ଜଟିଳ ସମୟରେ ସମ୍ଭାଳିଥିଲେ ମଙ୍ଗ, ବିମୁଦ୍ରୀକରଣ ସମୟରେ ଉର୍ଜିତ ପଟେଲ୍‌ଙ୍କ ସହ

‌କଳାଧନ ମୁକାବିଲା, ଦୁର୍ନୀତି ‌ରୋକିବା ଓ ଜାଲ ନୋଟ୍ କାରବାର ଉପରେ ଅଙ୍କୁଶ ଲଗାଇବା ଭଳି କିଛି ଗୁରୁତ୍ବପୂର୍ଣ୍ଣ ଲକ୍ଷ୍ୟ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୬ ନଭେମ୍ବର ୮ରେ ବିମୁଦ୍ରୀକରଣ ଘୋଷଣା କରି ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଅଚଳ କରିଦେଇଥିଲେ। ଏହି କାର୍ଯ୍ୟ ଏତେ ଗୋପନ‌ରେ ହୋଇଥିଲା ଯେ ସରକାରୀ ବ୍ୟବସ୍ଥା ସହ ଜଡ଼ିତ ଥିବା ନେତା ମନ୍ତ୍ରୀମାନେ ମଧ୍ୟ ତାହା ଜାଣିପାରିନଥିଲେ। ବିମୁଦ୍ରୀକରଣ ଟିମ୍‌ର ଏକ ପ୍ରମୁଖ ସଦସ୍ୟ ଥିଲେ ଶକ୍ତିକାନ୍ତ। ଏହି ଗୁରୁତ୍ବପୂର୍ଣ୍ଣ ଘୋଷଣା ହେବା ପରେ ଯେତେ‌ ସବୁ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଉଥିଲା ସେଥିରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ୍‌ଙ୍କ ଅନୁପସ୍ଥିତି ସାରା ଦେଶର ଦୃଷ୍ଟି ଆକର୍ଷଣ କରିଥିଲା। ମାତ୍ର ଶାନ୍ତ ସ୍ବଭାବର ଶକ୍ତିକାନ୍ତଙ୍କ ଉପସ୍ଥିତିକୁ ସେହି ସମୟରେ ଅନେକ ଧ୍ୟାନ ଦେଇନଥିଲେ। ସେତେବେଳେ ସେ କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ବ୍ୟାପାର ସଚିବ ଭାବେ କାର୍ଯ୍ୟ କରୁଥିଲେ। ଉର୍ଜିତ ପଟେଲ୍‌ ହଠାତ୍‌ ଗଭର୍ଣ୍ଣର ପଦରୁ ଇସ୍ତଫା ପ୍ରଦାନ କରି ସରକାରଙ୍କୁ ଅଡ଼ୁଆରେ ପକାଇ ଦେଇଥିଲେ। ସେହି ସମୟରେ ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ମଧ୍ୟ‌ରେ ସମ୍ପର୍କ ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିଲା। ସରକାରଙ୍କ ଅନେକ ପ୍ରସ୍ତାବକୁ ରିଜର୍ଭ ବ୍ୟାଙ୍କ ଗ୍ରହଣ କରିବା କିମ୍ବା କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ନଥିଲା।

ଏଭଳି ଏକ ସମୟରେ ୨୦୧୮ ଡିସେମ୍ବର ୧୩ରେ ଶକ୍ତିକାନ୍ତଙ୍କୁ ଉର୍ଜିତଙ୍କ ଉତ୍ତରାଧିକାରୀ ଭାବେ ରିଜର୍ଭ ବ୍ୟାଙ୍କର ୨୫ତମ ଗଭର୍ଣ୍ଣର ଭାବେ ନିଯୁକ୍ତ କରାଯାଇଥିଲା। ଇତିହାସରେ ସ୍ନାତକ ଡିଗ୍ରି ରଖିଥିବା ଶକ୍ତିକାନ୍ତ ଥିଲେ ରିଜର୍ଭ ବ୍ୟାଙ୍କ ଇତିହାସର ବିଗତ ୨୮ ବର୍ଷ ମଧ୍ୟରେ ପ୍ରଥମ ଅଣ-ଅର୍ଥନୀତି ବିଶାରଦ ଗଭର୍ଣ୍ଣର। ସେଥିପାଇଁ ତାଙ୍କୁ ତାତ୍ସଲ୍ୟ ମଧ୍ୟ କରାଯାଇଥିଲା। ଶେଷ ଥର ଲାଗି ୧୯୯୦ରେ ଏସ୍‌ ଭେଙ୍କିଟରମଣ ଅଣ-ଅର୍ଥନୀତି ବିଶାରଦ ଭାବେ ଏହି ପଦରେ କାର୍ଯ୍ୟ କରିଥିଲେ। କିନ୍ତୁ ଆଇଏଏସ୍‌ ବା ପ୍ରଶାସନିକ ଅଧିକାରୀର ଅଭିଜ୍ଞତା ଥିବା ବ୍ୟକ୍ତି ଭାବେ ସେ ଏହି ପଦରେ ପ୍ରଥମ ବ୍ୟକ୍ତି ନଥିଲେ। ରିଜର୍ଭ ବ୍ୟାଙ୍କର ୨୫ ଜଣ ଗଭର୍ଣ୍ଣରଙ୍କ ମଧ୍ୟରୁ ୧୪ ଜଣ ପ୍ରଶାସନିକ ଅଧିକାରୀ ଥିଲେ। ତାମିଲନାଡୁ କ୍ୟାଡର୍‌ର ଆଇଏଏସ୍‌ ଅଧିକାରୀ ଶକ୍ତିକାନ୍ତଙ୍କ ନାମରେ ଅତୀତରେ ଶାଗମାଛ ଦରରେ ଜମି ଆବଣ୍ଟନ କରିବାର ଅଭିଯୋଗ ଆସିଥିଲା। ଗଭର୍ଣ୍ଣର ତାଙ୍କୁ ନିଯୁକ୍ତ କରାଯିବା ପରେ ବିଜେପି ନେତା ସୁବ୍ରମଣିଅନ ସ୍ବାମୀ ଓ କଂଗ୍ରେସର ବରି‌ଷ୍ଠ ନେତା ପି ଚିଦମ୍ବରମ ସେହି ପ୍ରସଙ୍ଗ ଉଠାଇ ଏହି ପଦ ଲାଗି ସେ ଯୋଗ୍ୟ ପ୍ରାର୍ଥୀ ନୁହନ୍ତି ବୋଲି ପ୍ରଚାର କରିବାକୁ ଉଦ୍ୟମ କରାଯାଇଥିଲା। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ପଦ ପାଇଁ କୌଣସି ନିର୍ଦିଷ୍ଟ ଯୋଗ୍ୟତାର ମାନଦଣ୍ଡ ଧାର୍ଯ୍ୟ କରାଯାଇନାହିଁ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ର ଅନୁମୋଦନ ଅନୁସାରେ ଏହି ପଦବୀ ପୂରଣ ହୋଇଥାଏ। ଯଦିଓ ଶକ୍ତିକାନ୍ତ ଉଭୟ ସ୍ନାତକ ଓ ସ୍ନାତକୋତ୍ତର ପାଠ ଇତିହାସରେ ପଢ଼ିଥିଲେ କିନ୍ତୁ ପରବର୍ତୀ ସମୟରେ ସେ ଆଇଆଇଏମ୍ ବାଙ୍ଗାଲୋର୍‌ରୁ ଫାଇନାନ୍ସିଆଲ୍ ମ୍ୟାନେଜମେଣ୍ଟ୍‌ କୋର୍ସ ମଧ୍ୟ କରିଥିଲେ। ତେଣୁ ଆର୍ଥିକ ଜଗତ ତାଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ ନଥିଲା। ଯେଉଁ ସମୟରେ ଶକ୍ତିକାନ୍ତଙ୍କୁ ଏହି ନିଯୁକ୍ତି ମିଳିଥିଲା ସେହି ସମୟରେ ସରକାରଙ୍କ ବିରୋଧରେ ଏକ ଅପପ୍ରଚାର ହେଉଥିଲା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଯୋଗ୍ୟ ବ୍ୟକ୍ତିଙ୍କୁ ଚାହୁନାହାନ୍ତି। ଯେଉଁମାନେ ତାଙ୍କ କଥାରେ ବସଉଠୁ ହେବାକୁ ପ୍ରସ୍ତୁତ ଓ ସରକାରଙ୍କ ଏଜେଣ୍ଡାକୁ ଯିଏ ଆଗକୁ ବଢ଼ାଇପାରିବେ ସେମାନଙ୍କୁ ଗୁରୁତ୍ବପୂର୍ଣ୍ଣ ପଦ ଦିଆଯାଉଛି। କିନ୍ତୁ ଦୁଇ ବର୍ଷର କାର୍ଯ୍ୟକାଳ ସମୟରେ ଶକ୍ତିକାନ୍ତ ଲୋକମାନଙ୍କ ସେହି ଭାବନାକୁ ଭୁଲ ପ୍ରମାଣିତ କରିବାରେ ସଫଳ ହୋଇଛନ୍ତି। ଦକ୍ଷ ଆର୍ଥିକ ଗୋଟି ଚାଳନା ଜରିଆରେ ସେ କରୋନା ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା‌ ସ୍ଥିତିର ସଫଳ ମୁକାବିଲା କରି ସାରା ବିଶ୍ବରେ ସୁନାମ ଅର୍ଜନ କରିଛନ୍ତି।

The post ଜଟିଳ ସମୟରେ ସମ୍ଭାଳିଥିଲେ ମଙ୍ଗ, ବିମୁଦ୍ରୀକରଣ ସମୟରେ ଉର୍ଜିତ ପଟେଲ୍‌ଙ୍କ ସହ first appeared on Sambad.



from ବିଶେଷ – Sambad https://ift.tt/3a9ZTOa

Post a Comment

0 Comments