
ନୂଆଦିଲ୍ଳୀ: ଭାରତରେ କରୋନା ଭାଇରସ୍ ଟିକାକରଣ ଗତ ଜାନୁଆରି ମାସରୁ ଆରମ୍ଭ ହୋଇଯାଇଛି। ଏହି ଟିକାକରଣରେ ସ୍ବାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କର୍ମୀମାନଙ୍କୁ ଟିକା ଦିଆଯାଇଛି। ଶିଶୁମାନଙ୍କୁ ଟିକା ଦେବା ପାଇଁ ସରକାର ଏପର୍ଯ୍ୟନ୍ତ କୌଣସି ଯୋଜନା କରିନାହାନ୍ତି। କୋଭିଡ୍-୧୯ ଟିକା ପିଲାମାନଙ୍କ ପାଇଁ ସୁରକ୍ଷିତ ନୁହେଁ। ଅନ୍ତର୍ଜାତୀୟ ନିର୍ଦ୍ଦେଶାବଳୀ ଅନୁସାରେ ପିଲାମାନଙ୍କୁ ଟିକା ଦେବା ପାଇଁ କେତେକ ନିୟମ ଅନୁସରଣ କରିବାକୁ ପଡ଼ିବ।
ଆଇସିଏମ୍ଆର୍ ସହଯୋଗରେ କୋଭିଡ୍-୧୯ ଟିକା ବାହାର କରିଥିବା ଭାରତୀୟ କମ୍ପାନି ଭାରତ ବାୟୋଟେକ୍ ପିଲାମାନଙ୍କ ପାଇଁ ଟିକାର କ୍ଲିନିକାଲ୍ ପରୀକ୍ଷା ଆରମ୍ଭ କରିବାକୁ ଘୋଷଣା କରିଛି। ଏହି କମ୍ପାନି ଦ୍ବାରା ବିକଶିତ ଟିକା କୋଭାକ୍ସିନ୍କୁ ୨ ରୁ ୧୮ ବର୍ଷ ବୟସର ପିଲାଙ୍କ ଉପରେ ପରୀକ୍ଷଣ ଆରମ୍ଭ କରାଯିବ। ସରକାର ସବୁଜ ସଂକେତ ଦେଲେ କମ୍ପାନି ତା’ର ପରୀକ୍ଷଣ ଫେବ୍ରୁଆରି ଶେଷ କିମ୍ବା ମାର୍ଚ ଆରମ୍ଭରୁ କରିପାରେ ବୋଲି ସୂଚନା ରହିଛି। ଆସନ୍ତା ୪ ମାସ ମଧ୍ୟରେ ପିଲାଙ୍କ ସକାଶେ ଟିକା ବାହାରିଯିବ ବୋଲି ପୂର୍ବରୁ ଜାନୁଆରି ମାସରେ କମ୍ପାନି ପକ୍ଷରୁ ଘୋଷଣା କରାଯାଇଛି।
ଆପଣ ଜାଣିଥିବେ ନିଶ୍ଚୟ ଯେ ଭାରତରେ ଏବେ ସୁଦ୍ଧା ଭାରତ ବାୟୋଟେକ୍ର କୋଭାକ୍ସିନ୍ ଓ ଅକ୍ସଫୋର୍ଡ ୟୁନିଭରସିଟି-ଆଷ୍ଟ୍ରା ଜେନେକାର କୋଭିସିଲ୍ଡକୁ ଅନୁମତି ମିଳିଛି। ତେବେ ଏହି ଟିକାକୁ ପିଲାମାନଙ୍କ ସକାଶେ ଅନୁମୋଦନ ନମିଳିବାର ଅନ୍ୟ ଏକ ପ୍ରମୁଖ କାରଣ ହେଉଛି କୌଣସି ବି ଗବେଷଣାକାରୀ ସଂସ୍ଥା ଟିକା ବିକାଶ କରିବାକୁ ନେଇ କରୁଥିବା ସେମାନଙ୍କ ପରୀକ୍ଷଣରେ କୌଣସି ପିଲାଙ୍କୁ ସାମିଲ୍ କରାଇ ନାହାଁନ୍ତି। ଫଳରେ ପିଲାମାନଙ୍କ ଉପରେ ଏହି ଟିକାର କ’ଣ ପ୍ରଭାବ ରହିବ ଏହାକୁ ନେଇ ଗବେଷକମାନେ ସଂପୂର୍ଣ୍ଣ ଅଜ୍ଞ।
The post ପିଲାମାନଙ୍କ ପାଇଁ ପୃଥକ କୋଭିଡ୍-୧୯ ଟିକାର ଆବଶ୍ୟକତା ରହିଛି କି? first appeared on Sambad.
from ବିଶେଷ – Sambad https://ift.tt/3aNh8TU
0 Comments