
ରାୟପୁର: ଛତିଶଗଡ଼ର ଦାନ୍ତେଓ୍ଵାଡ଼ାରେ ଏକ ସ୍କୁଲ୍କୁ ପୂର୍ବରୁ ଦୁଇଥର ଧ୍ୱଂସ କରିଥିବା ମାଓବାଦୀମାନେ ଆତ୍ମସମର୍ପଣ କରିବା ପରେ ପୁଣି ଥରେ ତିଆରି କରିଛନ୍ତି।
୨୦୦୮ ଏବଂ ୨୦୯୧୫ରେ ବିଦ୍ରୋହୀ ମାଓବାଦୀମାନଙ୍କ ଦ୍ୱାରା ଭଙ୍ଗାଯାଇ ଥିବା ଏହି ପରିତ୍ୟକ୍ତ ବିଦ୍ୟାଳୟ ଏବେ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହୋଇ ରହିଛି। ଅପରାଧ ବୋଧକରୁଥିବା ମାଓବାଦୀମାନଙ୍କର ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ନିମନ୍ତେ ଏହା ହେଉଛି ପ୍ରଥମ ଅଭିଯାନ। ଏହା ପରେ ସେମାନେ ରାସ୍ତାଘାଟର ପୁନଃନିର୍ମାଣ କରିବେ।
ଦାନ୍ତେଓ୍ଵାଡ଼ା ଠାରୁ ୧୦ କିଲୋମିଟର ଦୂର ମାସାପଡ଼ାର ଜଙ୍ଗଲ ଅଞ୍ଚଳରେ ଏହି ପ୍ରାଥମିକ ବିଦ୍ୟାଳୟଟି ଅବସ୍ଥିତ। ୨୦୧୧ ଜନଗଣନା ଅନୁସାରେ, ସାକ୍ଷରତା ହାର ୪୨% ଥିବା ଏହି ଜିଲ୍ଲାର ଗ୍ରାମବାସୀଙ୍କ ପାଇଁ ସ୍କୁଲ୍ ବଡ଼ ଗୌରବର କଥା। କିନ୍ତୁ, ମାଓବାଦୀମାନେ ଏ କଥାର ଗୁରୁତ୍ୱ ଉପଲବ୍ଧି କରୁ ନ ଥିଲେ। ସେମାନେ ରାସ୍ତା ଖୋଳାଖୋଳି କରିବା ସହ ବିସ୍ଫୋରଣ କରି ‘କଲଭର୍ଟ’ ସବୁ ଧ୍ୱଂସ କରିଦେବାରୁ ମାସାପଡ଼ା ସ୍କୁଲ୍ ଧ୍ୱଂସ ହୋଇଯାଇଥିଲା।
ଅସ୍ତ୍ରତ୍ୟାଗ କରି ଆତ୍ମସମର୍ପଣ କରିବା ପରେ ସେମାନେ ଆପଣା କୃତ କୁକର୍ମ ଦେଖିଥିଲେ। ଜିଲ୍ଲା ପ୍ରଶାସନର ସହାୟତାରେ ଦୀର୍ଘ ତିନି ମାସ କଠିନ ପରିଶ୍ରମ କରି ସେମାନେ ସ୍କୁଲ୍ଟିକୁ ପୁଣି ଥରେ ତିଆରି କରିଛନ୍ତି। ନିଜ ନିଜର ପିଲାମାନଙ୍କୁ ଶିକ୍ଷିତ କରାଇବା ଆବଶ୍ୟକ ବୋଲି ସେମାନେ ବୁଝିପାରିଛନ୍ତି ବୋଲି ଦାନ୍ତେଓ୍ଵାଡ଼ା ଏସ୍ପି ଅଭିଷେକ ପଲ୍ଲବ କହିଛନ୍ତି।
The post ଛତିଶଗଡ଼ରେ ଭାଙ୍ଗି ଦେଇଥିବା ସ୍କୁଲ୍ର ପୁନଃନିର୍ମାଣ କଲେ ଆତ୍ମସମର୍ପଣ କରିଥିବା ମାଓବାଦୀ first appeared on Sambad.
from ବିଶେଷ – Sambad https://ift.tt/2IW6znS
0 Comments