ସ୍ତ୍ରୀ ଛାଡି ପଳାଇଥିବା ସ୍ୱାମୀଙ୍କୁ କୋର୍ଟଙ୍କ ଆଶ୍ୱାସନା: ‘ପତ୍ନୀଙ୍କୁ ଭୁଲିଯାଅ, ଆଉ କାହାକୁ ଖୋଜ’

ପାଟନା: ସ୍ୱାମୀଙ୍କୁ ପ୍ରତାରଣା ଦେଇ ଅନ୍ୟ ଜଣଙ୍କ ସହ ଚାଲିଯାଇଥିଲେ ପତ୍ନୀ | ଆଉ ଏହାକୁ ନେଇ ଅଭିଯୋଗକାରୀ ସ୍ୱାମୀଙ୍କୁ କୋର୍ଟ ଏଭଳି ଆଶ୍ୱାସନା ଦେଇଛନ୍ତି ଯେ, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ବିହାରର ରାଜଧାନୀ ପାଟନାରେ ଏଭଳି ଏକ ଅଜବ ମାମଲା ସାମ୍ନାକୁ ଆସିଛି। ପାଟନା ହାଇକୋର୍ଟରେ ଏକ ମାମଲାର ଶୁଣାଣି ବେଳେ ବିଚାରପତି ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଥିବାବେଳେ ଅସନ୍ତୁଷ୍ଟ ସ୍ୱାମୀଙ୍କୁ କହିଛନ୍ତି ଯେ,’ ପର ଲୋକ ସହ ପଳାଇଯାଇଥିବା ପତ୍ନୀକୁ ଭୁଲିଯାଅ ଓ ଆଉ ଜଣଙ୍କୁ ଖୋଜ’ | ସୀତାମାଢି ଅଂଚଳର ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ନାମରେ ପ୍ରତାରଣା ଅଭିଯୋଗ କରିଥିଲେ |

ଏହି ଘଟଣାର ଶୁଣାଣି କରି ବିଚାରପତି ପି.କେ ଝା, ହତାଶ ସ୍ୱାମୀଙ୍କୁ ସାନ୍ତ୍ୱନା ଦେଇ କହିଛନ୍ତି ଯେ, ‘ଅନ୍ୟ ପୁରୁଷ ସହ ଚାଲିଯାଇଥିବା ପତ୍ନୀଙ୍କୁ ଭୁଲିଯାଅ ଏବଂ ବର୍ତ୍ତମାନ ଅନ୍ୟ ଜଣେ ଝିଅକୁ ଖୋଜ’। ଅଭିଯୋଗ ମୁତାବକ ୨୫ ବର୍ଷୀୟ ନଗେନ୍ଦ୍ର ଜୟସ୍ବାଲଙ୍କର ବିବାହ ୨୦୧୭ ମସିହାରେ ତାନିଆ ନାମକ ଯୁବତୀଙ୍କ ସହ ହୋଇଥିଲା | ବିବାହ ପରେ ଯୁବତୀ ଜଣକ ନିଜ ସ୍ୱାମୀଙ୍କ ସହ ଶାଶୂଘର ନାଗପୁରକୁ ଯାଇଥିଲେ | ସେଠାରେ ତାନିଆ ଉଚ୍ଚଶିକ୍ଷା କରିବାକୁ ସ୍ୱାମୀଙ୍କ ଆଗରେ କହିଥିଲେ | ଆଉ ସ୍ୱାମୀ ବି ପତ୍ନୀଙ୍କ ଇଛାକୁ ସମ୍ମାନ ଦେଇ ଏକ କଲେଜରେ ନାମ ଲେଖାଇଦେଇଥିଲେ | ତେବେ ୨୦୨୦ ଏପ୍ରିଲ ୨୨ରେ ତାନିଆ ନିଜ ବାପା ଘରକୁ ଯାଇ ନିଖୋଜ ହୋଇଯାଇଥିଲେ |

ସ୍ୱାମୀ, ସ୍ତ୍ରୀଙ୍କୁ ଯେତେ ଖୋଜିଥିଲେ ବି ପାଇନଥିଲେ | ଏହାର କିଛି ଦିନ ପରେ ଜଣାପଡିଥିଲା ଯେ ତାନିଆ, ଆଉ ଜଣେ ଯୁବକ ରାଜେଶ କୁମାରଙ୍କ ସହ ବିବାହ କରିନେଇଛନ୍ତି | ରାଜେଶଙ୍କୁ ସେ ସ୍କୁଲ ସମୟରୁ ଭଲ ପାଉଥିଲେ ବୋଲି ସ୍ୱାମୀଙ୍କୁ ଜଣାଇଦେଇଥିଲେ | ଆଉ ଏସବୁ ବାବଦରେ ସ୍ୱାମୀ ପାଟନାରେ ଅଭିଯୋଗ କରିଥିଲେ | ଏହା ପରେ ମାମଲା ଯେତେବେଳେ କୋର୍ଟରେ ପହଞ୍ଚିଥିଲା, ସେତେବେଳେ ବିଚାରପତି ତାନିଆଙ୍କୁ ଜାମିନ ଦେଇ ପୂର୍ବ ସ୍ୱାମୀ ନଗେନ୍ଦ୍ରଙ୍କୁ ଏଭଳି ଆଶ୍ୱାସନା ଦେଇଛନ୍ତି |

The post ସ୍ତ୍ରୀ ଛାଡି ପଳାଇଥିବା ସ୍ୱାମୀଙ୍କୁ କୋର୍ଟଙ୍କ ଆଶ୍ୱାସନା: 'ପତ୍ନୀଙ୍କୁ ଭୁଲିଯାଅ, ଆଉ କାହାକୁ ଖୋଜ' first appeared on Sambad.



from ବିଶେଷ – Sambad https://ift.tt/2YtXYNv

Post a Comment

0 Comments