
ଯେ ପର୍ଯ୍ୟନ୍ତ ଆମର ଗୋଷ୍ଠୀ ରୋଗ ପ୍ରତିରୋଧକ ଶକ୍ତି ବିକଶିତ ନ ହୋଇଛି ଓ ପ୍ରତିଷେଧକ ଟିକା ନ ଆସିଛି ସେ ପର୍ଯ୍ୟନ୍ତ କରୋନା ଭାଇରସ ଆମ ସହିତ ରହିବ। ତେଣୁ ଆମକୁ କିଛି ମାତ୍ରାରେ ଏହି ଭାଇରସରୁ ନିଜକୁ ରକ୍ଷା କରିବାର ଉପାୟ ଓ ପଦକ୍ଷେପ ସଂପର୍କରେ ସଚେତନ ରହି ଆମର ଜୀବନଚର୍ଯ୍ୟାକୁ ଆଗକୁ ବଢ଼ାଇବାକୁ ପଡ଼ିବ। ଆମେ ନିଜେ ସଚେତନ ରହିବା ସହିତ ଆମ ପିଲାମାନଙ୍କୁ ମଧ୍ୟ ନିୟମିତ ସତର୍କ ଆଉ ସଚେତନ କରିବା ଜରୁରୀ।
କରୋନା ସଂକ୍ରମଣ ଶିଶୁମାନଙ୍କ କ୍ଷେତ୍ରରେ ଅଧିକାଂଶ ସମୟରେ ଲକ୍ଷଣବିହୀନ ହୋଇଥାଏ। କିନ୍ତୁ ଯେଉଁ ଛୋଟ ପିଲାମାନେ ଶ୍ବାସନଳୀର ରୋଗ, ହୃଦରୋଗ, ମଧୁମେହ, କ୍ୟାନସର, ଅପପୁଷ୍ଟି ଅଥବା ଅନ୍ୟ ଗୁରୁତର ରୋଗରେ ପୀଡିତ, ସେମାନଙ୍କୁ ଏହି ରୋଗ ବେଶୀ କ୍ଷତି କରିବାର ଆଶଙ୍କା ରହିଛି। ଏହି ଶିଶୁମାନଙ୍କର ଉପଯୁକ୍ତ ଚିକିତ୍ସା ଓ ଟିକାକରଣ ପାଇଁ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ଅତ୍ୟନ୍ତ ଆବଶ୍ୟକ। ଏବେ ଶୀତ ଦିନ ଆସିଗଲାଣି। ଏହି ସମୟରେ ବିଭିନ୍ନ ଶ୍ବାସରୋଗ ଜନିତ ଭାଇରାଲ ରୋଗ ହେବାର ସମ୍ଭାବନା ବେଶୀ ଥାଏ। ସେଥିପାଇଁ ସମସ୍ତ ପିଲାମାନଙ୍କୁ ଫ୍ଲୁ ଟିକାକରଣ ଜରୁରୀ।
ଅନେକ ସମୟରେ ଦେଖାଯାଉଛି ଯେ ଲକ୍ଷଣବିହୀନ କିଛି ଛୋଟ ପିଲାମାନେ ପରବର୍ତ୍ତୀ ପର୍ଯ୍ୟାୟରେ ଏକ ଗୁରୁତର ରୋଗ ମଲ୍ଟି ସିଷ୍ଟମ ଇନଫ୍ଲାମେଟୋରି ସିଣ୍ଡ୍ରମ ଇନ୍ ଚିଲଡ୍ରେନ (ଏମଆଇଏସ୍-ସି) ରେ ପୀଡିତ ହେଉଛନ୍ତି। ଏହି ରୋଗ ଶରୀରର ବିଭିନ୍ନ ଅଙ୍ଗ ଯଥା ହାର୍ଟ, ଫୁସଫୁସ୍, କିଡନି, ମସ୍ତିଷ୍କ, ରକ୍ତ ନଳୀକୁ ପ୍ରଭାବିତ କରୁଛି। ଯଦି ପିଲାର ଜ୍ବର, ବାନ୍ତି, ଝାଡ଼ା, ଦେହହାତ ଗୋଡ଼ ଫୁଲିବା, ନିଶ୍ବାସ ପ୍ରଶ୍ବାସରେ କଷ୍ଟ ଅନୁଭବ ହେବା, ଓଠ ଓ ମୁହଁ ନୀଳ ପଡ଼ିଯିବା, ଅତ୍ୟନ୍ତ ଦୁର୍ବଳ ଅନୁଭବ ହେବା, ଚେତା ବୁଡ଼ିଯିବା ଇଦ୍ୟାଦି ଲକ୍ଷଣ ଦେଖାଉଛି, ତା ହେଲେ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରରେ ତୁରନ୍ତ ପରାମର୍ଶ କରନ୍ତୁ।
ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବିଭିନ୍ନ ଗବେଷଣା ଅନୁଯାୟୀ ମା’ କ୍ଷୀରରୁ କରୋନା ଭାଇରସ ଛୁଆକୁ ସଂକ୍ରମିତ କରିନଥାଏ। ସେଥିପାଇଁ ୬ ମାସରୁ ଛୋଟ ପିଲାଙ୍କୁ ମା କ୍ଷୀରରୁ ବଞ୍ଚିତ କରନ୍ତୁ ନାହିଁ। କାରଣ ଏଥିରେ ଅନ୍ୟ ରୋଗ ପ୍ରତିରୋଧକାରୀ ଶକ୍ତି ରହିଥାଏ। ଯାହା ଶିଶୁ ପାଇଁ ଅତ୍ୟନ୍ତ ଆବଶ୍ୟକ। ଯଦି ମା କରୋନା ପଜିଟିଭ ଅଛି କିମ୍ବା ମା’ର କୋଭିଡ ୧୯ ଲକ୍ଷଣ ଅଛି ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। କରୋନା ଭାଇରସ ଶ୍ବାସକ୍ରିୟାରେ କଣିକା ଦ୍ବାରା ବ୍ୟାପିଥାଏ। ଏହା ଖାଦ୍ୟ ଦ୍ବାରା ବ୍ୟାପିନଥାଏ। କିନ୍ତୁ ଯେଉଁ ଖାଦ୍ୟ ପଦାର୍ଥ କିମ୍ବା ବାସନରେ ସଂକ୍ରମିତ ଲୋକର ଲାଳ ଲାଗିଥାଏ, ତାହା କରୋନା ଭାଇରସ ବଢ଼ାଇ ପାରେ। ସେଥିପାଇଁ ବାହାରେ ଖାଇବାରୁ ନିଜକୁ ତଥା ନିଜ ପିଲାମାନଙ୍କୁ ଦୂରେଇ ରଖନ୍ତୁ। ୨ ବର୍ଷରୁ ଅଧିକ ବୟସର ପିଲାଙ୍କୁ ଘରୁ ବାହାରକୁ ନେଲେ ମାସ୍କ ପିନ୍ଧାନ୍ତୁ, ଯାହାକି ତାଙ୍କର ନାକ ଓ ପାଟିକୁ କଭର କରୁଥିବ। ବାରମ୍ବାର ମାସ୍କକୁ ନ ଛୁଇଁବା, କଥା କହିବା ବେଳେ ମାସ୍କକୁ ତଳକୁ ନ କରିବା, ମାସ୍କ ପିନ୍ଧିବା ଓ କାଢ଼ିବା ପରେ ହାତ ଧୋଇବା କିମ୍ବା ସାନିଟାଇଜର ବ୍ୟବହାର କରିବା ଆବଶ୍ୟକ। ସେହିଭଳି ସାଙ୍ଗମାନଙ୍କ ଠାରୁ ୬ଫୁଟ ଦୂରରେ ରହି କଥାବାର୍ତ୍ତା ହେବାକୁ ମଧ୍ୟ ପିଲାମାନଙ୍କୁ ଶିକ୍ଷା ଦିଅନ୍ତୁ। ପିଲା ମାନଙ୍କୁ ଏହି ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବାର ଉପାୟ ଏବଂ ରୋଗର ଲକ୍ଷଣ ବିଷୟରେ ନିୟମିତ ଅବଗତ କରାଇବା ଆବଶ୍ୟକ।
ସହକାରୀ ପ୍ରଫେସର, ଶିଶୁ ରୋଗ ବିଭାଗ
ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଶିଶୁ ରୋଗ ଗବେଷଣା ଓ ଚିକିତ୍ସା କେନ୍ଦ୍ର
The post ସ୍ୱାସ୍ଥ୍ୟ ସମ୍ବାଦ : ଶିଶୁ ମାନଙ୍କ କ୍ଷେତ୍ରରେ ଦେଖା ଯାଉଥିବା ‘ଏମ୍ଆଇଏସ୍’ ରୋଗ first appeared on Sambad.
from ବିଶେଷ – Sambad https://ift.tt/38xpNum
0 Comments