‘ମଦ ନିଷିଦ୍ଧ’ ରାଜ୍ୟ ବିହାରର ପୁରୁଷମାନେ ମହାରାଷ୍ଟ୍ର ଅପେକ୍ଷା ଅଧିକ ମଦ୍ୟପାନ କରନ୍ତି: ସରକାରୀ ସର୍ଭେ

ନୂଆଦିଲ୍ଲୀ: ‘ମଦ୍ୟପାନ ନିଷିଦ୍ଧ’ ଘୋଷିତ ରାଜ୍ୟ ବିହାରରେ ଏବେ ବି ପୁରୁଷମାନେ ମହାରାଷ୍ଟ୍ର ଅପେକ୍ଷା ଅଧିକ ମଦ୍ୟପାନ କରନ୍ତି। ଏହା କୌଣସି ମନଗଢ଼ା ରିପୋର୍ଟ ଉପରେ ଆଧାରିତ ନୁହେଁ; ବରଂ ନିକଟରେ ପ୍ରକାଶିତ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌) ୨୦୧୯-୨୦ର ପ୍ରଥମ ପର୍ଯ୍ୟାୟରେ ପ୍ରକାଶ ପାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ୨୦୧୬ ଏପ୍ରିଲ ଠାରୁ ବିହାରରେ ମଦ୍ୟର ବିକ୍ରୟ ମଦ୍ୟପାନ ଉପରେ ରାଜ୍ୟ ସରକାର ନିଷେଧାଦେଶ ଜାରି କାରିଛନ୍ତି।

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ, ବିହାରରେ ୧୫ ବର୍ଷରୁ ଅଧିକ ବୟସ୍କ ପୁରୁଷ ଜନସଂଖ୍ୟାର ୧୫.୫% ମଦ୍ୟପାନ କରନ୍ତି। ରାଜ୍ୟର ସହରାଞ୍ଚଳରେ ୧୫ ବର୍ଷରୁ ଅଧିକ ବୟସର ୧୪% ପୁରୁଷ ମଦ୍ୟପାନ କରୁଥିବାବେଳେ ବିହାର ଗ୍ରାମାଞ୍ଚଳରେ ଏହି ହାର ୧୫.୮% ରହିଛି।

ଅନ୍ୟପକ୍ଷରେ ମଦ ବହୁଳ ରାଜ୍ୟ ମହାରାଷ୍ଟ୍ରରେ, ୧୫ ବର୍ଷରୁ ଅଧିକ ବୟସର ୧୩.୯% ପୁରୁଷ ମଦ୍ୟପାନ କରନ୍ତି ବୋଲି ଏହି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି। ରାଜ୍ୟର ସହରାଞ୍ଚଳରେ ଏହିପରି ଜନସଂଖ୍ୟାର ୧୩% ମଦ୍ୟପାନ କରୁଥିବାବେଳେ ମହାରାଷ୍ଟ୍ରର ଗ୍ରାମାଞ୍ଚଳରେ ଏହି ହାର ୧୪.୭% ରହିଛି।

DNA India

ଏହି ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ସିକିମ୍‌ରେ ମହିଳାମାନଙ୍କ କ୍ଷେତ୍ରରେ ମଦ୍ୟପାନର ମାତ୍ରା ସର୍ବାଧିକ ୧୬.୨% ପ୍ରତିଶତ ରହିଥିବା ବେଳେ ଆସାମରେ ୭.୩% ରହିଛି। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ୨୦୧୯-୨୦ ଅନୁଯାୟୀ, ଅଧିକାଂଶ ରାଜ୍ୟର ସହରାଞ୍ଚଳ ତୁଳନାରେ ଗ୍ରାମୀଣ ମହିଳାଙ୍କ ମଧ୍ୟରେ ମଦର ବ୍ୟବହାର ଯଥେଷ୍ଟ ଅଧିକ।

ଦେଶର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଗୁଜୁରାଟ ଏବଂ ଜମ୍ମୁ-କଶ୍ମୀରରେ ଏହି ହାର ସର୍ବନିମ୍ନ ରହିଛି। ୧୫ ବର୍ଷ ବୟସରୁ ଅଧିକ ପୁରୁଷଙ୍କ କ୍ଷେତ୍ରରେ ଏହି ହାର ଗୁଜୁରାଟରେ ୫.୮% ଥିବାବେଳେ ଜମ୍ମୁ-କଶ୍ମୀରରେ ରହିଛି ୮.୮୫%।

କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କରା ଯାଇଥିବା ଏହି ସର୍ଭେରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ସାମନାକୁ ଆସିଛି। ସେଇଟି ହେଲା, ମଦ୍ୟପାନ ତୁଳନାରେ ଦେଶର ସମସ୍ତ ରାଜ୍ୟରେ ତମାଖୁ ସେବନ ହାର ବହୁତ ଅଧିକ। ମିଜୋରାମରେ ସର୍ବାଧିକ ୭୫%ରୁ ଅଧିକ ପୁରୁଷ ତମାଖୁ ସେବନ କରି ଶୀର୍ଷରେ ରହିଥିବା ବେଳେ କେରଳରେ ୧୭% ଏବଂ ଗୋଆରେ ୧୮% ଲୋକ ତମାଖୁ ସେବନ କରୁଥିବା ଜାଣିବାକୁ ମିଳିଛି।

The post ‘ମଦ ନିଷିଦ୍ଧ’ ରାଜ୍ୟ ବିହାରର ପୁରୁଷମାନେ ମହାରାଷ୍ଟ୍ର ଅପେକ୍ଷା ଅଧିକ ମଦ୍ୟପାନ କରନ୍ତି: ସରକାରୀ ସର୍ଭେ first appeared on Sambad.



from ବିଶେଷ – Sambad https://ift.tt/3gQiZKq

Post a Comment

0 Comments