଂଚାୟତର ୫ଏକର ପରିମିତ ପଂଚାୟତ ପୋଖରୀକୁ ୫ବର୍ଷ ପାଇଁ ୭୪ହଜାର ଟଙ୍କାରେ ଲିଜ୍ ରେ ନେଇଥିଲେ। ୨ପ୍ରକାରର ମାଛ ଚାଷ ଆରମ୍ଭ କରିଥିଲେ। ପ୍ରତିଦିନ ବାହାରିବା ମାଛ ‘ଲାଇଲିନ୍ ଟିକ୍’ ଓ ୬ମାସକୁ ଥରେ ବାହାରୁଥିବା ରୋହି, ଭାକୁର, କାର୍ପିଓ ଆଦି ମାଛ ଚାଷ ଆରମ୍ଭ କରିଛନ୍ତି। ପ୍ରତିଦିନ ‘ଲାଇଲିନ୍ ଟିକ୍’ ମାଛ ହାରାହାରି ୧୫କିଲୋ ବାହାରୁଥିବା ବେଳେ କିଲୋ ପ୍ରତି ୧୪୦ଟଙ୍କାରେ ବିକ୍ରି କରୁଛନ୍ତି। ସେଭଳି ୬ମାସରେ ଥରେ ପ୍ରାୟ ୫ରୁ ୭କୁଇଣ୍ଟାଲ ରୋହି, ଭାକୁର, ଓ କାର୍ପିଓ ମାଛ ବାହାରୁଛି। ଏହାକୁ କିଲୋ ପ୍ରତି ୧୮୦ଟଙ୍କାରେ ବିକ୍ରି କରୁଥିବା କହିଛନ୍ତି ସଂପାଦିକା। ଉଭୟ ମାଛରେ ପ୍ରାୟ ସାଢ଼େ ୩ଲକ୍ଷର ବେପାର ବର୍ଷ ତମାମ କରିଥାନ୍ତି। ମାଛ ଚାଷରେ ସମସ୍ତ ସଦସ୍ୟ ସଭ୍ୟା ଦିନ ରାତି ସାମିଲ ରହି କରୁଛନ୍ତି।
ଏହା ବାଦ୍ ମିଶନଶକ୍ତି ଜରିଆରେ ଗତ ବର୍ଷ ଖରିଫ ଓ ରବି ମଣ୍ଡିରେ ସାମିଲ ହୋଇ ଉଭୟ ମଣ୍ଡିରେ ପ୍ରାୟ ୮୦୦ଚାଷୀଙ୍କ ଠାରୁ ୮୭ହଜାର କୁଇଣ୍ଟାଲ ଧାନ କିଣାରେ ସାମିଲ ହୋଇ ୩କୋଟି ଟଙ୍କାର କାରବାର କରିଛନ୍ତି। ମିଳୁଥିବା ଲାଭକୁ ସମପରିମାଣର ବଣ୍ଟା କରି ନେଉଛନ୍ତି। ଏହା ସହ ମଣ୍ଡି ପାଇଁ ୨ଜଣ ଡାଟାଏଣ୍ଟ୍ରୀ ଅଫରେଟର, ପିଅନଙ୍କୁ ନିଯୁକ୍ତି ଦେଇ ଦରମା ବି ଦେଇ ଆସୁଛନ୍ତି। ସେଭଳି ମଣ୍ଡି , ମାଛଚାଷ ଆଦି ପାଇଁ ଶତାଧିକ ଲୋକଙ୍କୁ ପରୋକ୍ଷ ଓ ପ୍ରତ୍ୟେକ୍ଷରେ ସାମିଲ କରି ଜୀବିକା ଯୋଗାଇ ଆସୁଥିବା କହିଛନ୍ତି ସଂପାଦିକା ।

ମହିଳାମାନେ ଅବଳା କି ଦୁର୍ବଳା ନୁହନ୍ତି। ସାମାନ୍ୟ ଉତ୍ସାହ, ପ୍ରତ୍ସାହନ ଓ ସହଯୋଗର ହାତ ବଢ଼ାଇଲେ ଆମେ ବି କାହା ଠାରୁ କମ୍ ନାହିଁ ବୋଲି କହିଛନ୍ତି ସଂପାଦିକା ସୂଜାତା। ତାଙ୍କ ସ୍ବାମୀ ସଂପୁର୍ଣ୍ଣ ସହଯୋଗ କରି ଆସୁଥିବା ବେଳେ ସଫଳତାର ଶ୍ରେୟ ତାଙ୍କର ବି ବୋଲି କହିଛନ୍ତି ସୂଜାତା। ସେଭଳି ଭୁବନେଶ୍ବରର ସିଫା(କେନ୍ଦ୍ରୀୟ ମଧୁର ଜଳଜଉତ୍ପାଦନ ପ୍ରତିଷ୍ଠାନ) ବଡ ମୋଟର, ମାଛ ଜାଁଅଳ, ମାଛ ଧରିବା ନେଟ୍ ସହ ଅନ୍ୟାନ୍ୟ ସାମଗ୍ରୀ ମାଗଣାରେ ଯୋଗାଇ ଦେଇଥିଲେ। ସେଭଳି ଜୟପୁର ମତ୍ସ୍ୟ ବିଭାଗ ବି ପ୍ରତିବର୍ଷ ମାଛ ଜାଁଳ ଆଦି ମାଗଣାରେ ଦେଉଛନ୍ତି।
ଜୟପୁର ବ୍ଲକର ମିଶନଶକ୍ତି ସଂଯୋଜିକା, ସିଡିପିଓ, ସୁପରଭାଇଜରଙ୍କ ପ୍ରତ୍ସାହନ ଫଳରେ ଧାନ ମଣ୍ଡି ସୁପରିଚାଳନା କରିବା ସହ ସଫଳତା ପାଇ ପାରିଛୁ ବୋଲି କହିଛନ୍ତି ସଂପାଦିକା ସଂଯୁକ୍ତା। ସେଭଳି ଏହି ବର୍ଷ ଖରିଫ ପାଇଁ ବି ଧାନମଣ୍ଡି ପରିଚାଳନା ଦାୟିତ୍ବ ମିଳିଛି, ଏବଂ ଏହାକୁ ବି ଠିକ ଭାବେ ପରିଚାଳନା କରିବା ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ସଂଯୁକ୍ତା। ଏହାରି ମଧ୍ୟରେ ମଣ୍ଡି ସଠିକ ପରିଚାଳନା ପାଇଁ ଜିଲ୍ଲାସ୍ତରରେ ଶ୍ରେଷ୍ଠ ମହିଳା ସ୍ବୟଂ ସହାୟକ ଦଳ ଭାବେ ଚୟନ ହେବା ସହ ଆର୍ଥିକ ୧୫ହଜାର ଟଙ୍କାର ପୁରସ୍କାର ବି ପାଇବା ଆମ ଦଳର ମନୋବଳକୁ ଅଧିକା କାମ କରିବାକୁ ଉତ୍ସାହିତ କରିଛି ବୋଲି କହିଛନ୍ତି ସଂପାଦିକା। ମହିଳା ମାନଙ୍କୁ ସଂଗଠିତ କରି ସବୁ କ୍ଷେତ୍ରରେ ସଶକ୍ତିକରଣ କରିବା ଲକ୍ଷ୍ୟ ଜାରୀ ରହିଛି ବୋଲି କହିଛନ୍ତି ସଂପାଦିକା।
The post ମାଛ ଯୋଗାଉଛି ଆହାର: ଶହେ ଟଙ୍କାରେ ଆରମ୍ଭ ହୋଇଥିବା ମହିଳା ଏସ୍ଏଚ୍ଜି ଏବେ କରୁଛି ୩କୋଟି ଟଙ୍କାର ବ୍ୟବସାୟ first appeared on Sambad.
from ବିଶେଷ – Sambad https://ift.tt/3qsu4pa
0 Comments