ବଜାରରେ ମିଳୁଛି ୯୦ ପ୍ରକାର ହେଲମେଟ୍‌, ଦାମ୍ ୭୫୦ ଟଙ୍କାରୁ ୪୨ ହଜାର

ଭୁବନେଶ୍ୱର : ବାଇକ୍‌ ସହଯାତ୍ରୀ ହେଲମେଟ୍‌ ପିନ୍ଧିବା ବାଧ୍ୟତାମୂଳକ। ଆସନ୍ତା ଜାନୁଆରିରୁ କଡ଼ାକଡ଼ି ଭାବେ ନିୟମ ଲାଗୁ ହେବ। ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପରିବହନ ବିଭାଗ ପକ୍ଷରୁ ନିଷ୍ପତ୍ତି ହେବା ପରେ ଏବେ ହେଲ୍‌ମେଟ୍‌ ଚାହିଦା ଯଥେଷ୍ଟ ବଢ଼ିଯାଇଛି। ହେଲମେଟ୍‌ ଦୋକାନରେ ଧୀରେଧୀରେ ବେପାର ବଢ଼ିବା ଆରମ୍ଭ ହୋଇଛି। ବଜାରରେ ଏବେ କେଉଁ କେଉଁ ହେଲମେଟ୍‌ ଉପଲବ୍ଧ ରହିଛି, କେତେ ପ୍ରକାରର ହେଲମେଟ୍‌ ମିଳୁଛି, ଦାମ୍ କେତେ ରହିଛି ସେ ନେଇ ଆମ ଟିମ୍ ରାଜଧାନୀର ବିଭିନ୍ନ ହେଲ୍‌ମେଟ୍‌ ସୋ’ ରୁମ୍ ବୁଲିଥିଲା। କଟକ ରୋଡ୍‌ରେ ଥିବା ଏକ ହେଲମେଟ୍‌ ସୋ’ ରୁମରେ ଜାତୀୟ, ଅନ୍ତର୍ଜାତୀୟ ବ୍ରାଣ୍ଡ ମିଶାଇ ୧୧ରୁ ଅଧିକ କମ୍ପାନିର ହେଲ୍‌ମେଟ୍‌ ଉପଲବ୍ଧ ରହିଛି। ୯୦ ପ୍ରକାରରୁ ଅଧିକ ହେଲ୍‌ମେଟ୍‌ ମି​ଳୁଛି। ଦାମ୍ ୭୫୦ଟଙ୍କାରୁ ଆରମ୍ଭ ହୋଇ ୪୨ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ଦାମୀ ଅତ୍ୟାଧୁନିକ ହେଲ୍‌ମେଟ୍‌ରେ ମ୍ୟୁଜିକ ସିଷ୍ଟମ୍, ଉତ୍ତମଧରଣର ସନ୍ ଗ୍ଲାସ୍, ଉଚ୍ଚ କ୍ବାଲିଟିର ଫାଇବର ଆଦି ଅନେକ ସୁବିଧା ରହିଛି। ଦାମୀ ହେଲ୍‌ମେଟ୍‌ ଜୀବନ ରକ୍ଷାକାରୀ ମଧ୍ୟ ବୋଲି ସୋ’ରୁମ୍ କର୍ମଚାରୀ କହିଛନ୍ତି। ଏବେ ଆଇଏସ୍ଆଇ ମାର୍କ ହେଲ୍‌ମେଟ୍‌ ଉପଲବ୍ଧ ହେଉଥିବା ବେଳେ ବିଆଇଏସ୍ ମାର୍କ ହେଲମେଟ୍ ବଜାରକୁ ଆସିନାହିଁ।

ଆମେରିକା ଓ ୟୁରୋପ ସ୍ବୀକୃତିପ୍ରାପ୍ତ ହେଲ୍‌ମେଟ ମିଳୁଛି
ଆମ ଦେଶରେ ଆଇଏସଆଇ (ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡସ୍ ଇନଷ୍ଟିଚ୍ୟୁସନ୍) ଭଳି ଆମେରିକା ଓ ୟୁରୋପ ସ୍ବୀକୃତିପ୍ରାପ୍ତ ହେଲ୍‌ମେଟ ବଜାରରେ ଉପଲବ୍ଧ ହେଉଛି। ଆମେରିକାରେ ପ୍ରଚଳିତ ଡିପାର୍ଟମେଣ୍ଟ ଅଫ୍ ଟ୍ରାନ୍ସପୋର୍ଟ(ଡଟ୍) ମାର୍କ ଉପଲବ୍ଧ ହେଉଛି। ଯୁକ୍ତରାଷ୍ଟ୍ର ଆମେରିକା ଟ୍ରାନ୍ସପୋର୍ଟ ବିଭାଗ ପକ୍ଷରୁ ଡଟ୍ ମାର୍କ ହେଲମେଟକୁ ସ୍ବୀକୃତି ମିଳିଛି। ଏହାର ଦାମ୍ ମଧ୍ୟ ଆଇଏସ୍ଆଇ ମାର୍କଠାରୁ ଅଧିକ ରହିଛି। ସେହିପରି ୟୁରୋପରେ ଇକୋନମିକ୍ କମିସନ ଅଫ୍ ୟୁରୋପ୍(ଇସିଇ) ମାର୍କ ହେଲମେଟକୁ ସ୍ବୀକୃତି ମିଳିଛି। ଏହି ହେଲ୍‌ମେଟ ମଧ୍ୟ ଭୁବନେଶ୍ବର ବଜାରରେ ଉପଲବ୍ଧ ରହିଛି।

ଫୁଟ୍‌ପାଥରେ ନକଲି ଆଇଏସ୍ଆଇ ମାର୍କା ହେଲମେଟ୍‌, ଦାମ୍ ୩ ଶହ
ସୋ’ ରୁମରେ ଆଇଏସ୍ଆଇ ମାର୍କ ହେଲମେଟ ମିଳୁଥିବା ବେଳେ ଫୁଟ୍‌ପାଥରେ ନକଲି ଆଇଏସ୍ଆଇ ମାର୍କ ହେଲ୍‌ମେଟ ମିଳୁଛି। ହେଲ୍‌ମେଟରେ ଆଇଏସ୍ଆଇ ମାର୍କ ଷ୍ଟାମ୍ପ ଲାଗିଛି ମାତ୍ର ଦାମ୍ ତିନି ଶହ ଟଙ୍କା ରହିଛି। ଜଣେ ହେଲ୍‌ମେଟ ବ୍ୟବସାୟୀଙ୍କ କହିବା ଅନୁସାରେ, ଏତେ କମ୍ ଦାମରେ ଆଇଏସ୍ଆଇ ମାର୍କ ଯୁକ୍ତ ନାମୀ କମ୍ପାନିର ହେଲମେଟ୍ ଉପଲବ୍ଧ ହେବ ନାହିଁ। ନକଲି ମାର୍କ ଲଗାଯାଇ ବିକ୍ରି କରାଯାଉଛି। ଫୁଟ୍‌ପାଥରେ ହେଲ୍‌ମେଟ ବ୍ୟବସାୟୀଙ୍କ କହିବା ଅନୁସାରେ, ଏ ବିଷୟରେ ଆମେ କିଛି ଜାଣିନୁ। ଆମ ପାଖକୁ ଯେଉଁ ମାଲ୍ ଆସୁଛି ଆମେ ତାହାକୁ ବିକ୍ରି କରୁଛୁ। ଏହି ହେଲ୍‌ମେଟର ଚାହିଦା ମଧ୍ୟ ରହିଛି। ଦିନକୁ ପ୍ରାୟ ୧୦ରୁ ୧୨ଟି ହେଲ୍‌ମେଟ ବିକ୍ରି ହେଉଛି।

ତିନିଗୁଣା ବ୍ୟବସାୟ ବଢ଼ିଛି
ଗତକାଲି ବାଇକ୍ ଆରୋହୀ ଏବଂ ପଛରେ ବସିଥିବା ବ୍ୟକ୍ତି ହେଲମେଟ୍ ପିନ୍ଧିବାକୁ ନେଇ ନିୟମ କଠୋର ହେବା ପରେ ଆଜି ଆମର ବ୍ୟବସାୟ ବଢ଼ିଛି। ସାଧାରଣତଃ ଆମ ଦୋକାନ ରବିବାର ବନ୍ଦ ରୁହେ। ମାତ୍ର ଗତକାଲି ନିୟମ କଡ଼ାକଡ଼ି ହେବା ପରେ ଆମେ ଆଜି ଭୁବନେଶ୍ବରର ସମସ୍ତ ଷ୍ଟୋରରେ ଦୋକାନ ଖୋଲିଥିଲୁ ଏବଂ ପାଖାପାଖି ୩ଗୁଣା ଅଧିକ ହେଲମେଟ୍ ଆଜି ବିକ୍ରି ହୋଇଛି। ବିକେଡବ୍ଲୁ ଷ୍ଟୋର୍‌ରେ ଆଇଏସ୍‌ଆଇ ହେଲମେଟ୍ ୭୫୦ ଟଙ୍କାରୁ ଆରମ୍ଭ କରି ୩୦ ହଜାର ଟଙ୍କାର ହେଲମେଟ୍ ରହିଛି। ଛୋଟ ପିଲା ଓ ମହିଳାଙ୍କ ହେଲମେଟ୍ ଆଜି ସବୁଠାରୁ ଅଧିକ ବିକ୍ରି ହୋଇଛି।
ଛବୀନ୍ଦ୍ର କୁମାର ସାହୁ
ମ୍ୟାନେଜର, ବନଦୁର୍ଗା କାଇନେଟିକ୍ ଵାର୍ଲ୍ଡର

ସ୍ବାଗତଯୋଗ୍ୟ ପଦକ୍ଷେପ
ପ୍ରଶାସନ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ସ୍ବାଗତଯୋଗ୍ୟ। କାରଣ କେବଳ ବାଇକ୍‌ ଆରୋହୀ ନିଜକୁ ସୁରକ୍ଷିତ ରଖି ହେଲମେଟ୍ ପିନ୍ଧି ଗାଡ଼ି ଚଳାଇବ ତା’ ନୁହେଁ, ଏହା ସହିତ ପଛରେ ବସିଥିବା ବ୍ୟକ୍ତିର ସୁରକ୍ଷା କଥା ମଧ୍ୟ ଚିନ୍ତା କରିବା ଆବଶ୍ୟକ। ତେବେ ଏହି ନିୟମ କଡ଼ାକଡ଼ି ପାଳନ ହେବା ପୂର୍ବରୁ ମୁଁ ମୋ ପୁଅକୁ ସ୍କୁଲ୍‌କୁ ନେଇ ଯିବା ବେଳେ ତାକୁ ହେଲମେଟ୍ ପିନ୍ଧାଇ ନିଏ। ତେବେ ଏଥିରେ ଜନସାଧାରଣଙ୍କର କୌଣସି ଅସୁବିଧା ହେବନାହିଁ।
ସ୍ବପ୍ନାଶୀଳା ପଲେଇ, ସ୍ବାସ୍ଥ୍ୟକର୍ମୀ

The post ବଜାରରେ ମିଳୁଛି ୯୦ ପ୍ରକାର ହେଲମେଟ୍‌, ଦାମ୍ ୭୫୦ ଟଙ୍କାରୁ ୪୨ ହଜାର first appeared on Sambad.



from ବିଶେଷ – Sambad https://ift.tt/36Mc1mn

Post a Comment

0 Comments