୨୦୦୦ ବର୍ଷ ତଳେ ଇଟାଲିରେ ଉଦ୍‌ଗୀରଣ ହୋଇଥିବା ଆଗ୍ନେୟଗିରି ପାଉଁଶରୁ ବାହାରିଲା ଦୁଇଜଣ ବ୍ୟକ୍ତିଙ୍କର ଦେହାବଶେଷ

ନୂଆଦିଲ୍ଲୀ: ପ୍ରାୟ ୨୦୦୦ ବର୍ଷ ପୂର୍ବେ ପମ୍ପେଇର ‘ମାଉଣ୍ଟ୍‌ ଭେଜୁଭିୟସ୍‌’ରୁ ଉଦ୍‌ଗୀରଣ ହୋଇଥିବା ଲାଭା ପାଉଁଶରୁ ଦୁଇଜଣ ବ୍ୟକ୍ତିଙ୍କର କଙ୍କାଳ-ଅବଶେଷ ଆବିଷ୍କାର କରିଥିବା କଥା ରବିବାର ଦିନ ଇଟାଲିର ପ୍ରତ୍ନତାତ୍ତ୍ୱିକ ପାର୍କରେ ଗବେଷକମାନେ କହିଛନ୍ତି। ୭୯ ଶଦାବ୍ଦୀର ଏହି ଦେହାବଶେଷ ଜଣେ ଧନୀବ୍ୟକ୍ତି ଏବଂ ତାଙ୍କ କ୍ରୀତଦାସଙ୍କର ବୋଲି ବିଶ୍ୱାସ କରାଯାଉଛି।

ପମ୍ପେଇ ସୀମାନ୍ତ ଅଞ୍ଚଳରେ ଥିବା ଗ୍ରାଣ୍ଡ୍‌ ଭିଲ୍ଲା ଧ୍ୱଂସାବଶେଷ ଉତ୍‌ଖନନ ସମୟରେ ଏହି ଦେହାବଶେଷ ଦୁଇଟି ବାହାରିଥିବା କଥା ସରକାରୀସୂତ୍ରରୁ ଜଣାପଡ଼ିଛି। ୨୦୧୭ରେ ମଧ୍ୟ ସମ୍ପୃକ୍ତ ଅଞ୍ଚଳରୁ ତିନୋଟି ଲଗାମ ଦିଆ ଘୋଡ଼ାଙ୍କର ଦେହାବଶେଷ ଆବିଷ୍କୃତ ହୋଇଥିଲା।

Image Courtesy of India Today

ସମ୍ପୃକ୍ତ ବ୍ୟକ୍ତି ଓ ତାଙ୍କର କ୍ରୀତଦାସଙ୍କର ଦେହାବଶେଷ ପରସ୍ପର ପାଖାପାଖି ପଡ଼ିଥିବା ଆବିଷ୍କାର କରାଯାଇଛି। ପ୍ରାୟ ୬.୫ ଫୁଟ୍‌ ଗଭୀର ଧୂସର ପାଉଁଶ ସ୍ତର ମଧରେ ଉଭୟ ପୋତିହୋଇ ପଡ଼ିଥିଲେ ବୋଲି ଜଣାପଡ଼ିଛି। ‘କ୍ରିପ୍ଟୋପୋଟିକସ୍‌’ ଭାବେ ଜଣାଶୁଣା ଭୂତଳ ବାରଣ୍ଡା ପାର୍ଶ୍ୱରେ ଥିବା ଏକ କୋଠରିରୁ ଦେହାବଶେଷ ଦୁଇଟି ଉଦ୍ଧାର କରାଯାଇଛି। କ୍ରୀତଦାସଟି ତରୁଣ ଏବଂ ଧନୀ ବ୍ୟକ୍ତିଜଣ ବୟସ୍କ ଥିବା କଥା ସେମାନଙ୍କ ପୋଷାକ ଓ ଚେହେରାରୁ ଅନୁମାନ କରାଯାଉଛି।

ପ୍ରତ୍ନତତ୍ତ୍ୱବିତ୍‌ ମେସିମୋ ଓସାନା କହନ୍ତି, ସମ୍ଭବତଃ ଦୁହେଁ ସୁରକ୍ଷିତ ରହିବାକୁ ‘କ୍ରିପ୍ଟୋପୋଟିକସ୍‌’ରେ ଆଶ୍ରୟ ସନ୍ଧାନ କରୁଥିବାବେଳେ ଆଗ୍ନେୟଗିରି ଉଦ୍ଗୀରଣ ଘଟିଥିଲା।

ସୂଚନାଯୋଗ୍ୟ କି, ସମ୍ପ୍ରତି ଇଟାଲିର ଦ୍ୱିତୀୟ ପ୍ରମୁଖ ପର୍ଯ୍ୟଟକ ଆକର୍ଷଣ ସ୍ଥଳ ପମ୍ପେଇ ୭୯ ଖ୍ରୀଷ୍ଟାବ୍ଦରେ ‘ମାଉଣ୍ଟ୍‌ ଭେଜୁଭିୟସ୍‌’ ଉଦଗୀରଣ ଯୋଗୁଁ ପାଉଁଶରେ ପୋତି ହୋଇ ପଡ଼ିଥିଲା।

The post ୨୦୦୦ ବର୍ଷ ତଳେ ଇଟାଲିରେ ଉଦ୍‌ଗୀରଣ ହୋଇଥିବା ଆଗ୍ନେୟଗିରି ପାଉଁଶରୁ ବାହାରିଲା ଦୁଇଜଣ ବ୍ୟକ୍ତିଙ୍କର ଦେହାବଶେଷ first appeared on Sambad.



from ବିଶେଷ – Sambad https://ift.tt/35SPzYb

Post a Comment

0 Comments