
ନୂଆଦିଲ୍ଲୀ: ଓଡ଼ିଶା ହାଇକୋର୍ଟରେ ବର୍ତ୍ତମାନ ୧୨ଟି ବିଚାରପତି ପଦ ଖାଲି ରହିଛି। ଛଅ ମାସ ଭିତରେ ଆଉ ଦୁଇଟି ପଦବୀ ଖାଲି ପଡ଼ିବାକୁ ଯାଉଛି। ଫଳରେ ହାଇକୋର୍ଟରେ ଖାଲି ଥିବା ବିଚାରପତି ସଂଖ୍ୟା ସଂଖ୍ୟା ୧୪ରେ ପହଞ୍ଚିବ । ସୁପ୍ରିମକୋର୍ଟରେ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ବର୍ତ୍ତମାନର ସଂଖ୍ୟା, ଖାଲି ପଡ଼ିରହିଥିବା ସଂଖ୍ୟା ସମ୍ପର୍କରେ ହାଇକୋର୍ଟଙ୍କ ରେଜିଷ୍ଟ୍ରାର ଜେନରାଲଙ୍କ ଦ୍ୱାରା ଦାଖଲ କରାଯାଇଥିବା ଅତିରିକ୍ତ ଷ୍ଟାଟସ ରିପୋର୍ଟରେ ଏହି ତଥ୍ୟର ଉଲ୍ଲେଖ କରାଯାଇଛି। ଦାଖଲ କରାଯାଇଥିବା ଅତିରିକ୍ତ ଷ୍ଟାଟସ୍ ରିପୋର୍ଟରେ ଓଡ଼ିଶା ହାଇକୋର୍ଟରେ ୨୭ ଜଣ ବିଚାରପତି ପଦ ମଞ୍ଜୁର କରାଯାଇଥିବା ବେଳେ ବର୍ତ୍ତମାନ ପ୍ରଧାନ ବିଚାରପତିଙ୍କ ସମେତ ସମୁଦାୟ ୧୫ ଜଣ ବିଚାରପତି ରହିଥିବାର ଉଲ୍ଲେଖ କରାଯାଇଛି। ମଞ୍ଜୁର ପ୍ରଦାନ କରାଯାଇଥିବା ୨୭ଟି ବିଚାରପତି ପଦ ପାଇଁ ୧୮ ଜଣଙ୍କୁ ବାର୍ରୁ ଓ ୯ ଜଣଙ୍କୁ ରାଜ୍ୟର ଉଚ୍ଚ ଜୁଡ଼ିସିଆଲ ସର୍ଭିସ୍ରୁ ପୂରଣ କରାଯିବାର ବ୍ୟବସ୍ଥା ରହିଛି। ବର୍ତ୍ତମାନ ହାଇକୋର୍ଟରେ କାର୍ଯ୍ୟ କରୁଥିବା ୧୫ ଜଣ ବିଚାରପତିମାନଙ୍କ ମଧ୍ୟରୁ ୧୦ ଜଣ ବାର୍ ସେଗ୍ମେଣ୍ଟରୁ ତଥା ୫ ଜଣ ସର୍ଭିସ୍ ସେଗ୍ମେଣ୍ଟରୁ ରହିଥିବାର ଷ୍ଟାଟସ ରିପୋର୍ଟରେ କୁହାଯାଇଛି। ବର୍ତ୍ତମାନ ଖାଲି ପଡ଼ିଥିବା ୧୨ଟି ବିଚାରପତି ପଦରୁ ବାର୍ ସେଗ୍ମେଣ୍ଟରୁ ୮ ତଥା ସର୍ଭିସ୍ ସେଗ୍ମେଣ୍ଟରୁ ୪ ରହିଛି। ଆସନ୍ତା ଛଅ ମାସ ଭିତରେ ଆଉ ଦୁଇଟି ବିଚାରପତି ପଦ ଖାଲି ହେବା ସମ୍ଭାବନା ରହିଛି ଯାହା ବାର୍ ସେଗ୍ମେଣ୍ଟରୁ ହେବ ବୋଲି ଷ୍ଟାଟସ୍ ରିପୋର୍ଟରେ କୁହାଯାଇଛି।
ବିଚାରପତି ଡଃ ଏସ୍ ମୁରଲୀଧର ଓଡ଼ିଶା ହାଇକୋର୍ଟର ପ୍ରଧାନ ବିଚାରପତି ରୂପେ ଚଳିତ ମାସ ୪ ତାରିଖରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ନୂତନ ସୁପାରିସ ପାଇଁ ଓଡ଼ିଶା ହାଇକୋର୍ଟର କଲେଜିୟମ ନିଷ୍ପତ୍ତି ନେବ ବୋଲି ଷ୍ଟାଟସ୍ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଷ୍ଟାଟସ୍ ରିପୋର୍ଟରେ ମେ’ ୭, ୨୦୧୯ରେ ଓଡ଼ିଶା ହାଇକୋର୍ଟରେ ଖାଲି ପଡ଼ିରହିଥିବା ୧୨ଟି ବିଚାରପତି ପଦ ପୂରଣ ପାଇଁ ତତ୍କାଳୀନ ମୁଖ୍ୟ ବିଚାରପତି ଜେ ଏସ୍ ଜାଭେରୀଙ୍କ କାର୍ଯ୍ୟକାଳରେ ସୁପାରିଶ କରାଯାଇଥିବା ପ୍ରସଙ୍ଗକୁ ଅବଗତ କରାଯାଇଛି। ୧୨ଟି ଖାଲି ପଡ଼ିଥିବା ପଦ ପାଇଁ ୮ ଜଣଙ୍କର ବାର୍ ସେଗ୍ମେଣ୍ଟରୁ ଓ ୪ ଜଣଙ୍କର ସର୍ଭିସ୍ ସେଗ୍ମେଣ୍ଟରୁ ସୁପାରିଶ କରାଯାଇଥିଲା। ହେଲେ ୧୨ଟି ସୁପାରିଶରୁ କେନ୍ଦ୍ର ସରକାର ତିନି ଜଣଙ୍କୁ ନିଯୁକ୍ତି ଦେଇଥିଲେ ଯେଉଁଥିରୁ ଦୁଇ ଜଣ ସର୍ଭିସ୍ ସେଗ୍ମେଣ୍ଟରୁ ଓ ବାର୍ ସେଗ୍ମେଣ୍ଟରୁ ଜଣେ ଥିଲେ ବୋଲି ଷ୍ଟାଟସ୍ ରିପୋର୍ଟରେ କୁହାଯାଇଛି।
ଦାଖଲ କରାଯାଇଥିବା ଷ୍ଟାଟସ ରିପୋର୍ଟରେ ଓଡ଼ିଶା ହାଇକୋର୍ଟ ପାଇଁ ମଞ୍ଜୁରୀ ପ୍ରାପ୍ତ ୨୭ ଜଣ ବିଚାରପତି ପଦରୁ ସ୍ଥାୟୀ ବିଚାରପତିଙ୍କ ସଂଖ୍ୟା ୨୦ ଓ ଅତିରିକ୍ତ ବିଚାରପତିଙ୍କ ସଂଖ୍ୟା ୭ ବୋଲି ଉଲ୍ଲେଖ କରାଯାଇଛି। ବର୍ତ୍ତମାନ ୧୫ ଜଣ ସ୍ଥାୟୀ ବିଚାରପତି ରୂପେ କାର୍ଯ୍ୟ କରୁଛନ୍ତି। ଖାଲି ପଡ଼ିରହିଥିବା ୧୨ ଜଣ ବିଚାରପତିଙ୍କ ସଂଖ୍ୟାରୁ ୫ ଜଣ ସ୍ଥାୟୀ ଓ ଅତିରିକ୍ତ ୭ ଜଣ ବୋଲି ଉଲ୍ଲେଖ କରାଯାଇଛି।
The post ଓଡ଼ିଶା ହାଇକୋର୍ଟରେ ଖାଲି ପଡ଼ିଛି ୧୨ ବିଚାରପତି ପଦ first appeared on Sambad.
from ବିଶେଷ – Sambad https://ift.tt/36mel2V
0 Comments