ନିଆରା ପ୍ରତିଯୋଗିତା! ଏହି ରେଷ୍ଟୁରାଣ୍ଟ୍‌ରେ ୧୨ ପ୍ରକାର ବିଶିଷ୍ଟ ଖାଦ୍ୟ ଥିବା ଥାଳି ଶେଷ କଲେ ଗ୍ରାହକଙ୍କୁ ମିଳିବ ରୟାଲ୍‌ ଏନ୍‌ଫିଲ୍‌ଡର ବୁଲେଟ୍

ପୁଣେ: ପୁଣେ ସହରରେ ଥିବା ଏକ ରେଷ୍ଟୁରାଣ୍ଟ୍‌ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଏକ ନିଆରା ପ୍ରତିଯୋଗିତା‌‌ ନେଇଆସିଛି। ମହାମାରୀ କରୋନା ଭାଇରସ୍‌ ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ହେତୁ ହୋଟେଲ୍‌ ଓ ରେଷ୍ଟୁରାଣ୍ଟ୍‌ଗୁଡ଼ିକ ସବୁ ବନ୍ଦ ହୋଇ ପଡ଼ିଥିଲା। ଏବେ ସ୍ଥିତି ସୁଧୁରିବା ପରେ ମଧ୍ୟ ବହୁ ରେଷ୍ଟୁରାଣ୍ଟ୍‌ ଓ ହୋଟେଲ୍‌ ପୁଣି ଥରେ ଅଣ୍ଟା ଭିଡ଼ି ଛିଡ଼ା ହେବାକୁ ସମର୍ଥ ହୋଇନଥିବା ବେଳେ ନିଆରା ଉପାୟ ଆପଣେଇ ଗ୍ରାହକଙ୍କୁ ଆମନ୍ତ୍ରଣ କରିବାର ଉପାୟ ବାହାର କରିଛି ପୁଣେର ‘ଶିବରାଜ ହୋଟେଲ୍‌’।

ହୋଟେଲ୍‌ଟି ତା’ର ଗ୍ରାହକମାନଙ୍କ ପାଇଁ ଏକ ପ୍ରତିଯୋଗିତାର ଆୟୋଜନ କରିଛି। ଏହି ପ୍ରତିଯୋଗିତାରେ ନିୟମ ରହିଛି ହୋଟେଲ୍‌ ତରଫରୁ ଦିଆଯାଉଥିବା ଏକ ଖାଦ୍ୟ ଥାଳିକୁ ଯେଉଁ ଗ୍ରାହକ ୬୦ ମିନିଟ୍‌ ମଧ୍ୟରେ ଶେଷ କରିଦେବେ ସେ ହେବେ ବିଜୟୀ। ତାଙ୍କୁ ମିଳିବ ହୋଟେଲ୍‌ ତରଫରୁ ଏକ ବୁଲେଟ୍‌ ବାଇକ୍। ପ୍ରତିଯୋଗିତାର ଶୀର୍ଷକ ରହିଛି ‘ୱିନ୍‌ ଏ ବୁଲେଟ୍‌ ବାଇକ୍‌’।

ଯଦି ଆପଣ ରୟାଲ୍‌ ଏନ୍‌ଫିଲ୍‌ଡର ବୁଲେଟ୍ ଜିତିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ କେବଳ ୬୦ ମିନିଟ୍ ମଧ୍ୟରେ ଏକ ଆମୀସ ଖାଦ୍ୟ ଥିବା ଥାଳିକୁ ଖାଇକରି ଶେଷ କରିବାକୁ ପଡ଼ିବ। ବିଜେତାଙ୍କୁ ୧.୬୫ ଲକ୍ଷ ଟଙ୍କା ମୂଲ୍ୟର ବାଇକ୍ ପ୍ରଦାନ କରାଯିବ।

ୱାଡଗାଓଁ ମାଭାଲ ଅଞ୍ଚଳରେ ଅବସ୍ଥିତ ଶିବରାଜ ହୋଟେଲର ମାଲିକ ଅତୁଲ ୱାଇକର ଗଣମାଧ୍ୟମରେ ସୂଚନା ଦେଇ  କହିଛନ୍ତି ଯେ ଗ୍ରାହକଙ୍କୁ ତାଙ୍କ ହୋଟେଲ୍‌କୁ ଆମନ୍ତ୍ରଣ କରିବା ପାଇଁ ସେ ଏହି ପ୍ରତିଯୋଗିତା ଏକ ମାଧ୍ୟମ ମାତ୍ର।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ପ୍ରତି‌ଯୋଗୀମାନେ ଯେଉଁ ଥାଳି ଖାଇବେ ସେଥିରେ ୧୨ ରକମର ଖାଦ୍ୟ ରହିବ। ୫୫ ଜଣ ଲୋକ ମିଶି ଏହି ଥାଳି ପ୍ରସ୍ତୁତ କରିଥାନ୍ତି। ଫ୍ରାଏଡ୍ ସୁରମାଇ, ପୋମ୍ଫ୍ରେଟ୍ ଫ୍ରାଏଡ୍ ଫିସ୍, ଚିକେନ୍ ତାଣ୍ଡୁରି, ଡ୍ରାଏ ମଟନ୍, ଗ୍ରେ ମଟନ୍, ଚିକେନ୍ ମସଲା ଏବଂ କୋଲମ୍ବି (ଚିଙ୍ଗୁଡ଼ି) ବିରିୟାନି ଆଦି ଏହି ଥାଳିରେ ରହିଥାଏ।

The post ନିଆରା ପ୍ରତିଯୋଗିତା! ଏହି ରେଷ୍ଟୁରାଣ୍ଟ୍‌ରେ ୧୨ ପ୍ରକାର ବିଶିଷ୍ଟ ଖାଦ୍ୟ ଥିବା ଥାଳି ଶେଷ କଲେ ଗ୍ରାହକଙ୍କୁ ମିଳିବ ରୟାଲ୍‌ ଏନ୍‌ଫିଲ୍‌ଡର ବୁଲେଟ୍ first appeared on Sambad.



from ବିଶେଷ – Sambad https://ift.tt/2XVzL29

Post a Comment

0 Comments