ହିମସ୍ଖଳନ: ଭୂତଳ ଟନେଲରେ ଫସି ଯାଇଥିବା ୧୨ଜଣଙ୍କୁ ମୃତ୍ୟୁ ମୁଖରୁ ଫେରାଇ ଆଣିଲା ଗୋଟିଏ ମୋବାଇଲ ଫୋନ୍‌

ଜୋସିମାଥ (ଉତ୍ତରାଖଣ୍ଡ): ଓଡ଼ିଆରେ ଏକ ଉକ୍ତି ଅଛି: ‘ରଖେ ହରି ତ ମାରେ କିଏ’? ଅର୍ଥାତ୍‌ ଈଶ୍ୱର ଯଦି ତୁମକୁ ବଞ୍ଚାଇ ରଖିବାକୁ ଚାହିଁବେ ତେବେ ମୃତ୍ୟୁ ଯେତେ ଚେଷ୍ଟା କଲେ ସୁଦ୍ଧା ତୁମକୁ ମାରି ପାରିବ ନାହିଁ। ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରାଖଣ୍ଡରେ। ବଞ୍ଚିବାର ସମସ୍ତ ଆଶା ହରାଇ ଦେଇଥିବା ୧୨ଜଣଙ୍କର ବହୁମୂଲ୍ୟ ଜୀବନକୁ ବଞ୍ଚାଇ ଦେଇଛି ଗୋଟିଏ ମୋବାଇଲ ଫୋନ୍‌।

କାଲି (ରବିବାର) ଯେତେବେଳେ ଉତ୍ତରପ୍ରଦେଶର ଚାମୋଲି ଜିଲ୍ଲାରେ ଘଟିଥିବା ହିମସ୍ଖଳନ ଫଳରେ ନନ୍ଦା ନଦୀରେ ପ୍ରବଳ ବନ୍ୟା ଆସି ନିର୍ମାଣଧୀନ ତପୋବନ ଜଳବିଦ୍ୟୁତ ପ୍ରକଳ୍ପକୁ ସଂପୂର୍ଣ୍ଣ ରୂପେ ଭସାଇ ନେଲା, ସେତେବେଳେ ସେଠାରେ କାର୍ଯ୍ୟରତ ଥିବା ୧୨ ଜଣ ଶ୍ରମିକ ଘଟଣା କ’ଣ ବୁଝିବା ପୂର୍ବରୁ ବନ୍ୟାଜଳରେ ଭାସିଯାଇ ଗୋଟିଏ ଭୂତଳ ଟନେଲ ମଧ୍ୟରେ ବନ୍ଦୀ ହୋଇ ରହି ଯାଇଥିଲେ। ଟନେଲ ଭିତରେ ବନ୍ୟାଜଳ ପଶିଯିବା ସହ ସବୁଆଡ଼ ଘନ ଅନ୍ଧକାରମୟ ହୋଇ ଯାଇଥିଲା। ଟନେଲ ଭିତରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ସେମାନେ ଯେତେ ଚିତ୍କାର କଲେ ମଧ୍ୟ ସେମାନଙ୍କ ଚିତ୍କାର ଟନେଲ ବାହାର ପର୍ଯ୍ୟନ୍ତ ପହଞ୍ଚ ନଥିଲା।

ଏପରିସ୍ଥିତରେ ବଞ୍ଚିବାର ସମସ୍ତ ଆଶା ହରାଇ ସେମାନେ ଯେତେବେଳେ ଉର୍ଦ୍ଧ୍ୱବାହୁ ହୋଇ ଈଶ୍ୱରଙ୍କୁ ଡାକୁଥିଲେ ସେତେବେଳେ ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ ମୋବାଇଲ୍‌ ଫୋନ୍‌ ନେଟୱାର୍କ କାମ କରୁଥିବାର ଦେଖିବାକୁ ପାଇଥିଲେ। ପରେ, ଲାଲ ବାହାଦୁର ନାମକ ଏହି ଶ୍ରମିକ ଜଣକ ତାଙ୍କ ଫୋନ୍‌ରୁ ଫୋନ୍‌ କରି ସେମାନଙ୍କୁ ଟନେଲ ମଧ୍ୟରୁ ଉଦ୍ଧାର କରିବା ପାଇଁ ସେମାନଙ୍କ ଅନ୍ୟ ବନ୍ଧୁମାନଙ୍କୁ କହିଥିଲେ। ସକାଳ ପ୍ରାୟ ୧୦ ଟାରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ସେମାନେ ଟନେଲ ମଧ୍ୟରେ ଦୀର୍ଘ ସାତ ଘଣ୍ଟା ଧରି ଅଟକି ରହବା ପରେ ଏହି ଘଟଣା ସଂପର୍କରେ ଖବର ମିଳିଥିଲା ଭାରତ-ତିବ୍ଦତୀୟ ସୀମା ପୁଲିସ (ଆଇଟିବିପି)କୁ।

ଖବର ପାଇବା ମାତ୍ରେ ଭାରତ-ତିବ୍ଦତୀୟ ସୀମା ପୁଲିସ (ଆଇଟିବିପି) ଦ୍ୱାରା ଆରମ୍ଭ ହୋଇଯାଇଥିଲା ଉଦ୍ଧାର କାର୍ଯ୍ୟ। ଆଇଟିବିପିର କର୍ମୀମାନେ ନିଜ ଜୀବନକୁ ପାଣି ଛଡ଼ାଇ ନନ୍ଦା ନଦୀର ପ୍ରଖର ସ୍ରୋତ ମଧ୍ୟକୁ ପ୍ରବେଶ କରିଥିଲେ। ଏବଂ ଦୀର୍ଘ ୪ ଘଣ୍ଟାର ଅପରେସନ ପରେ ଭୂପୃଷ୍ଠରୁ ୩୦୦ ମିଟର ତଳେ ଥିବା ଟନେଲ ମଧ୍ୟରୁ ସମସ୍ତ ୧୨ ଜଣ ଶ୍ରମିକଙ୍କୁ ଜୀବିତାବସ୍ଥାରେ ଉଦ୍ଧାର କରିଥିଲେ। ଉଦ୍ଧାର କରାଯିବା ପରେ ଏହି ୧୨ ଜଣ ଶ୍ରମିକଙ୍କୁ ଏବେ ଘଟଣା ସ୍ଥଳଠାରୁ ପ୍ରାୟ ୨୫ କିଲୋମିଟର ଦୂର ଜୋଶିମାଥରେ ଥିବା ଏକ ଆଇଟିବିପି ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।

ଟନେଲ ମଧ୍ୟରୁ ଉଦ୍ଧାର ପାଇବା ପରେ ଜନୈକ ଶ୍ରମିକ ନେପାଳ ବାସିନ୍ଦା ବାସନ୍ତ କହିଛନ୍ତି ଯେ ଆଇଟିବିପି ଆମକୁ ନୂତନ ଜୀବନ ଦେଇଛି। ସେହିପରି ଜୋଶିମାଥ ନିବାସୀ ବିନୋଦ ସିଂ କହିଛନ୍ତି ଯେ ଆମେ ବଞ୍ଚିବାର ସମସ୍ତ ଆଶା ହରାଇ ଦେଇଥିଲୁ… କିନ୍ତୁ, ତା’ପରେ ଆମେ କିଛି ଆଲୋକ ଦେଖିଲୁ ଏବଂ ନିଶ୍ୱାସ ନେବା ପାଇଁ କିଛି ବାୟୁ ଅନୁଭବ କଲୁ … ହଠାତ୍‌ ଆମ ଭିତରୁ ଜଣେ ତାଙ୍କ ମୋବାଇଲରେ ନେଟୱାର୍କ ଥିବା ଦେଖିଲା ଏବଂ ତା’ପରେ ସେ ଆମ ଜେନେରାଲ୍‌ ମ୍ୟାନେଜରଙ୍କୁ ଡାକି ଆମ ଅବସ୍ଥା ବିଷୟରେ ଜଣାଇଲେ।

The post ହିମସ୍ଖଳନ: ଭୂତଳ ଟନେଲରେ ଫସି ଯାଇଥିବା ୧୨ଜଣଙ୍କୁ ମୃତ୍ୟୁ ମୁଖରୁ ଫେରାଇ ଆଣିଲା ଗୋଟିଏ ମୋବାଇଲ ଫୋନ୍‌ first appeared on Sambad.



from ବିଶେଷ – Sambad https://ift.tt/3oZSvIQ

Post a Comment

0 Comments