ତାଗିଦ୍‌ ପରେ ଚେତିଲେ, ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟି ଓଡ଼ିଶା ଗସ୍ତରେ ଆସିପାରନ୍ତି

ଭୁବନେଶ୍ୱର : ଓଡ଼ିଶାରେ ଗତ ୫ ବର୍ଷ ଭିତରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ୩୫% ବଢ଼ିଛି। ରାଜ୍ୟ ସରକାର ସଡ଼କ ସୁରକ୍ଷା ନେଇ ବିଭିନ୍ନ ପଦକ୍ଷେପ ନେଇଥିବା କହୁଥିଲେ ହେଁ ତାହାର ସୁଫଳ ମିଳୁନି। ତେଣୁ ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟିର ଅଧ୍ୟକ୍ଷ ଜଷ୍ଟିସ୍‌ ଅଭୟ ମନୋହର ସାପ୍‌ରେ ଗତ ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ଉପରେ ବିରକ୍ତ ହୋଇଥିଲେ। ଏହାସହ ସେ ନିଜେ ଓଡ଼ିଶା ଆସି ସ୍ଥିତି ପରଖିବେ ବୋଲି କହିଛନ୍ତି।

ଯେ କୌଣସି ମୁହୂର୍ତ୍ତରେ ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟି ଓଡ଼ିଶା ଆସିବାର ଥିବାରୁ ରାଜ୍ୟ ସରକାର ତତ୍ପର ହୋଇଉଠିଛନ୍ତି। ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟି ବର୍ଷେ ହେଲା ଯେଉଁ ସବୁ ସୁପାରିସ୍‌ କରିଆସୁଥିଲେ, ତାହାକୁ ରାଜ୍ୟରେ ତୁରନ୍ତ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ନିକଟରେ ସବୁ ଜରୁରୀକାଳୀନ ସେବା ପାଇଁ ଗୋଟିଏ ନମ୍ବର ‘୧୧୨’ ଜାରି ହୋଇଥିବା ବେଳେ ଏବେ ଦୁର୍ଘଟଣା କମାଇବାକୁ ଜରିମାନା ଆ‌ଦାୟକୁ ଗୁରୁତ୍ବ ଦିଆଯାଇଛି।

The Hindu

ସୂଚନାଯୋଗ୍ୟ ଯେ ୨୦୧୪ରୁ ୨୦୧୯ ମଧ୍ୟରେ ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ୩୫% ବଢ଼ିଛି। ୨୦୧୭ ମସିହାରେ ଏହା କମିଥିଲେ ହେଁ ରାଜ୍ୟ ସରକାର ଏହି ଧାରା ଜାରି ନ ରଖିପାରିବାରୁ କମିଟି ଅସନ୍ତୋଷ ବ୍ୟକ୍ତ କରିଛି। ତେଣୁ ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ମୁଖ୍ୟତଃ ଯେଉଁ ସବୁ କାରଣ ଯଥା ହାଲୁକା‌ ମୋଟର ଯାନ ଓ ଦୁଇ ଚକିଆ ଯାନର ଦ୍ରୁତ ଗତି, ହେଲମେଟ୍‌ ଓ ସିଟ୍‌ ବେଲ୍‌ଟ ନପିନ୍ଧିବା, ମଦ ପିଇ ଗାଡ଼ି ଚଳାଇବା, ଭୁଲ୍ ଦିଗରେ ଗାଡ଼ି ଚଲାଇବା ଯୋଗୁଁ ହେଉଛି; ସେଗୁଡ଼ିକ ଉପରେ ରୋକ୍‌ ଲଗାଇବାକୁ ସୁପ୍ରିମକୋର୍ଟ କମିଟି କହିଛି। ଏ ସବୁ ଦିଗରେ ବିଭିନ୍ନ ବିଭାଗ ପଦକ୍ଷେପ ନେବା ସହ ମୋଟର ଯାନ (ସଂଶୋଧନ) ଆଇନ ୨୦୧୯କୁ କଡ଼ାକଡ଼ି ଲାଗୁ କରିବାକୁ ମୁଖ୍ୟ ସଚିବ କହିଛନ୍ତି। ନିୟମ ଉଲ୍ଲଂଘନକାରୀଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିବାକୁ ବି କୁହାଯାଇଛି।

ସେହିପରି ପ୍ରତି ମାସରେ ମୁଖ୍ୟ ସଚିବ ସଡ଼କ ସୁରକ୍ଷା ନେଇ ସମୀକ୍ଷା କରିବେ। ଏପ୍ରିଲ ୧୫ ସୁଦ୍ଧା ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟିକୁ ଏନେଇ ଏକ ବିସ୍ତୃତ ରିପୋର୍ଟ ଦେବେ।

ସୂଚନାଯୋଗ୍ୟ ଯେ ଦେଶରେ ପ୍ରତିଦିନ ୧୨୧୪ଟି ଦୁର୍ଘଟଣା ହେଉଥିବା ବେଳେ ୩୭୭ଜଣଙ୍କର ମୃତ୍ୟୁ ହେଉଛି। ପ୍ରତି ଘଣ୍ଟାରେ ୧୬ଜଣ ମରୁଛନ୍ତି। ମୋଟ୍‌ ଦୁର୍ଘଟଣାର ୨୫% ମୃତକ ବାଇକ୍‌ ଚାଳକ। ୧୪ ବର୍ଷରୁ କମ୍‌ ୨୦ ଜଣ ଶିଶୁ ପ୍ରତି ଦିନ ସଡ଼କ ଦୁର୍ଘଟଣାରେ ମରୁଛନ୍ତି। ଏପଟେ ଓଡ଼ିଶାରେ ୨୦୧୯ରେ ୪୬୮୮ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏଥିରେ ୨୩୯୮ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିରୁ ୨୧୫୬ଜଣ ହେଲମେଟ୍‌ ପିନ୍ଧି ନଥିବାରୁ ମୃତ୍ୟୁ ହୋଇଥିଲା।

The post ତାଗିଦ୍‌ ପରେ ଚେତିଲେ, ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟି ଓଡ଼ିଶା ଗସ୍ତରେ ଆସିପାରନ୍ତି first appeared on Sambad.



from ବିଶେଷ – Sambad https://ift.tt/2VNTC26

Post a Comment

0 Comments