
ଭୁବନେଶ୍ୱର : ଓଡ଼ିଶାରେ ଆତଙ୍କବାଦୀ କାର୍ଯ୍ୟକଳାପର ଅନେକ ଛାପ ରହିଛି। ରାଜ୍ୟରେ କେଉଁଠି ଆତଙ୍କବାଦୀ ଆକ୍ରମଣ ହୋଇନାହିଁ ସତ କିନ୍ତୁ ଅନେକ କାର୍ଯ୍ୟକଳାପର ପ୍ରମାଣ ରହିଛି। ଦୁର୍ଦ୍ଦାନ୍ତ ଆତଙ୍କବାଦୀ ସଂଗଠନ ଇଣ୍ଡିଆନ ମୁଜାହିଦ୍ଦିନ(ଆଇଏମ୍)ର ଦୁଇ ସଦସ୍ୟ ଓଡ଼ିଶା ଆସି ରେକି କରି ଫେରିଥିଲେ। ଦିଲ୍ଲୀ ପୁଲିସର ସ୍ପେସାଲ ସେଲ୍ ହାତରେ ଧରା ପଡ଼ିବା ପରେ ଏସବୁର ପର୍ଦ୍ଦାଫାସ୍ ହୋଇଥିଲା। ୨୦୧୪ ଏପ୍ରିଲରେ ଦିଲ୍ଲୀ ପୁଲିସ ହାତରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ତେହେସିନ୍ ଅଖତର ଏବଂ ଵାକସ୍ ଧରା ପଡ଼ିବା ପରେ ପୂରା ଘଟଣାର ପର୍ଦ୍ଦାଫାସ୍ ହୋଇଥିଲା।
ସେମାନେ ପୁଲିସ ନିକଟରେ ଦେଇଥିବା ବୟାନ ଅନୁସାରେ, ୨୦୧୪ ମାର୍ଚ୍ଚରେ ଭୁବନେଶ୍ବର ଆସିଥିଲେ। ରେଳ ଷ୍ଟେସନ ପାଖରେ କମ୍ ମୂଲ୍ୟରେ ଏକ ଲଜ୍ରେ ଘର ନେଇଥିଲେ। ସେଠାରେ କିଛିଦିନ ରହିବା ସହ ଟ୍ରେନରେ ପୁରୀ ଓ କଟକ ଯାଇ ଫେରିଥିଲେ। ସେମାନେ ରେକି କରିଥିଲେ ବୋଲି ଅନୁମାନ କରା ଯାଇଥିଲା। ଯାହା ସେତେବେଳେ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ଗୁଇନ୍ଦା କାର୍ଯ୍ୟଦକ୍ଷତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ହୋଟେଲ ଓ ଲଜ୍ ଗୁଡ଼ିକରେ ଗ୍ରାହକଙ୍କ ସମସ୍ତ ଠିକଣା ସହ ପରିଚୟପତ୍ର ରହୁଥିଲେ ବି କେମିତି ସେମାନେ ଏଠାରେ କିଛିଦିନ ରହିଥିଲେ ତାହାକୁ ନେଇ ମଧ୍ୟ କମିସନରେଟ ପୁଲିସ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। କାରଣ ଲଜ୍ ଓ ହୋଟେଲ ଗୁଡ଼ିକ ସେମାନଙ୍କର ପ୍ରତ୍ୟେକ ଦିନ ଗ୍ରାହକମାନଙ୍କର ପରିଚୟପତ୍ର ସହ ରେଜିଷ୍ଟର ଦାଖଲ କରିବାର ନିୟମ ରହିଛି। ପୁଲିସ ତାହାକୁ ପ୍ରତ୍ୟକ୍ଷ ଭାବେ ଯାଞ୍ଚ କରି ଫେରାଇବ। ଯଦି କେଉଁ ଗ୍ରାହକଙ୍କ ସମ୍ପର୍କରେ ସନ୍ଦେହ ସୃଷ୍ଟି ହେଲା ତା’ହେଲେ ଖୋଳତାଡ଼ ଆରମ୍ଭ କରିବାର ନିୟମ ରହିଛି। କେମିତି ଏହି ନିୟମକୁ ପାଳନ କରା ଯାଉଥିଲା ତାହାକୁ ନେଇ ମଧ୍ୟ ସେତେବେଳେ ପ୍ରଶ୍ନ ଉଠିଥିଲା।
ସେତେବେଳେ କମିସନରେଟ ପୁଲିସ ଦିଲ୍ଲୀ ପୁଲିସ ସହ ଯୋଗାଯୋଗରେ ରହିଥିଲେ ମଧ୍ୟ ଅଧିକ ତଥ୍ୟ ହାସଲ କରି ପାରି ନ ଥିଲା। ସେମାନେ କାହିଁକି ଭୁବନେଶ୍ବର ଆସିଥିଲେ? କାହିଁକି ପୁରୀ ଓ କଟକ ବୁଲିଥିଲେ? ସଡ଼କ ପଥରେ ନ ଯାଇ କାହିଁକି ଟ୍ରେନକୁ ବାଛିଥିଲେ? ଏହା ପଛରେ ସେମାନଙ୍କ ଉଦ୍ଦେଶ୍ୟ କ’ଣ ଥିଲା? କିଛି ଅଘଟଣ ଘଟାଇବାକୁ ରେକି କରିଥିଲେ କି? ରେକି ସମୟରେ ଭୁବନେଶ୍ବର, ପୁରୀ ଓ କଟକ ସମ୍ପର୍କରେ ତଥ୍ୟ ହାସଲ କରିଥିଲେ କି? ଏ ସବୁ ପ୍ରଶ୍ନ ଏବେ ଅସମାହିତ ହୋଇ ରହିଛି। ହୁଏତ ସେମାନଙ୍କ ଗିରଫଦାରୀ ପରେ ବଡ଼ ଅଘଟଣ ଏଡ଼ାଇ ଯାଇ ହେଲା ବୋଲି କୁହାଯାଇପାରେ। ଏବେ ରାଜଧାନୀ କେତେ ସୁରକ୍ଷିତ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।
The post ଓଡ଼ିଶା ଉପରେ ଆତଙ୍କବାଦୀ ଆଖି : ରେକି କରିଥିଲେ ଇଣ୍ଡିଆନ ମୁଜାହିଦ୍ଦିନର ଦୁଇ ସଦସ୍ୟ, ଭୁବନେଶ୍ୱରରେ ରହି ପୁରୀ ଓ କଟକ ବୁଲିଥିଲେ first appeared on Sambad.
from ବିଶେଷ – Sambad https://ift.tt/35pXJ8W
0 Comments