ନୂଆଦିଲ୍ଲୀ: ବିମାନ ଯାତ୍ରା ସମୟରେ ଲଗେଜ୍ ବାବଦକୁ ଅଧିକ ଭଡ଼ା ଦେବାକୁ ପଡ଼ିବ ବୋଲି ଜାଣିବା ପରେ ଚୀନ୍ର ଚାରିଜଣ ବ୍ୟକ୍ତି ସେମାନଙ୍କ ଲଗେଜ୍ରେ ଥିବା ୩୦ କିଲୋ କମଳା ଲେମ୍ବୁକୁ ୩୦ ମିନିଟ୍ରେ ଖାଇଦେଇଥିବା ଜଣାପଡ଼ିଛି।
ଘଟଣାଟି ଘଟିଛି ଦକ୍ଷିଣପଶ୍ଚିମ ଚୀନ୍ର ୟୁନାନ୍ ପ୍ରଦେଶରେ। ବ୍ୟାବସାୟିକ ଗସ୍ତରେ ଯାଇଥିବା ଉକ୍ତ ବିମାନଯାତ୍ରୀମାନେ ୩୦ କିଲୋ କମଳା ଥିବା ଗୋଟାଏ ପେଟି ଖରିଦ କରିଥିଲେ। ସେ ବାବଦକୁ କିଲୋ ପିଛା ୧୦ ୟୁୟାନ୍ ହିସାବରେ ସମୁଦାୟ ୩୦୦ ୟୁୟାନ୍ (ଭାରତୀୟ ମୁଦ୍ରାରେ ୩,୩୮୪) ଲଗେଜ୍ ଭଡ଼ା ଦେବାକୁ ପଡ଼ିବ ବୋଲି ଏୟାର୍ଲାଇନ୍ସ୍ କହିଲା। ସେମାନେ ବିଚାର କରି ଦେଖିଲେ, ଲଗେଜ୍ ବାବଦକୁ ଏତେ ଟଙ୍କା ଦେବା ତାଙ୍କ ଅଟକଳକୁ ଟପିଯାଉଛି। ତେଣୁ, କିଣିଥିବା କମଳାଗୁଡ଼ିକୁ ଖାଇଦେବା ଲାଗି ସେମାନେ ନିଷ୍ପତ୍ତି ନେଲେ।
ଏହି ଘଟଣାର ରିପୋର୍ଟ କରିଥିବା ‘ଗ୍ଲୋବାଲ୍ ଟାଇମସ୍’ ରିପୋର୍ଟ ଅନୁସାରେ, ‘ଓ୍ଵାଙ୍ଗ୍’ ସାଜ୍ଞାଧାରୀ ଜଣେ ବ୍ୟକ୍ତି ଓ ତାଙ୍କ ସହକର୍ମୀମାନେ ୩୦ କିଲୋ କମଳା ଥିବା ଏକ ପେଟି ଖରିଦ କରିଥିଲେ। ବିମାନ ଆରୋହଣ ନିମନ୍ତେ ସଜବାଜ ହେଉଥିବା ବେଳେ ସେମାନଙ୍କୁ କୁହାଗଲା କି, ଏହି କମଳା ପରିବହନ ପାଇଁ ସେମାନଙ୍କୁ କିଲୋପିଛା ୧୦ ୟୁୟାନ୍ ଦେବାକୁ ପଡ଼ିବ। ଅତିରିକ୍ତ ଲଗେଜ୍ ଭଡ଼ା ନ ଦେବାକୁ ସେମାନେ ୩୦ କିଲୋଯାକ କମଳା ଖାଇଦେଲେ।
ଏ ସଂକ୍ରାନ୍ତରେ ଓ୍ଵାଙ୍ଗ୍ କହନ୍ତି, ଆମେ ସେଇଠି ଠିଆ ଠିଆ ସବୁତକ କମଳା ଖାଇଦେଲୁ। କମଳା ସବୁ ଖାଇବାକୁ ପ୍ରାୟ ୨୦ରୁ ୩୦ ମିନିଟ୍ ଲାଗିଲା।
କିନ୍ତୁ, ଏତେଗୁଡ଼ାଏ କମଳା ଖାଇବାଦ୍ୱାରା ଶରୀରରେ ‘ଭିଟାମିନ୍-ସି’ର ମାତ୍ରା ବଢ଼ିଯିବାରୁ ସେମାନଙ୍କ ପାଟିରେ ଘା’ ବାହାରି ପଡ଼ିଲା। ଏଥିରେ ବିସ୍ମିତ ହୋଇ ଓ୍ଵାଙ୍ଗ୍ କହନ୍ତି, ଆମେ ଆଉ କେବେ କମଳା ଖାଇବୁ ନାହିଁ।
ଚୀନା ସାମାଜିକ ଗଣମାଧ୍ୟମରେ ଏହି ଘଟଣା ଭାଇରାଲ୍ ହେବା ପରେ ଅନେକେ ଆମୋଦିତ ହେଉଛନ୍ତି। ଅନେକେ ସେମାନଙ୍କ ବୋକାମି ପାଇଁ ହସୁଛନ୍ତି। ଆହୁରି ଅନେକ କହୁଛନ୍ତି, ସେମାନେ କ’ଣ କମଳାଗୁଡ଼ିକୁ ଚାରି ବାଣ୍ଟ କରି ନିଜ ନିଜ ହାତ ଲଗେଜ୍ରେ କ୍ୟାବିନ୍କୁ ନେଇ ପାରିଲେ ନାହିଁ?
The post ଲଗେଜ୍ ଭଡ଼ା ନ ଦେବାକୁ ୩୦ ମିନିଟ୍ରେ ୩୦ କିଲୋ କମଳା ଖାଇଦେଲେ ୪ଜଣ ବ୍ୟକ୍ତି; ତା’ପରେ କ’ଣ ହେଲା? first appeared on Sambad.
from ବିଶେଷ – Sambad https://ift.tt/3ooqydt
0 Comments