ପ୍ଲାଷ୍ଟିକ୍‌ ଆବର୍ଜନାଜନିତ ପ୍ରଦୂଷଣ ହ୍ରାସ କରିବ ଅଣୁଜୀବଙ୍କ ଏନଜାଇମ୍ : ଅଧ୍ୟୟନ

ଗଥୁନ୍‌ବଗ୍‌: ବର୍ତ୍ତମାନ ‌ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକର ବ୍ୟବହାର ବନ୍ଦ କରିବାକୁ ସମଗ୍ର ବିଶ୍ବରେ ଅଭିଯାନ ଜାରି ରହିଛି। କାରଣ ପ୍ଲାଷ୍ଟିକର ଜୈବ ବିଘଟନ (ବା‌େୟୋ ଡିଗ୍ରେଡେବୁଲ୍) ହେଉ ନଥିବାରୁ ତାହା ପରିବେଶକୁ କ୍ଷତି ପହଞ୍ଚାଉଛି। ଏହା କିପରି ଅନ୍ୟ ପଦାର୍ଥ ଭଳି ପ୍ରାକୃତିକ ଉପାୟରେ ବିଘଟିତ ହୋଇଯିବ ସେ ନେଇ ଗବେଷଣା ଜାରି ରହିଛି।

ପ୍ଲାଷ୍ଟିକ୍‌ ପ୍ରଦୂ‌ଷଣ ସହ ତାଳ‌ ଦେଇ ପ୍ଲାଷ୍ଟିକ୍‌କୁ ବିଘଟନ କରିବାର ଦକ୍ଷତା ଥିବା ମାଇକ୍ରୋବାୟାଲ୍ ଏନଜାଇମ୍ ବା ଅଣୁଜୀବୀୟ କ୍ଷାର (ବ୍ୟାକ୍‌କ୍ଟେରିଆ ଏବଂ ଭୂତାଣୁଙ୍କ ଦେହରୁ ନିର୍ଗତ ରସ) ପରିମାଣ ମଧ୍ୟ ବୃଦ୍ଧି ପାଉଛି ବୋଲି ‘ଚାମଜ୍‌ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି’ କରିଥିବା ନୂତନ ଗବେଷଣାରୁ ଜଣାପଡ଼ିଛି। ଉପରୋକ୍ତ ଅଧ୍ୟୟନଟି ‘ଏମ୍‌ବାୟୋ ଜର୍ଣ୍ଣାଲ୍‌’ରେ ପ୍ରକାଶିତ ହୋଇଛି।

ବିଗତ ୭୦ ବର୍ଷରୁ ଅଧିକ କାଳ ହେବ ବ୍ୟାପକ ପ୍ଲାଷ୍ଟିକ୍‌ ଉତ୍ପାଦନ ହେତୁ ବୈଶ୍ବିକ ପ୍ଲାଷ୍ଟିକ୍‌ ପ୍ରଦୂଷଣ ସମସ୍ୟା ମଧ୍ୟ ବ୍ୟାପକ ହୋଇଛି। ବିଶ୍ବବ୍ୟାପୀ ବର୍ଷକୁ ୨ ନିୟୁତ ଟନ୍‌ରୁ ୩୮୦ ନିୟୁତ ଟନ୍‌ ପ୍ଲାଷ୍ଟିକ୍‌ ଆବର୍ଜନା ବାହାରୁଛି। ଦୀର୍ଘ ଦିନ ହେବ ପ୍ଲାଷ୍ଟିକ୍‌ ପ୍ରଦୂଷଣ ସଙ୍ଗଠିତ ହେଉଥିବାରୁ ଏହି ଉପାଦାନର ମୁକାବିଲା ପାଇଁ ପରିବେଶରେ ଥିବା ଅଣୁଜୀବମାନଙ୍କଠାରେ ମଧ୍ୟ ସେହି ଅନୁଯାୟୀ ବିବର୍ତ୍ତନ ଘଟିଛି। ବିଭିନ୍ନ ପ୍ରକାରର ପ୍ଲାଷ୍ଟିକ୍‌ ସବୁକୁ ବିଘଟନ କରିବା ପାଇଁ ଅଣୁଜୀବମାନଙ୍କ ଶରୀରରୁ ଭିନ୍ନ ଭିନ୍ନ ପ୍ରକାରର ପାଚକ ରସ କ୍ଷରଣ ହେଉଥିବା ବିଗତ ଅଧ୍ୟୟନଗୁଡ଼ିକରୁ ମଧ୍ୟ ଜଣାପଡ଼ିଥିଲା।

Image Courtesy of NDTV

ନୂତନ ଅଧ୍ୟୟନରେ ବିଶ୍ବର ଅନେକ ସ୍ଥାନର ବିଭିନ୍ନ ପରିବେଶରୁ ଅଣୁଜୀବମାନଙ୍କର ‘ଡିଏନ୍‌ଏ’ ନମୁନା ପରୀକ୍ଷା କରାଯାଇଥିଲା। ପ୍ଲାଷ୍ଟିକ୍‌ ବିଘଟନକାରୀ ଅଣୁଜୀବୀୟ କ୍ଷାର ସନ୍ଧାନ ପାଇଁ ଗବେଷକମାନେ କମ୍ପ୍ୟୁଟର୍‌ ମଡେଲିଙ୍ଗ୍‌ ବ୍ୟବହାର କରିଥିଲେ। ପରେ ସେଗୁଡ଼ିକୁ ବିଭିନ୍ନ ଦେଶ ଏବଂ ସମୁଦ୍ରଗୁଡ଼ିକରେ ଥିବା ପ୍ଲାଷ୍ଟିକ୍‌ ଆବର୍ଜନା ପ୍ରଦୂଷଣ ସହ ମିଳାଇ ଯାଞ୍ଚ କରାଯାଇଥିଲା।

ପ୍ରକାରାନ୍ତରେ କହିବାକୁ ଗଲେ, ବିଭିନ୍ନ ଅଞ୍ଚଳର ପ୍ଲାଷ୍ଟିକ୍‌ ପ୍ରଦୂଷଣ ସହ ପ୍ଲାଷ୍ଟିକ୍‌ ବିଘଟନକାରୀ କ୍ଷାରର ପରିମାଣ ଏବଂ ପ୍ରକାର ମଧ୍ୟ ବୃଦ୍ଧି ପାଉଛି। ସାଧାରଣରେ ବ୍ୟବହାର କରାଯାଉଥିବା ୧୦ଟି ଭିନ୍ନ ଭିନ୍ନ ପ୍ରକାରର ପ୍ଲାଷ୍ଟିକ୍‌ ବିଘଟନ ପାଇଁ ସମୁଦାୟ ୩୦,୦୦୦ରୁ ଊର୍ଦ୍ଧ୍ବ ସମ ଗୁଣ ଥିବା କ୍ଷାରର ସନ୍ଧାନ ମିଳିଛି।

Science Study Shows That Nearly 80% of the Annual Plastic Flow Into the Environment Can Be Stopped Using Existing Technology | The Pew Charitable Trusts
Image Courtesy: The Pew Charitable Trusts

ସୂଚନାଯୋଗ୍ୟ, ବିଶ୍ବର ବିଭିନ୍ନ ସମୁଦ୍ରରେ ପ୍ରତିବର୍ଷ ପ୍ରାୟ ୮ ନିୟୁତ ଟନ୍‌ ପ୍ଲାଷ୍ଟିକ୍‌ ଫିଙ୍ଗା ଯାଉଛି। ପ୍ରାକୃତିକ ଭାବେ ପ୍ଲାଷ୍ଟିକ୍‌ ବିଘଟନ ବା ଅବକ୍ଷୟ ପ୍ରକ୍ରିୟା ଖୁବ୍‌ ମନ୍ଥର। ଉଦାହରଣସ୍ବରୂପ ଏହି ପ୍ରକ୍ରିୟାରେ ଗୋଟାଏ ‘ପେଟ୍‌ ବୋତଲ୍‌’ (ପ୍ଲାଷ୍ଟିକ୍‌ ବୋତଲ) ନଷ୍ଟ ହେବାକୁ ଶହ ଶହ ବର୍ଷ ଲାଗିବ। ସମୁଦ୍ର ଓ ସ୍ଥଳଭାଗରେ ଜମା ହେଉଥିବା ପ୍ଲାଷ୍ଟିକ୍‌ ଆବର୍ଜନା ବାସ୍ତବରେ ସମସ୍ୟାଦାୟକ। ତେଣୁ, ଏହି ଆବର୍ଜନା ସବୁ କ୍ଷୟ କରିବା ଉପାୟ ନିତାନ୍ତ ଜରୁରୀ ହୋଇପଡ଼ିଛି।

ଗବେଷକମାନଙ୍କର ମନେହୁଏ, ସେମାନେ ଆବିଷ୍କାର କରିଥିବା ଅଣୁଜୀବୀୟ କ୍ଷାରକୁ କିଛି ମାତ୍ରାରେ ପରିବର୍ତ୍ତନ କରି ପ୍ଲାଷ୍ଟିକ୍‌ ଆବର୍ଜନା ବିଲୋପନ ପାଇଁ ବ୍ୟବହାର କରାଯାଇପାରିବ।

The post ପ୍ଲାଷ୍ଟିକ୍‌ ଆବର୍ଜନାଜନିତ ପ୍ରଦୂଷଣ ହ୍ରାସ କରିବ ଅଣୁଜୀବଙ୍କ ଏନଜାଇମ୍ : ଅଧ୍ୟୟନ first appeared on Sambad.

from ବିଶେଷ | Sambad https://ift.tt/3eR4LJb

Post a Comment

0 Comments