ମାଛ ଧରିବାକୁ ଯାଇଥି‌ଲେ, ଜାଲରେ ଫସିଲା କୋଟିଏ ଟଙ୍କାର ଆଇଫୋନ

ନୂଆଦିଲ୍ଲୀ: ଜୀବନରେ କେତେବେଳେ କ’ଣ ଘଟିଥାଏ ତାହା କେହି ଜାଣି ନଥାଆନ୍ତି। ଇଣ୍ଡୋନେସିଆର ଜଣେ ମତ୍ସ୍ୟଜୀବୀଙ୍କ ସହ ଏପରି ଏକ ଘଟଣା ଘଟିଛି, ଯାହା ରାତାରାତି ତାଙ୍କ ଭାଗ୍ୟକୁ ବଦଳାଇ ଦେଇଛି । ଲୋକେ ତାଙ୍କୁ ବହୁତ ଭାଗ୍ୟବାନ ବୋଲି କହୁଛନ୍ତି।

ପ୍ରକାଶିତ ରିପୋର୍ଟ ମୁତାବକ, ଜଣେ ମତ୍ସ୍ୟଜୀବୀ ଇଣ୍ଡୋନେସିଆର ବାଙ୍ଗା ବେଲିତୁଙ୍ଗକୁ  ମାଛ ଧରିବାକୁ ଯାଇଥିଲେ। ସେ ଏକ ଡଙ୍ଗାରେ ଜାଲ ଧରି ସମୁଦ୍ରରୁ ମାଛ ଧରୁଥିଲେ।  ନିଜ ଜାଲକୁ ସମୁଦ୍ରରେ ଫିଙ୍ଗି ଦେଇ ମାଛ ଧରିବା ପାଇଁ ସେ ଅପେକ୍ଷା କରିଥିଲେ। ଏହାର କିଛି ସମୟ ପରେ ଯେତେବେଳେ ସେ ଜାଲ ଟାଣିଲେ, ସେଥିରେ ମାଛ ବଦଳରେ କିଛି ବାକ୍ସ ଫସିଥିବା ସେ ଦେଖିବାକୁ ପାଇଥିଲେ।

ଏହାପରେ ମତ୍ସ୍ୟଜୀବୀ ଭୟଭୀତ ହୋଇ ଧୀରେଧୀ‌ରେ ବାକ୍ସଗୁଡ଼ିକୁ ଖୋଲିଥିଲେ। ବାକ୍ସ ଖୋଲିବା ପରେ ସେଥିରୁ ବାହାରିଥିବା ଜିନିଷ ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଏହି ବାକ୍ସରେ ଆଇଫୋନ୍, ଆଇପ୍ୟାଡ୍ ଏବଂ ମେକବୁକ ରହିଥିଲା। ଯାହାର ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି କୁହାଯାଉଛି।

ଏହା ପରେ ମତ୍ସ୍ୟଜୀବୀ ଏହି ଘଟଣାର ଭିଡିଓ ଟିକଟକରେ ସେୟାର କରିଥିଲେ। ଫଟୋ ସେୟାର କରିବାବେଳେ ମତ୍ସ୍ୟଜୀବୀ ଲେଖିଥିଲେ, ‘ଏମିତି ବଦଳି ଯାଇଥାଏ ଭାଗ୍ୟ’ । ଯିଏ ଏହି ଘଟଣା ବିଷୟରେ ଶୁଣିଥିଲେ ସେ ଆଶ୍ଚର୍ଯ୍ୟ ହୋଇଯାଇଥି‌ଲେ।

ମତ୍ସ୍ୟଜୀବୀ ଭିଡିଓରେ କହିଛନ୍ତି ଯେ ବାକ୍ସରେ ରଖାଯାଇଥିବା ସାମଗ୍ରୀଗୁଡ଼ିକ ଜଳ ଯୋଗୁଁ ନଷ୍ଟ ହୋଇନାହିଁ। ସେ କହିଥିଲେ ଯେ ବାକ୍ସର ପ୍ୟାକିଂ ଏତେ ଭଲ ହୋଇଛି ଯେ ସାମଗ୍ରୀଗୁଡ଼ିକର କୌଣସି କ୍ଷତି ହୋଇନାହିଁ ।

 

The post ମାଛ ଧରିବାକୁ ଯାଇଥି‌ଲେ, ଜାଲରେ ଫସିଲା କୋଟିଏ ଟଙ୍କାର ଆଇଫୋନ first appeared on Sambad.

from ବିଶେଷ | Sambad https://ift.tt/3Flmofy

Post a Comment

0 Comments