ଦକ୍ଷିଣ ଆଫ୍ରିକୀୟ ଗବେଷଣାଗାରରେ ଚିହ୍ନଟ ହେବାର ୧୪ତମ ଦିନରେ ଭାରତରେ ଧରାପଡ଼ିଲା ‘ଓମିକ୍ରନ୍’

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାସ୍ଥିତ ଲାନସେଟ ଲ୍ୟାବରେ ନଭେମ୍ବର ୧୯ତାରିଖ ଦିନ ଓମିକ୍ରନ୍ ପ୍ରଜାତିକୁ ପ୍ରଥମେ ଚିହ୍ନଟ କରିଥିଲେ ବୈଜ୍ଞାନିକ ରାକ୍ଟେଲ ଭିଆନା। ଆଜି ହେଉଛି ଡିସେମ୍ବର ୨ ତାରିଖ ଆଉ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଭାରତରେ ୨ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଥିବା ଘୋଷଣା କରିଛି। ଏହି ଦୁଇ ଜଣ ଦକ୍ଷିଣ ଆଫ୍ରିକାରୁ ଆସିଥିଲେ ଏବଂ ସେମାନଙ୍କର ଜିନମ୍ ସିକ୍ହେନସିଂ ପରେ ସଂକ୍ରମଣ ସଂପର୍କରେ ସ୍ପଷ୍ଟ ହୋଇଛି। ଅର୍ଥାତ ଗବେଷଣାଗାରରେ ଚିହ୍ନଟ ହେବାର ଠିକ ୧୪ତମ ଦିବସରେ ଭାରତରେ ଚିହ୍ନଟ ହୋଇଛି କରୋନାର ନୂତନ ରୂପାନ୍ତର ଓମିକ୍ରନ୍। ଦକ୍ଷିଣ ଆଫ୍ରିକାରେ ପ୍ରଥମ ଚିହ୍ନଟ ହୋଇଥିବା କରୋନା ଭୂ୍ତାଣୁର ନୂଆ ପ୍ରଜାତି ‘ଓମିକ୍ରନ’ ପ୍ରକୃତରେ କେତେ ମାରାତ୍ମକ, ତାହା ଜାଣିବା ପୂର୍ବରୁ ସାରା ବିଶ୍ୱରେ ଭୟର ବାତାବରଣ  ଖେଳିଯାଇଛି ।

ସମ୍ବାଦ ସରବରାହ ସଂସ୍ଥା ରଏଟର୍ସକୁ ସାକ୍ଷାତକାର ଦେଇ ବୈଜ୍ଞାନିକ ଭିଆନା କହିଛନ୍ତି, ନଭେମ୍ବର ୧୯ତାରିଖର ନମୂନା ପରୀକ୍ଷାରେ ବଡ ଧରଣର ଫଳାଫଳ ସଂପର୍କରେ ସେ ଜାଣିପାରିଥିଲେ । ‘‘ସେଦିନ ମୁଁ ଯାହା ଦେଖିଲି ସେଥିରେ କାବା ହୋଇଯାଇଥିଲି । ଗୁଣସୂତ୍ର-କ୍ରମ ପରୀକ୍ଷା ପ୍ରକ୍ରିୟାରେ କିଛି ଭୁଲ୍ କରି ପକାଇଛି ବୋଲି ପ୍ରଥମେ ମୋର ସନ୍ଦେହ ହୋଇଥିଲା । କିନ୍ତୁ, ପରୀକ୍ଷା କରିଥିବା ସେ ନମୂନାଟିରେ ଗୋଟିଏ ଜିନିଷ ସାଧାରଣ ଥିଲା । ତାହା ହେଉଛି ‘ଏସ୍’ ଜିନର ଅନୁପସ୍ଥିତି । ଏହି ଜିନ୍ ବା ଗୁଣସୂତ୍ରର ଅନୁପସ୍ଥିତି ହିଁ ‘ଓମିକ୍ରନ’କୁ ବିଶ୍ୱରେ ପ୍ରାଧାନ୍ୟ ବିସ୍ତାର କରିଥିବା ‘ଡେଲଟା’ ଭ୍ୟାରିଆଣ୍ଟଠାରୁ ପୃଥକ କରୁଛ ବୋଲି କହନ୍ତି ବୈଜ୍ଞାନିକ ରାକ୍ଟେଲ ଭିଆନା।

କରୋନା ଭୂତାଣୁର ନୂଆ ପ୍ରଜାତି ଚିହ୍ନଟ ହେବା ପରେ ଏହାକୁ ନେଇ ଆତଙ୍କିତ ହୋଇପଡ଼ିଥିଲେ ପୂରା ବିଶ୍ବର ବୈଜ୍ଞାନିକ । ଏହି ନୂଆ ପ୍ରଜାତି ଅତ୍ୟନ୍ତ ଭୟାବହ ବୋଲି ନଭେମ୍ବର ୨୩ତାରିଖ ସୁଦ୍ଧା ସ୍ପଷ୍ଟ ହୋଇସାରିଥିଲା । ‘ଓମିକ୍ରନ’ ପ୍ରଜାତି ବିଷୟରେ ଜାଣିବା ପରେ ବୈଜ୍ଞାନିକ ରାକ୍ଟେଲ ଭିଆନା ପ୍ରଥମେ  ଜୋହନସବର୍ଗ ସ୍ଥିତ ‘ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର୍ କମ୍ୟୁନିକେବୁଲ ଡିଜିଜେସ’ ବା ଏନଆଇସିଡିକୁ ସତର୍କ କରାଇଥିଲେ । ସୂଚନା ପରେ ଏନଆଇସିଡି ନଭେମ୍ବର ୨୦-୨୧ତାରିଖ ସପ୍ତାହାନ୍ତରେ ଅଧିକ ନମୂନା ପରୀକ୍ଷା କରିବା ଆରମ୍ଭ କରିଥିଲା । ଅସ୍ୱାଭାବିକ ଗୁଣସୂତ୍ର-କ୍ରମ ବିବର୍ତନ ଦେଖି ଏନଆଇସିଡିର ବୈଜ୍ଞାନକିମାନେ କୋଭିଡ ଭୂତାଣୁର ଆଉ ଏକ ନୂଆ ଷ୍ଟ୍ରେନ ଉତ୍ପତ୍ତି ହୋଇଥିବା ଜାଣିପାରିଥିଲେ ।

photo-indian express

ଏହାପରେ ଦକ୍ଷିଣ  ନଭେମ୍ବର ୨୩ତାରିଖ ସୁଦ୍ଧା ଜୋହନସବର୍ଗ ଓ ପ୍ରିଟୋରିଆ ଆଖପାଖରୁ ଆଉ ୩୨ଟି ନମୂନା ପରୀକ୍ଷା କରାଯାଇଥିଲା । ଏହା ପରେ ଏନଆଇସିଡିର ଜିନ୍ ସିକ୍ୱେନ୍ସର ଡାନିଏଲ ଆମୋଆକୋ କହିଥିଲେ ଯେ, ସେତେବେଳକୁ ଭୂତାଣୁ ଯେ ଭୟାବହ ଏକଥା ସ୍ପଷ୍ଟ ହୋଇସାରିଥିଲା । ଏହା ଅତ୍ୟନ୍ତ ଆତଙ୍କିତ କରିବା ଭଳି ଥିଲା । ସେହିଦିନ ହିଁ ଦକ୍ଷିଣ ଆଫ୍ରିକାର ସ୍ବାସ୍ଥ୍ୟ ବିଭାଗ ସେଠାକାର ପରୀକ୍ଷାଗାରଗୁଡିକୁ ‘ଜିନ୍ ଅନୁକ୍ରମ’ ପରୀକ୍ଷା କରିବାକୁ କହିଥିଲା ଏବଂ ସବୁଆଡେ ପ୍ରାୟତଃ ସମାନ ଫଳାଫଳ ମିଳିଲା । ପରୀକ୍ଷାରୁ ମିଳିଥିବା ତଥ୍ୟକୁ ଡାଟାବେସରେ ଫିଡ କରାଯିବା ପରେ ଏନଆଇସିଡି ଜାଣିଥିଲା ଯେ, ବଟସୱାନା ଓ ହଙ୍ଗକଙ୍ଗରେ ବି ସମାନ ଗୁଣସୂତ୍ର ଅନୁକ୍ରମର ଭୂତାଣୁ ଥିବା ସଂକ୍ରମଣ ରିପୋର୍ଟ ହୋଇଛି । ଏହାପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଏହି ସୂଚନା ଦିଆଯାଇଥିଲା ।

କରୋନାର ନୂଆ ପ୍ରଜାତି ଓମିକ୍ରନକୁ ‘ଭ୍ୟାରିଆଣ୍ଟ ଅଫ୍ କନର୍ସନ୍’ ବା ଚିନ୍ତାଜନକ ଶ୍ରେଣୀ ତାଲିକା ଭୁକ୍ତ କରିସାରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଏହା ଆଉ ଏକ ଲହରର କାରଣ ବନିପାରେ ବୋଲି ମଧ୍ୟ ଆଶଙ୍କା ପ୍ରକାଶ କରିଛି । ମହାମାରୀ କୋଭିଡ୍-୧୯ ଆସିବା ଦିନଠାରୁ ଏହା ବାରମ୍ବାର ରୂପ ବଦଳାଇଛି । କିନ୍ତୁ ସବୁ ରୂପ ମାରାତ୍ମକ ହୋଇନାହାନ୍ତି । ଏ ପର୍ଯ୍ୟନ୍ତ ସବୁଠାରୁ ଅଧିକ ମାରାତ୍ମକ ସାବ୍ୟସ୍ତ ହୋଇଛି ଡେଲଟା ପ୍ରଜାତି । କିନ୍ତୁ ଏହି ପ୍ରଜାତି ବିରୋଧରେ ଟିକା ପ୍ରଭାବୀ ଥିଲା । ଆଉ ସଂକ୍ରମଣ ରୋକିବାରେ ବେଶ ସହାୟକ ହୋଇଛି । କିନ୍ତୁ ଓମିକ୍ରନ ବିରୋଧରେ ଟିକା କେତେ ପ୍ରଭାବଶାଳୀ ହେଉଛି ତାହା ଆଉ କିଛି ଦିନ ଭିତରେ ସ୍ପଷ୍ଟ ହୋଇଯିବ । ହେଲେ, ତୃତୀୟ ଲହର ଆଶଙ୍କା ଥିବାରୁ ଆମକୁ ସତର୍କ ରହିବାକୁ ପଡିବ । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଭଳି ଗୁରୁତ୍ୱପୂର୍ଣ୍ଣ କରୋନା କଟକଣାକୁ ମାନିବାକୁ ପଡିବ ।

The post ଦକ୍ଷିଣ ଆଫ୍ରିକୀୟ ଗବେଷଣାଗାରରେ ଚିହ୍ନଟ ହେବାର ୧୪ତମ ଦିନରେ ଭାରତରେ ଧରାପଡ଼ିଲା ‘ଓମିକ୍ରନ୍’ first appeared on Sambad.

from ବିଶେଷ | Sambad https://ift.tt/3pjYPgC

Post a Comment

0 Comments