ଚେନ୍ନାଇ: ଆଜି ତାମିଲନାଡୁର କୁନ୍ନୁରରେ ସେନାର ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ ବିପିନ ରାୱତଙ୍କର ଦେହାନ୍ତ ହୋଇଯାଇଛି | ବିପିନଙ୍କ ସହ ତାଙ୍କ ପତ୍ନୀ ଓ ଅନ୍ୟ ୧୧ଜଣ ସେନା କର୍ମଚାରୀଙ୍କର ମଧ୍ୟ ମୃତ୍ୟୁ ଘଟିଛି | ତେବେ ଏହା ପ୍ରଥମ ଘଟଣା ନୁହେଁ , ପୂର୍ବରୁ ମଧ୍ୟ ସିଡିଏସ୍ ବିପିନ ରାୱତ ଏଭଳି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ | ଏହା ପୂର୍ବରୁ ବି ରାୱତ ଏକ ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଥିଲେ।
୨୦୧୫ ମସିହାରେ ଏହି ଦୁର୍ଘଟଣା ଘଟିଥିଲା | ଏହି ଘଟଣା ୩ ଫେବୃଆରୀ ୨୦୧୫ରେ ଘଟିଥିଲା | ସେତେବେଳେ ବିପିନ ରାୱତ ଲେଫ୍ଟନାଣ୍ଟ ଜେନେରାଲ ପଦବୀରେ ଥିଲେ | ବିପିନ୍ ରାୱତ ସେତେବେଳେ ନାଗାଲାଣ୍ଡର ଦିମାପୁରରେ ଥିବା ସ୍ଥଳସେନାର ୩-କୋର ହେଡକ୍ୱାର୍ଟରର ମୁଖ୍ୟ ଭାବେ ଦାୟିତ୍ୱ ସମ୍ଭାଳୁଥିଲେ | ରାୱତ ଯେତେବେଳେ ଏକ ଚିତା ଶ୍ରେଣୀର ହେଲିକପ୍ଟରରେ ଦିମାପୁର ଛାଡିଥିଲେ, ଅଳ୍ପ ଉଚ୍ଚତାରେ ଉଡୁଥିବା ସମୟରେ ତାଙ୍କ ହେଲିକପ୍ଟର ନିୟନ୍ତ୍ରଣ ହରାଇ ତଳକୁ ଖସିପଡିଥିଲା |
କୁହାଯାଇଥିଲା ଯେ ଦୁର୍ଘଟଣା ପଛରେ ଇଞ୍ଜିନ ବିଫଳତା ଥିଲା। ଉଚ୍ଚତା ଅଳ୍ପ ଥିବାରୁ ସେହି ସମୟରେ ତାଙ୍କୁ ସାମାନ୍ୟ ଆଘାତ ଲାଗିଥିଲା। ସେତେବେଳେ ସେନା ଏହାର ସରକାରୀ ବିବୃତ୍ତିରେ କହିଥିଲା ଯେ ସିଙ୍ଗଲ୍ ଇଞ୍ଜିନ୍ ବିଶିଷ୍ଟ ଏହି ହେଲିକପ୍ଟରଟି ଭୂମିଠାରୁ ମାତ୍ର କିଛି ମିଟର ଉଚ୍ଚରେ ଉଡ଼ୁଥିବାବେଳେ ଏହାର ଇଂଜିନ୍ ଖରାପ ହୋଇଯାଇଥିଲା ଓ ପାଇଲଟ୍ ନିୟନ୍ତ୍ରଣ ହରାଇଥିଲେ | କିନ୍ତୁ ଏହି ଦୁର୍ଘଟଣାରେ କାହାର ପ୍ରାଣହାନି ହୋଇ ନଥିଲା | ଫଳରେ ଏକ ବଡ଼ ଧରଣର ବିପଦରୁ ରକ୍ଷା ପାଇଯାଇଥିଲେ ରାୱତ। ଆଜି କିନ୍ତୁ ପୁଣି ଏକ ହେଲିକପ୍ଟର ଦୁର୍ଘଟଣାରେ ସେ ଦେଶମାତୃକାର ସେବାରୁ ଚିରଦିନ ଲାଗି ବିଦାୟ ନେଇଗଲେ।
The post ୬ ବର୍ଷ ତଳେ ବି ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଥିଲେ ବିପିନ ରାୱତ! first appeared on Sambad.from ବିଶେଷ | Sambad https://ift.tt/3duUFgi
0 Comments