
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଗ୍ବାଲିୟରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମନୁଷ୍ୟର ସବୁଠାରୁ ବିଶ୍ବାସଯୋଗ୍ୟ ପ୍ରାଣୀ କୁକୁରକୁ କୁହାଯାଇଥାଏ। ନିକଟରେ ଏକ କୁକୁର ନିଜ ଜୀବନକୁ ବାଜି ଲଗାଇ ଅପହରଣକାରୀଙ୍କ ଠାରୁ ମାଲିକଙ୍କ ଜୀବନ ରକ୍ଷା କରିଛି। କୁକୁରର ଆକ୍ରମଣରେ ଅପହରଣକାରୀ ଘଟଣାସ୍ଥଳ ଛାଡ଼ି ଭୟରେ ଚମ୍ପଟ ମାରିଥିଲେ।
ଏଭଳି ଏକ ଘଟଣା ଗ୍ବାଲିୟର ଭାଟିପୁର ଥାନା ଅଞ୍ଚଳର ଅଶୋକ କଲୋନିରେ ଘଟିଛି। ଏହି ଘଟଣାକୁ ନେଇ ଅତିରିକ୍ତ ଏସପି ରାଜେଶ ଦଣ୍ଡୋତିଆ କହିଛନ୍ତି, ଅଶୋକ କଲୋନିରେ ରହୁଥିବା ନିତିନ ଘରେ ଏକା ଥିଲେ। ଏହି ସମୟରେ ଏକ ଭ୍ୟାନରେ ଚାରିପାଞ୍ଚ ଜଣ ଯୁବକ ଆସି ହଠାତ ତାଙ୍କୁ ମାଡ଼ ମାରିଥିଲେ। ଆଉ ନିତିନଙ୍କୁ ଜବରଦସ୍ତି ଭ୍ୟାନରେ ବସାଇ ନେବାକୁ ଚେଷ୍ଟା କରୁଥିଲେ। ଏତିକି ବେଳେ ମାଲିକଙ୍କ ଏଭଳି ଅବସ୍ଥା ଦେଖି ନିତିନଙ୍କ କୁକୁର ଅପହରଣକାରୀଙ୍କ ଉପରେ ଆକ୍ରମଣ କରିବାକୁ ଲାଗିଥିଲା। କୁକୁର ଆକ୍ରମଣରେ ଜଣକ ପରେ ଜଣେ ଅପହରଣକାରୀ ଭୟରେ ଘଟଣାସ୍ଥଳ ଛାଡ଼ି ଦୌଡ଼ିବାକୁ ଲାଗିଥିଲେ।
କୁକୁରର ମାଲିକଙ୍କୁ ବଞ୍ଚାଇବାର ଏଭଳି ବାହାଦୁରୀ ଘଟଣାସ୍ଥଳରେ ଲାଗିଥିବା ସିସିଟିଭିରେ କୈଦ ହୋଇଯାଇଥିଲା। ନିତିନଙ୍କ ଅଭିଯୋଗ କ୍ରମେ ଅପହରଣକାରୀଙ୍କ ନାମରେ ମାମଲା ରୁଜୁ କରାଯାଇଛି। ଅପହରଣକାରୀଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରି ଦେଇଛି।
The post ଅପହରଣକାରୀଙ୍କ ଠାରୁ ମାଲିକଙ୍କୁ ବଞ୍ଚାଇବା ପାଇଁ ଜୀବନକୁ ବାଜି ଲଗାଇଦେଲା କୁକୁର first appeared on Sambad.from ବିଶେଷ | Sambad https://ift.tt/3zztsU6
0 Comments