
ବିଆଇଏସ୍ ବନାମ ଆଇଏସ୍ଆଇ
ଏସ୍ଟିଏ ନିର୍ଦ୍ଦେଶ ମୁତାବକ ଚାଳକ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (ବିଆଇଏସ୍) ମାର୍କା ହେଲ୍ମେଟ୍ ପିନ୍ଧିବାକୁ ପଡ଼ିବ। ଜରୁରୀ। ନଚେତ କାର୍ଯ୍ୟାନୁଷ୍ଠାନ ହେବ। ବିଏଆଇଏସ୍ ମାର୍କ ଭଳି ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଇନ୍ଷ୍ଟିଚ୍ୟୁଟ୍ (ଆଇଏସ୍ଆଇ) ମାର୍କା ହେଲ୍ମେଟ୍ ମଧ୍ୟ ବ୍ୟବହାର ହୋଇପାରିବ ବୋଲି ସ୍ପଷ୍ଟ କରାଯାଇଛି। ତେବେ ହେଲ୍ମେଟ୍ର ବେଲ୍ଟ ଠିକ୍ରେ ବନ୍ଧା ହୋଇନଥିଲେ ଏହାକୁ ବିନା ହେଲ୍ମେଟ୍ରେ ଗାଡ଼ି ଚାଳନା ବୋଲି ଧରାଯିବ। ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କମିସନରେଟ୍ ଟ୍ରାଫିକ ସ୍ପଷ୍ଟ କରିଛି।
ଜବତ ହେବ ଗାଡ଼ି
ଚେକିଂ ବେଳେ ଲାଇସେନ୍ସ ଦେଖାଇ ନ ପାରିଲେ ଗାଡ଼ି ଜବତ ହେବ। ପୁଲିସକୁ ଚକ୍ମା ଦେଇ ଘଟଣାସ୍ଥଳରୁ ଖସିଗଲେ ଗାଡ଼ି ମାଲିକକୁ ନୋଟିସ ହେବ। ନୋଟିସ୍ ମୁତାବକ ମାଲିକ ନିଜର ଲାଇସେନ୍ସ ଦାଖଲ କରିବ ଓ ତାହାକୁ ବାତିଲ କରାଯିବ। ଲାଇସେନ୍ସ ବାତିଲ ହୋଇଥିବା ଅବଧିରେ ଗାଡ଼ି ଚଳାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ।

ଚାପରେ ପୁଲିସ
ରାଜଧାନୀରେ ଆଇନ ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ, ଆନ୍ଦୋଳନ, ଧାରଣାରେ କମିସନରେଟ୍ ପୁଲିସ ଫସି ରହିଛି। ଏବେ ଏହି କାର୍ଯ୍ୟାନୁଷ୍ଠାନ ପୁଲିସ ପାଇଁ ବୋଝ ହେବ ବୋଲି କୁହାଯାଉଛି। ଯଦି କାର୍ଯ୍ୟାନୁଷ୍ଠାନ ନ ହୁଏ ବା ପୁଲିସ କୋହଳ କରେ, ସୁପ୍ରିମକୋର୍ଟ କମିଟିଙ୍କ ଆଦେଶ କାର୍ଯ୍ୟକାରୀ ହେବ ନାହିଁ। ଏଣୁ ପୁଲିସ ଏହାକୁ ଗୁରୁତ୍ବର ସହ ନେଇଛି ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଣ୍ଟା ଭିଡ଼ିଛି। ମାତ୍ର ଟ୍ରାଫିକ୍ ଥାନା-୨ରେ କର୍ମଚାରୀ ଅଭାବ ଏଥିରେ ବାଧକ ହେବ ବୋଲି କୁହାଯାଉଛି। ୪ ଜଣ ଅଧିକାରୀ ରହିଥିବା ବେଳେ ଏନ୍ଫୋର୍ସମେଣ୍ଟ ପାଇଁ ଅତି କମ୍ରେ ଆଉ ଦୁଇ ଜଣ ଅଧିକାରୀଙ୍କର ଆବଶ୍ୟକତା ରହିଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
କରୋନା ପାଇଁ କୋହଳ ଥିଲା
କରୋନା ସଙ୍କଟ ପୂର୍ବରୁ କମିସନରେଟ୍ ଟ୍ରାଫିକ୍ ବ୍ୟବସ୍ଥାର ସମସ୍ତ ନିୟମ ଲାଗୁ କରିଥିଲା। ବିନା ହେଲ୍ମେଟ୍ରେ, ଗାଡ଼ିର ବୈଧ କାଗଜପତ୍ର ବିନା, ଭୁଲ୍ ରାସ୍ତାରେ ଗାଡ଼ି ଚାଳନା, ମୋବାଇଲ୍ ଫୋନ୍ରେ କଥା ହୋଇ ଗାଡ଼ି ଚଳାଇବା ଓ ବିନା ଲାଇସେନ୍ସରେ ଗାଡ଼ି ଚଳାଇବା ଆଦି ବିଭିନ୍ନ ବେଆଇନ୍ ଚାଳନା ଉପରେ ଭାରୀ ଜରିମାନା ଲାଗୁ କରିଥିଲା। ଏଥିପାଇଁ ବହୁ ସମୟରେ ପୁଲିସ ଓ ଜନତା ମୁହାଁମୁହିଁ ହୋଇଥିଲେ। ପରିସ୍ଥିତି ଏମିତି ହୋଇଥିଲା ଯେ ସରକାର ସାଧାରଣ ଲୋକଙ୍କ ଅଭିଯୋଗକୁ ଗ୍ରହଣ କରି ଗାଡ଼ି କାଗଜପତ୍ର ଓ ଲାଇସେନ୍ସ ପାଇଁ ବାରମ୍ବାର କଟକଣାକୁ କୋହଳ କରିଥିଲେ ଓ ଆର୍ଟିଓ କାର୍ଯ୍ୟାଳୟରେ ଲୋକଙ୍କ ପାଇଁ ବିଭିନ୍ନ ସୁବିଧା କରାଇଥିଲେ। ତଥାପି ଲୋକଙ୍କ ସମସ୍ୟାର ଅନ୍ତ ହୋଇନଥିଲା। ତେବେ ଏଭଳି ସମୟରେ ମହାମାରୀ କରୋନା ବ୍ୟାପିବାରୁ ମୋଟରଯାନ ଆଇନକୁ ନେଇ କାର୍ଯ୍ୟାନୁଷ୍ଠାନ ବନ୍ଦ ହୋଇଗଲା। ତେଣୁ ଏବେ ପୁଣି ଏହି ଆଇନ କଡ଼ାକଡ଼ି ହେବାକୁ ଯାଉଥିବାରୁ ଲୋକେ ପ୍ରସ୍ତୁତ ହେଲେଣି।
କରୋନା ପାଇଁ ମଦୁଆଙ୍କୁ କୋହଳ
ତେବେ ଜାନୁଆରିରୁ କଡ଼ାକଡ଼ି ହେବାକୁ ଯାଉଥିବା କଟକଣାରେ ମଦୁଆଙ୍କୁ କିଛିଟା ଆଶ୍ବସ୍ତି ମିଳିବା ଚର୍ଚ୍ଚା ହେଉଛି। କରୋନା କଟକଣା ପାଇଁ ମଦ୍ୟପ ଚାଳକଙ୍କର ବ୍ରେଦ୍ ଆନାଲାଇଜର୍ ପରୀକ୍ଷା ବନ୍ଦ ରହିଛି। ପାଟିରେ ପାଇପ୍ ଭର୍ତ୍ତି କରି ଏହି ପରୀକ୍ଷା କରାଯାଇଥାଏ। ଏହାଦ୍ବାରା କରୋନା ସଂକ୍ରମଣର ଭୟ ରହିଛି। ତେଣୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍ଟିଏ)ଙ୍କ ନିର୍ଦ୍ଦେଶ କ୍ରମେ ଏହା ବନ୍ଦ ରହିଛି। ଏବେ ବି କରୋନା ଭୟ ରହିଛି। ତେଣୁ ଏହି ପରୀକ୍ଷା ଆରମ୍ଭ କରିବା ନେଇ ଏସ୍ଟିଏ ସ୍ପଷ୍ଟ କରିନାହିଁ।

ତିନିଜଣିଆ ମନା
ଏଣିକି ଆଉ ବାଇକ୍ରେ ତିନି ଜଣ ବସିପାରିବେ ନାହିଁ। ପୂର୍ବରୁ ବାଇକ୍ରେ ୨ ଜଣଙ୍କ ସହ ୧୨ ବର୍ଷରୁ କମ୍ ବୟସର ପିଲା ବସିପାରିବେ ବୋଲି କୋହଳ କରାଯାଇଥିଲା। ହେଲେ ସୁପ୍ରିମକୋର୍ଟ କମିଟି କ୍ଷୁବ୍ଧ ହେବା ପରେ ଏଣିକି ଆଉ କୌଣସିମତେ ବାଇକ୍ରେ ୩ ଜଣ ଯାଇପାରିବେ ନାହିଁ। ୩ ଜଣିଆ ବାଇକ୍ ଚାଳନାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଜାନୁଆରି ୧ରୁ ଛୋଟ ପିଲା ମଧ୍ୟ ଅନ୍ୟ ଦୁଇ ଜଣଙ୍କ ସହ ବାଇକ୍ରେ ବସି ପାରିବ ନାହିଁ ବୋଲି ଭୁବନେଶ୍ବର ଆରଟିଓ-୨ ଏସ୍କେ ବିଶ୍ବାଳ ସୂଚନା ଦେଇଛନ୍ତି। ତେବେ ମାନବିକତା ଦୃଷ୍ଟି କୋଣରୁ ଏକ ପରିବାର ସଦସ୍ୟଙ୍କ ଉପରେ(ମା’ଛୁଆଙ୍କ କ୍ଷେତ୍ରରେ) ଏଭଳି କାର୍ଯ୍ୟାନୁଷ୍ଠାନ ହେଉନାହିଁ।
ବାତିଲ ହେବ ଲାଇସେନ୍ସ
ଏଥର ବେଆଇନ ଗାଡ଼ି ଚାଳନା ପାଇଁ ଲାଇସେନ୍ସ ବାତିଲ କରାଯିବ ବୋଲି ସତର୍କ କରାଇ ଦିଆଯାଇଛି। ବିନା ହେଲ୍ମେଟ୍ରେ ଗାଡ଼ି ଚଳାଇଲେ, ମଦ୍ୟପାନ କରି ଗାଡ଼ି ଚଳାଇଲେ, ମୋବାଇଲ ଫୋନ୍ରେ କଥା ହୋଇ ଗାଡ଼ିଚାଳନା କଲେ ଓ ରେଡ୍ ଲାଇଟ୍ ଡେଇଁ ଧରାପଡ଼ିଲେ ୩ ମାସ ପାଇଁ ଚାଳକର ଲାଇସେନ୍ସ ବାତିଲ ହେବ। ଏଥିସହିତ ଲାଇସେନ୍ସ ବାତିଲ ହେବା ପରେ ବି ଗାଡ଼ି ଚଳାଉଥିବାବେଳେ ଧରାପଡ଼ିଲେ ୫ ହଜାର ଟଙ୍କା ଜରିମାନା ଆଦାୟ ହେବ।
The post ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଭୁବନେଶ୍ୱର-କଟକରେ ପ୍ରସ୍ତୁତି first appeared on Sambad.
from ବିଶେଷ – Sambad https://ift.tt/2L62DBy
0 Comments