ଚୋରି କରିଥିବା ଜିନିଷକୁ ଫେରାଇ ଦେବା ସହ ଚୋରମାନେ ଲେଖି ଯାଇଛନ୍ତି ଏଭଳି ଚିଠି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରୁ ଚୋରିର ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲାରେ ଚୋରମାନେ ଏକ ଗରିବ ପରିବାରର ଘରୁ ଚୋରି କରିଥିଲେ। ଏହାପରେ ଚୋରମାନେ ଯାହା କରିଥିଲେ, ଶୁଣିଲେ ଆପଣଙ୍କ ମନ ବି ତରଳି ଯିବ। ଚୋରମାନେ ଚୋରି କରିଥିବା ଜିନିଷ ଫେରାଇ ଦେବା ସହିତ ଏକ ଚିଠି ଛାଡ଼ି ଯାଇଥିଲେ। ଏହି ଘଟଣା ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନାନୁସାରେ, ବାନ୍ଦ୍ରା ଜିଲ୍ଲାର ବିସଣ୍ଡା ପୁଲିସ ଷ୍ଟେସନ ପରିସରର ଚନ୍ଦ୍ରାୟଲ ଗାଁର ବାସିନ୍ଦା ଦୀନେଶ ତିୱାରୀ ଅତ୍ୟନ୍ତ ଗରିବ। କିଛିଦିନ ପୂର୍ବରୁ ସେ ୪୦ ହଜାର ଟଙ୍କା ଋଣ ନେଇ ଏକ ୱେଲଡିଂ ଦୋକାନ ଖୋଲିଥିଲେ । ପ୍ରତ୍ୟେକ ଦିନ ପରି, ଯେତେବେଳେ ସେ ଡିସେମ୍ବର ୨୦ ସକାଳେ ତାଙ୍କ ଦୋକାନରେ ପହଞ୍ଚିଲେ, ସେତେବେଳେ ସେ ଘଟଣାସ୍ଥଳର ଦୃଶ୍ୟ ଦେଖି ସ୍ତବ୍ଧ ହୋଇଯାଇଥିଲେ। ତାଙ୍କ ଦୋକାନର ତାଲା ଭାଙ୍ଗି ଅନେକ ଜିନିଷ ଚୋରି ହୋଇଯାଇଥିଲା। ଏହା ପରେ ସେ ବିସଣ୍ଡା ପୁଲିସ ଷ୍ଟେସନରେ ଏହି ଚୋରି ଅଭିଯୋଗ କରିଥିଲେ।

ପୁଲିସ ଷ୍ଟେସନରେ ଇନ୍ସପେକ୍ଟର ନଥିବା ହେତୁ ମାମଲା ରୁଜୁ ହୋଇ ପାରି ନଥିଲା। ଘଟଣାର ଦୁଇ ଦିନ ପରେ ଦୀନେଶ ‌କୌଣସି ସ୍ଥାନରୁ ଜାଣିବାକୁ ପାଇଲେ ଯେ ତାଙ୍କ ଚୋରି ସାମଗ୍ରୀ ଗାଁର ଏକ ଖାଲି ସ୍ଥାନରେ ପଡ଼ିଛି। ବାସ୍ତବରେ ଚୋରମାନେ ଦୀନେଶଙ୍କର ଜିନିଷପତ୍ର ଫେରାଇ ଦେଇଥିଲେ। ଚୋରି ପରେ, ଯେତେବେଳେ ଚୋରମାନେ ଜାଣିବାକୁ ପାଇଲେ ଯେ ଦୀନେଶ ତିୱାରୀ ବହୁତ ଗରିବ, ଚୋରମାନଙ୍କ ମନ ବଦଳି ଯାଇଥିଲା। ତେଣୁ ସେମାନେ ଚୋରି କରିଥିବା ସାମଗ୍ରୀ ଫେରାଇ ଦେବା ସହ ଦୀନେଶ ତିୱାରୀଙ୍କୁ କ୍ଷମା ମାଗିଥିବାର ଏକ ଚିଠି ଘଟଣାସ୍ଥଳରେ ଛାଡ଼ି ଚାଲି ଯାଇଥିଲେ।

ଚୋରମାନେ ଚିଠିରେ ଲେଖିଥିଲେ, ‘ଏହା ହେଉଛି ଦୀନେଶ ତିୱାରୀଙ୍କର ଜିନିଷ । ବାହାର ଲୋକମାନଙ୍କଠାରୁ ଆମେ ଦୀନେଶଙ୍କ ବିଷୟରେ ଜାଣିବାକୁ ପାଇଲୁ । ତିୱାରୀଙ୍କୁ ବହୁତ କଷ୍ଟ ହୋଇଥିବ। ତେଣୁ ଆମେ ତାଙ୍କୁ କ୍ଷମା ମାଗୁଛୁ।

ଦୀନେଶ ତିୱାରୀ ନିଜର ଚୋରି ହୋଇ ଯାଇଥିବା ଜିନିଷ ପାଇ ଖୁସି ଥିବା ସହିତ ଭଗବାନ ତାଙ୍କ ଜୀବିକା ରକ୍ଷା କରିଥିବା କହିଛନ୍ତି।

The post ଚୋରି କରିଥିବା ଜିନିଷକୁ ଫେରାଇ ଦେବା ସହ ଚୋରମାନେ ଲେଖି ଯାଇଛନ୍ତି ଏଭଳି ଚିଠି first appeared on Sambad.

from ବିଶେଷ | Sambad https://ift.tt/3JaD8sx

Post a Comment

0 Comments