ସବୁଠୁ ଭଲ ଲାଗେ ଭୁବନେଶ୍ବର, ଶକ୍ତିକାନ୍ତ

ଦିଲ୍ଲୀ, ମୁମ୍ବାଇ ଓ ଚେନ୍ନାଇ ଭଳି ସହର ଥିଲା କର୍ମଭୂମି। କିନ୍ତୁ ଭୁବନେଶ୍ବରରେ ପାଠପଢ଼ା ଏବଂ ପିଲାଦିନ ବିତିଥିବାରୁ ଏହି ସହରକୁ ସବୁଠୁ ଅଧିକ ପସନ୍ଦ କରନ୍ତି ଶକ୍ତିକାନ୍ତ। ନିକଟରେ ଏକ ସାକ୍ଷାତକାରରେ ସେ ଏହା କହିଥିଲେ। ନିଜ ଜୀବନର ଅବସୋସ ସମ୍ପର୍କରେ ସେ କହିଛନ୍ତି ଯେ ମୋ ବାପା-ମା’ ଜୀବିତ ଥିଲେ ବହୁତ ଖୁସି ହୋଇଥାନ୍ତେ। ସେମାନଙ୍କୁ ହରାଇଥିବାର ଦୁଃଖ ସବୁବେଳେ ରହୁଛି। ଏହା ମୋ ଜୀବନର ସବୁଠୁ ବଡ଼ ଅବସୋସ ବୋଲି ସେ କହିଛନ୍ତି। ଓଡ଼ିଶାର ଖାଦ୍ୟ ଖାଇବାକୁ ସେ ଭଲ ପାଆନ୍ତି। ବିଶେଷ କରି ଚାଉଳରୁ ତିଆରି ବିଭିନ୍ନ ଖାଦ୍ୟ ତାଙ୍କୁ ଭଲ ଲାଗେ। ଫୁରସତ ସମୟରେ ଶାସ୍ତ୍ରୀୟ ସଙ୍ଗୀତ ଶୁଣିବାକୁ ସେ ଭଲ ପାଆନ୍ତି। କଲେଜ ଦିନରୁ ଆରମ୍ଭ ହୋଇଥିବା ତାଙ୍କର ଏହି ଅଭ୍ୟାସ ଏପର୍ଯ୍ୟନ୍ତ ଜାରି ରହିଛି। ଯେହେତୁ ସେ ଦୀର୍ଘଦିନ ଧରି ବାହାରେ ରହିଛନ୍ତି ତେଣୁ ଛୁଟି କଟାଇବା ଲାଗି ଭୁବନେଶ୍ବର ତାଙ୍କର ସବୁଠୁ ପସନ୍ଦର ସ୍ଥାନ ବୋଲି ସେ କହିଛନ୍ତି। ମହାତ୍ମା ଗାନ୍ଧୀ ଓ ତାଙ୍କ ଜୀବନ ଉପରେ ଆଧାରିତ ପୁସ୍ତକଗୁଡ଼ିକ ପଢ଼ିବାକୁ ଶକ୍ତିକାନ୍ତଙ୍କୁ ବହୁତ ଭଲ ଲାଗେ।

ଜୀବନରେ ସଫଳ ହେବାରୁ ହେଲେ ଯେଉଁ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ତାହାକୁ ମନପ୍ରାଣ ଦେଇ କରିବାକୁ ‌ଶକ୍ତିକାନ୍ତ ଆହ୍ବାନ ଦେଇଛନ୍ତି। ଓଡ଼ିଆ, ତାମିଲ, ହିନ୍ଦୀ ଓ ଇଂରାଜୀ ଭାଷାରେ ସେ ଦକ୍ଷତା ରଖିଛନ୍ତି। ଆଇଏଏସ୍‌ ଅଧିକାରୀ ଭାବେ ପ୍ରାୟ ତିନି ଦଶନ୍ଧି ଧରି କାର୍ଯ୍ୟ କରିଛନ୍ତି। ୨୦୧୭ ଜୁଲାଇରେ ହମ୍‌ବର୍ଗରେ ଅନୁଷ୍ଠିତ ଜି୨୦ ସମ୍ମିଳନୀରେ ଭାରତର ସେର୍‌ପା ଦାୟିତ୍ବ ସମ୍ଭାଳିଥିଲେ। ସେ ଜଣେ ଇତିହାସର ଛାତ୍ର ହୋଇଥିଲେ ମଧ୍ୟ ଚାକିରି କାଳ ମଧ୍ୟରେ ମୁଖ୍ୟତଃ ଅର୍ଥନୀତି ଓ ବିତ୍ତୀୟ ବିଭାଗ ଦାୟିତ୍ବରେ ରହୁଥିଲେ। କେନ୍ଦ୍ର ଅର୍ଥନୈତିକ ବ୍ୟାପାର ସଚିବ ଥିବା ବେଳେ ସେହି ସମୟର ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ୍‌ଙ୍କ ସହ ନୂଆ ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍‌କୁ ଉନ୍ମୋଚନ କରିଥିଲେ। ସେ ପଢ଼ିବା ଓ ଲେଖିବାକୁ ଭଲ ପାଆନ୍ତି। ଅର୍ଥ ସଚିବ ଭାବେ ଟଙ୍କିକିଆ ନୋଟ୍‌ରେ ଓ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ ଅନ୍ୟ ନୋଟ୍‌ରେ ତାଙ୍କ ଦସ୍ତଖତ ରହିଛି

The post ସବୁଠୁ ଭଲ ଲାଗେ ଭୁବନେଶ୍ବର, ଶକ୍ତିକାନ୍ତ first appeared on Sambad.



from ବିଶେଷ – Sambad https://ift.tt/3gQ8iYl

Post a Comment

0 Comments