ଓଡ଼ିଶା ଉପରେ ଆତଙ୍କବାଦୀ ଆଖି : ଏପଟେ ସୁରକ୍ଷ‌ା ବଳୟ ସେପଟେ ମୁକୁଳା ଶ୍ରୀମନ୍ଦିର

ପୁରୀ : କରୋନା ପାଇଁ ଏବେ କଡ଼ା କଟକଣା। ତେବେ ଏହି କଟକଣା ମଧ୍ୟରେ ମହାପ୍ରଭୁଙ୍କ ଶ୍ରୀମନ୍ଦିର ସୁରକ୍ଷା ଏବେ ମୁକୁଳା। ଗୋଟିଏ ପଟେ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ଅନୁମତି ନ ଥିବାବେଳେ ଅନ୍ୟପଟେ ଧୋତି, ମକୁଟା ପିନ୍ଧା ଭକ୍ତଙ୍କୁ ସେବାୟତ ଭାବି ପୁଲିସ ସହଜରେ ଛାଡ଼ିଦେଉଛି। ଅତୀତରେ ଏହାର ଅନେକ ଉଦାହରଣ ମଧ୍ୟ ରହିଛି। ତେବେ ଗତକ‌ାଲି ୪ ଜଣ ଭକ୍ତ ପାଟ ମକୁଟା ପିନ୍ଧି ଶ୍ରୀମନ୍ଦିରରେ ପହଞ୍ଚିବା ଓ ପରେ ବିମଳାଙ୍କ ମନ୍ଦିର ନିକଟରେ ସେମାନଙ୍କୁ ଚିହ୍ନଟ କରାଯିବା ପରେ ଏକ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା।

ଏହି ଘଟଣା ପରେ ଏବେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। କଟକଣା ଆଳ କରି ପୁଲିସ ଏବେ ଅଧିକ ଖାମଖିଆଲ ହୋଇପଡ଼ିଛି। ସେବକ ଓ ଭକ୍ତଙ୍କ ମଧ୍ୟରେ ଫରକ ବାରି ପାରୁନଥିବାରୁ ଏଭଳି ଘଟଣା ଘଟିଛି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ପରିସରରେ ସୁରକ୍ଷା ପାଇଁ ଲାଗିଥିବା ସମସ୍ତ ସିସି କ୍ୟାମେରା ଅଚଳ ହୋଇପଡ଼ିଛି। ମନ୍ଦିର ପରିସର‌ରେ ମାଙ୍କଡ଼ଙ୍କ ଉପଦ୍ରବ ଯୋଗୁଁ ଏ ସମସ୍ତ ସିସି କ୍ୟାମେରା ଭାଂଗିଯାଇଛି। ଏବେ ପୁଣିଥରେ ଏ ସମସ୍ତ ସିସି କ୍ୟାମେରା ଲଗାଇବାକୁ କୋଟିଏରୁ ଅଧିକ ଟଙ୍କା ଖର୍ଚ୍ଚ ହେବାକୁ ଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଏଥି ପ୍ରତି ଆଦୌ ଦୃଷ୍ଟି ଦେଉନାହିଁ। ଫଳରେ ଶ୍ରୀମନ୍ଦିରରେ କିଛି ଅଘଟଣ ହେଲେ ଏହାକୁ ଚିହ୍ନଟ କରିବା ପୁଲିସ ପାଇଁ ସହଜ ହେବ ନାହିଁ। ଶ୍ରୀମନ୍ଦିର ପ୍ରଶାସନ, ପୁଲିସ ଏବେ ଭିଡ଼ ନଥିବାରୁ ମନ୍ଦିର ସୁରକ୍ଷାକୁ ଆବଶ୍ୟକ ଗୁରୁତ୍ବ ଦେଉନଥିବା ଅଭିଯୋଗ ହୋଇଛି।

ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗିଥିବାରୁ ଏବେ ମନ୍ଦିର ଜନଶୂନ୍ୟ ରହିଛି। ଫଳରେ ଏବେ ମନ୍ଦିରରେ ଯାଞ୍ଚ ବ୍ୟବସ୍ଥ‌ା ନାହିଁ। ଏହି ଆଳରେ ପୁଲିସ ଶ୍ରୀମନ୍ଦିର ସୁରକ୍ଷା କଥା ଭୁଲିଯାଇଛି। ଶ୍ରୀମନ୍ଦିରକୁ ପୂରା ମୁକୁଳା ଛାଡ଼ି ଦିଆଯାଇଛି। ପୂର୍ବରୁ ପ୍ରତ୍ୟହ ପ୍ରହରା ଦେଉଥିବା ଶତାଧିକ ପୁଲିସ ମଧ୍ୟ ନାହାନ୍ତି। କଟକଣା କାଳରେ ଶ୍ରୀମନ୍ଦିର ପୁଲିସ ସବୁ କିଛି ହାଲକା‌ରେ ନେଉଛି। ଅତି ଅସହାୟ ଅବସ୍ଥାରେ ମନ୍ଦିର ସୁରକ୍ଷାକୁ ଛାଡ଼ି ଦିଆଯାଇଛି। ସିଂହଦ୍ବାରର ସୁରକ୍ଷା ଦାୟିତ୍ବ ଜଣେ ଦୁଇ ଜଣ ଜେଟିପି ( ଜଗନ୍ନାଥ ଟେମ୍ପଲ୍ ପୁଲିସ) ହାତରେ ରହିଛି। ସେହି ଭଳି ଦକ୍ଷିଣଦ୍ବାର, ଉତ୍ତରଦ୍ବାର ଓ ପଶ୍ଚିମ ଦ୍ବାର ସୁରକ୍ଷା ବ୍ୟବସ୍ଥା ମଧ୍ୟ ଠିକ୍‌ ନାହିଁ।

ଗତକାଲି ପଶ୍ଚିମ ଦ୍ବାର ପଟେ ‌୪ ଜଣ ଭକ୍ତ ସେବାୟତ ବେଶରେ ମନ୍ଦିର ଭିତରେ ପ୍ରବେଶ କରିଥିଲେ। ସବୁଠି ଜଣେ, ଦୁଇ ଜଣ ପୁଲିସ ଶ୍ରୀମନ୍ଦିରକୁ ଜଗି ରହିଛନ୍ତି। ଚାରି ଦ୍ବାରରେ ଏବେ ସୁରକ୍ଷା ଦାୟିତ୍ବରେ ବନ୍ଧୁକଧାରୀ ପୁଲିସ ସଂଖ୍ୟା ମଧ୍ୟ କମ୍‌ ରହିଛି। ଦିନ ବେଳେ ଯାହା ଯେମିତି ହେଉଛି, ରାତିରେ ସ୍ଥିତି ଆହୁରି ଦୟନୀୟ ହୋଇପଡ଼ିଛି। ଏଭଳି ସ୍ଥିତିରେ ଯଦି କିଛି ଅଘଟଣ ଘଟେ ତେବେ ଏଥି ପାଇଁ କାହାକୁ ଦାୟୀ କରାଯିବ ବୋଲି ସ୍ଥାନୀୟ ଲୋକ ପୁଲିସକୁ ଦୋଷ ଦେଇଛନ୍ତି। କୋଟି କୋଟି ଲୋକଙ୍କ ଆରାଧ୍ୟ ମହାପ୍ରଭୁଙ୍କ ଶ୍ରୀମନ୍ଦିରକୁ ଏଭଳି ମୁକୁଳା ଛାଡ଼ିଦେବା ଘଟଣାକୁ ସେବକ ଓ ସ୍ଥାନୀୟ ଲୋକ ପ୍ରଶ୍ନ କରିଛନ୍ତି। ସରକାର ଶ୍ରୀମନ୍ଦିର ସୁରକ୍ଷା ବଳୟ ୭୫ ମିଟର ଉଚ୍ଛେଦ କରୁଥିବା ବେଳେ ଏ ପଟେ ସୁରକ୍ଷାକୁ ଢିଲା ଛାଡି ଦିଆଯାଇଛି। ଚାରିପଟେ ରହିଥିବା ୱାଚ ଟାୱାରରେ ମଧ୍ୟ ପୁଲିସ ପହରା ରହୁନାହିଁ।

The post ଓଡ଼ିଶା ଉପରେ ଆତଙ୍କବାଦୀ ଆଖି : ଏପଟେ ସୁରକ୍ଷ‌ା ବଳୟ ସେପଟେ ମୁକୁଳା ଶ୍ରୀମନ୍ଦିର first appeared on Sambad.



from ବିଶେଷ – Sambad https://ift.tt/3o992Lv

Post a Comment

0 Comments