ନିଜ ଜୀବନକୁ ବାଜି ଲଗାଇ ଚିତାବାଘ ମୁହଁରୁ ପୁଅକୁ ବଞ୍ଚାଇଲା ମା’

ନୂଆଦିଲ୍ଲୀ: ମା’ ନିଜ ସନ୍ତାନକୁ ରକ୍ଷା କରିବା ପାଇଁ ନିଜର ଜୀବନକୁ ବି ବାଜି ଲଗାଇ ଦେଇଥାଏ। ମଧ୍ୟପ୍ରଦେଶରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ମା’ ନିଜ ପିଲାକୁ ବଞ୍ଚାଇବା ପାଇଁ ଚିତାବାଘ ସହିତ ସଂଘର୍ଷ କରିଥିଲା। ମଧ୍ୟପ୍ରଦେଶର ଏକ ଗାଁର ଜଣେ ଆଦିବାସୀ ମହିଳା ଚିତାବାଘ ସହିତ ଲଢ଼ି ନିଜ ପୁଅର ଜୀବନ ବଞ୍ଚାଇଥିଲେ।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌ ହ୍ବାନ ଟୁଇଟ କରି ଏହି ମହିଳାଙ୍କ ସାହସକୁ ପ୍ରଶଂସା କରିଥିଲେ।

ମଧ୍ୟପ୍ରଦେଶର ରାଜଧାନୀ ଭୋପାଳଠାରୁ ୫୦୦ କିଲୋମିଟର ଦୂରରେ ଥିବା ସିଦ୍ଧି ଜିଲ୍ଲାର ସଞ୍ଜୟ ଟାଇଗର ରିଜର୍ଭ ବଫର ଜୋନରେ ଥିବା ଝରିଆ ଗ୍ରାମରେ ଏହି ଘଟଣା ଘଟିଛି। ଏଠାରେ ଆଦିବାସୀ ମହିଳା କିରଣ ତାଙ୍କ ତିନି ଜଣ ପିଲାଙ୍କ ସହ ଥଣ୍ଡା ହେତୁ ବାହାରେ ନିଆଁ ଜାଳି ବସିଥିଲେ।

 

ଏହି ସମୟରେ ହଠାତ୍ ଏକ ଚିତାବାଘ ଆସି ତାଙ୍କ ୮ ବର୍ଷର ପୁଅ ରାହୁଲଙ୍କୁ ଝାମ୍ପି ନେଇଥିଲା। ଆକସ୍ମିକ ଭାବେ ଏହି ଘଟଣା ଘଟିଥିବାରୁ ପ୍ରଥମେ ମହିଳା ଜଣକ କିଛି ବୁଝି ପାରି ନଥିଲେ। ଉପସ୍ଥିତ ବୁଦ୍ଧି ଖଟାଇ କିରଣ ପ୍ରଥମେ ଦୁଇ ପିଲାଙ୍କୁ ଘରେ ବନ୍ଦ କରି ସଙ୍ଗେ ସଙ୍ଗେ ଜଙ୍ଗଲ ଭିତରକୁ ଦୌଡ଼ି ଥିଲେ। ମହିଳା ଜଣକ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ଚିତାବାଘ ପଛରେ ଦୌଡ଼ିଥିଲେ।

ମହିଳାଙ୍କୁ ଦେଖି ଚିତାବାଘ ଏକ ବୁଦା ଭିତରେ ଲୁଚି ଯାଇଥିଲା। କିରଣ ଏକ ବାଡ଼ି ସାହାଯ୍ୟରେ ଚିତାବାଘକୁ ଭୟଭୀତ କରିବାକୁ ‌ଚେଷ୍ଟା କରିଥିଲେ। କିରଣଙ୍କ ଭୟରେ ଚିତାବାଘ ପୁଅକୁ ଛାଡ଼ି ଜଙ୍ଗଲ ଭିତରକୁ ଚାଲି ଯାଇଥିଲା।

ଚିତାବାଘ ମହିଳାଙ୍କୁ ବି ଆକ୍ରମଣ କରିଥିଲା। କିନ୍ତୁ ସେ ପୁଅକୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ। ଚିତାବାଘ ଆକ୍ରମଣରେ ମହିଳା ଗୁରୁତର ଆହତ ହୋଇଥିବା ‌ବେଳେ ପୁଅର ପିଠି, ଗାଲ ଏବଂ ଆଖିରେ ବି ଆଘାତ ଲାଗିଛି।

The post ନିଜ ଜୀବନକୁ ବାଜି ଲଗାଇ ଚିତାବାଘ ମୁହଁରୁ ପୁଅକୁ ବଞ୍ଚାଇଲା ମା’ first appeared on Sambad.

from ବିଶେଷ | Sambad https://ift.tt/32WfKyi

Post a Comment

0 Comments