ବ୍ରିଟିଶ ଅମଳର ପୋଲ ବୋହୁଛି କୋରାପୁଟ-ମାଲକାନଗିରି ଜିଲ୍ଲାର ବୋଝ: ଐତିହ୍ୟ ପୋଲର ସଂରକ୍ଷଣ ପାଇଁ ନାହିଁ ଆଗ୍ରହ

କୋରାପୁଟ: ଗୋଟିଏ ବ୍ରିଟିଶ ଅମଳର ଅଣଓସାରିଆ ଲୁହା ପୋଲ। ଦୁଇ ପଟ ଖାଇ ଗଲାଣି। ମଝିରେ ମଝିରେ ଭାଙ୍ଗି ବି ଯାଇଛି। ତଳୁ କଳଙ୍କି ଲାଗିଲାଣି। ଏମିତି ଏକ ବିପଦସଙ୍କୁଳ ପୋଲ କିନ୍ତୁ କୋରାପୁଟ ଓ ମାଲକାନ୍‌ଗିରି ଜିଲ୍ଲାର ଜୀବନରେଖା ପାଲିଟିଛି। ୮ ଦଶନ୍ଧିରୁ ଅଧିକ ସମୟ ଧରି ଦୁଇ ଜିଲ୍ଲାର ବୋଝ ବୋହି ଚାଲିଛି। କିନ୍ତୁ ଏହାକୁ ପ୍ରଶାସନ ଯେତିକି ଗୁରୁତ୍ବ ଦେବା କଥା ଦେଇନି। ଏହି ଐତିହାସିକ ପୋଲର ସଂରକ୍ଷଣ ବଦଳରେ ଏହା ଉପରେ ଅଧିକରୁ ଅଧିକ ଚାପ ଦେଇ ଏହାକୁ ମାଟିରେ ମିଶାଇ ଦେବାକୁ ହେଉଛି ଉଦ୍ୟମ। ଏପଟେ ପୋଲ ଭାଙ୍ଗିରୁଜି ଯାଇଥିଲେ ମଧ୍ୟ ଲୋକଙ୍କ ଜୀବନ ପ୍ରତି ଗୁରୁତ୍ବ ଦିଆଯାଉନି।

କୋରାପୁଟ ଜିଲ୍ଲା ଜୟପୁର ସହରରୁ ବୈପାରିଗୁଡା ଗଲା ବେଳକୁ ପାତ୍ରପୁଟ ପରେ ପରେ ରହିଛି ଏହି ଲୁହା ପୋଲ। ୧୯୩୧ମସିହାରେ ବ୍ରିଟିଶ ସରକାର ଏହାର ନିର୍ମାଣ କରିଥିଲେ। ମାଲକାନଗିରି ଜିଲ୍ଲା ପାଇଁ ଏହା ମୁଖ୍ୟ ରାସ୍ତା ହୋଇଥିଲାବେଳେ କୋରାପୁଟ ଜିଲ୍ଲାର ଜୟପୁର, ବୈପାରୀଗୁଡା, କୁନ୍ଦୁରା, ଲମତାପୁଟ ଆଦି ଅ˚ଚଳର ହଜାର ହଜାର ଲୋକ ଏହି ପୋଲ ଉପରେ ନିର୍ଭର କରିଥାନ୍ତି। ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ବର ଓ ମାଛକୁଣ୍ତ ଆଦି ପର୍ଯ୍ୟଟନସ୍ଥଳୀକୁ ଯିବା ପାଇଁ ଏହି ପୁରୁଣା ପୋଲ ହିଁ ଭରସା। ଏହି ପୋଲର ବିଶେଷତ୍ତ୍ବ ହେଲା ଏହା କେବଳ ଲୁହାରେ ତିଆରି ଏବ˚ ଏଥିରେ କୌଣସି ପିଲର ନାହିଁ। ନଦୀର ଗୋଟିଏ ପାର୍ଶ୍ବରୁ ଅନ୍ୟ ପାର୍ଶ୍ବ ପର୍ଯ୍ୟନ୍ତ ଏହା ଝୁଲି ହୋଇ ରହିଛି। ତେଣୁ ଏହି ପୋଲ ଏକ ଐତିହ୍ୟ ଭାବେ ବେଶ ପରିଚିତ। ଏହି ରାସ୍ତାରେ ଯାଉଥିବା ଲୋକମାନେ ଏହି ପୋଲ ପାଖରେ ନିଶ୍ଚୟ ଅଟକନ୍ତି। କେହି କେହି ଏହାକୁ ଝୁଲା ପୋଲ କହୁଥିଲାବେଳେ କିଛି ଲୋକ ଏହାକୁ ଭିକ୍ଟୋରିଆ ପୋଲ ଭାବେ ଜାଣନ୍ତି। କିନ୍ତୁ ଏହି ପୋଲ ଏବେ ଆଉ ସମ୍ପୂର୍ଣ ନିରାପଦ ହୋଇ ନାହିଁ। ଦୁଇ ପାର୍ଶ୍ବରୁ ମାଟି ଖାଇ ଯାଇଛି। ଫଳରେ ପୋଲର ସ୍ଥାୟୀତ୍ବ ନେଇ ସନ୍ଦେହ ଦେଖା ଦେଲାଣି। ପୁଣି ଲୁହା ପୋଲର ତଳ ଭାଗରେ କଳଙ୍କି ଲାଗିଗଲାଣି। ପୋଲର ଉଭୟ ପାର୍ଶ୍ବରେ ଥିବା ବାଡ ମଧୢ ଭାଙ୍ଗି ଯାଇଛି। ତେଣୁ ଏହା ବିପଦସଙ୍କୁଳ ହୋଇ ପଡିଛି। ଏହାକୁ ମରାମତି କରିବାକୁ ପ୍ରଶାସନ ବିଲକୁଲ ଚେଷ୍ଟା କରୁ ନ ଥିଲାବେଳେ ଧନଜୀବନ ପ୍ରତି ବିପଦର ଆଶଙ୍କା ଦେଖା ଦେଇଛି। ଏପରିକି କେତେବେଳେ ବଡ ଧରଣର ଦୁର୍ଘଟଣା ଯେ, ନ ଘଟିବା ତାହା ବି କହି ହେବନି।

କୋରାପୁଟ-ମାଲକାନଗିରି ଏହି ରାସ୍ତାକୁ ରା˚ଚି-ବିଜୟଵାଡା କରିଡର ଭାବେ ଘୋଷଣା କରିବା ପରେ ଏହାର ଗୁରୁତ୍ବ ଢେର ବଢିଯାଇଛି। ଏହି ରାସ୍ତାକୁ ଓସାରିଆ କରାଯିବା ସହ ଚିକ୍‌କଣ କରାଯାଇଛି। ଦିନକୁ ହଜାର ହଜାର ଗାଡି ଏହି ରାସ୍ତାରେ ଯାଉଛି। ସରକାରୀ, ବେସରକାରୀ ବସ୍‌ ସହିତ ପର୍ଯ୍ୟଟକଙ୍କ ଗାଡି ଯାଉଛି। ଓଡ଼ିଶା ସମେତ ଆନ୍ଧ୍ର, ଛତିଶଗଡର ବହୁ ପର୍ଯ୍ୟଟକ ଆସୁଛନ୍ତି। ମାଓ ଅ˚ଚଳ ପାଇଁ ଗମନାଗମନର ପ୍ରମୁଖ ମାଧୢମ ହୋଇଥିବା ଏହି ରାସ୍ତାକୁ ପୁଲିସ୍‌ ଓ ଅର୍ଧସାମରିକ ବାହିନୀ ବ୍ୟବହାର କରୁଛନ୍ତି। ମାତ୍ର ପୋଲଟି ଅଣଓସାରିଆ ଥିବାରୁ ଗାଡି ଚଳାଚଳରେ ବାଧା ଉପୁଜୁଛି। ଛୋଟ ଛୋଟ ଦୁର୍ଘଟଣା ମଧୢ ଘଟୁଛି। କିନ୍ତୁ ଏଥିପାଇଁ କିଛି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଉନି। ଚାଲିଛି ତ ଚାଲିଛି ନ୍ୟାୟରେ ଏହାକୁ ଗୁରୁତ୍ବ ଦେଇନି ପ୍ରଶାସନ। ଏଥିନେଇ ଜାତୀୟ ରାଜପଥ ପ୍ରାଧୀକରଣର ନିର୍ବାହୀ ଯନ୍ତ୍ରୀ ଅଜୟ ମହାନ୍ତିଙ୍କୁ ପଚାରିବାରୁ ସେ କହିଲେ ଯେ, ପୋଲଟି ପୁରୁଣା ହୋଇଗଲାଣି। କିନ୍ତୁ ବିପଦସଙ୍କୁଳ ଘୋଷଣା କରାଯାଇନି। ଅବଶ୍ୟ ପୋଲଟି ଅଣ ଓସାରିଆ ଥିବାରୁ ଗମନାଗମନରେ ବାଧା ପହଞ୍ଚୁଛି। ତେଣୁ ଏକ ନୂଆ ପୋଲ ତିଆରି କରିବା ପାଇଁ ଯୋଜନା କରାଯାଇଛି। ଏଥିନେଇ ସରକାରଙ୍କୁ ପ୍ରସ୍ତାବ ପଠାଯାଇଛି। ନୂଆ ପୋଲ ପାଇଁ ମାଟି ମଧ୍ୟ ପରୀକ୍ଷା କରାଯାଇଛି। ସରକାରଙ୍କ ଅନୁମୋଦନ ମିଳିବା ପରେ ଯାଇ ଏଠାରେ ଏକ ନୂଆ ପୋଲ ନିର୍ମାଣ ଆରମ୍ଭ ହେବ ବୋଲି ସେ କହିଛନ୍ତି।

The post ବ୍ରିଟିଶ ଅମଳର ପୋଲ ବୋହୁଛି କୋରାପୁଟ-ମାଲକାନଗିରି ଜିଲ୍ଲାର ବୋଝ: ଐତିହ୍ୟ ପୋଲର ସଂରକ୍ଷଣ ପାଇଁ ନାହିଁ ଆଗ୍ରହ first appeared on Sambad.



from ବିଶେଷ – Sambad https://ift.tt/3e5LqTo

Post a Comment

0 Comments