କିଶୋର ଆବିଷ୍କାର

ଅଷ୍ଟମ ଦଶକର ଶେଷ ଭାଗର କଥା। ଇଷ୍ଟର୍ନ ମିଡିଆରୁ ପ୍ରକାଶିତ ହେଉଥିବା ଇଂରେଜୀ ଦୈନିକ ‘ସନ୍‌ ଟାଇମ୍‌ସ’ରେ ମାତ୍ର ଦେଢ଼ ବର୍ଷ କାମ କରି ମୁଁ ଏକ ବେତାଳିଆ ସ୍ବପ୍ନ ଚରିତାର୍ଥ କରିବା ଲାଗି ଚାକିରି ଛାଡ଼ି ଦେଇଥାଏ। ସେହି ସମୟରେ ପ୍ରିୟା ରେସ୍ତୋରାଁ ହୋଇଥାଏ ଆମମାନଙ୍କର ଖଟି ଜାଗା। ସେହି ସମୟରେ ଅଗତ୍ୟା ଦିନେ ଦେଖେ ମୁଣ୍ଡରେ ଏକ ପନିଟେଲ୍ ଧାରଣ କରିଥିବା ଦୀର୍ଘକା‌ୟ ତରୁଣଙ୍କୁ। କୌଣସି ବନ୍ଧୁଙ୍କ ସହିତ ସେ ଆସିଥାଆନ୍ତି ଜଳଖିଆ ଖାଇବା ଲାଗି ଓ ତା’ ପରେ ସେ ଚାଲିଯାଆନ୍ତି। କିନ୍ତୁ ତାଙ୍କର ଚେହେରା ମନରେ ଆଙ୍କି ହୋଇ ରହିଯାଏ।

ଏହାର ନଅ ବର୍ଷ ପରର କଥା। ପୁଣି ମୋର ପ୍ରତ୍ୟାବର୍ତ୍ତନ ହୁଏ ‘ସମ୍ବାଦ’କୁ। ବେତାଳିଆ ସ୍ବପ୍ନ ସେତେବେଳକୁ ଚୂର୍ଣ୍ଣ ହୋଇ ଯାଇଥାଏ। ସେହି ସମୟରେ ଏକ ଶୀତ ସକାଳେ ନୟାପଲ୍ଲୀର ଆମ ଅଫିସରେ ଏକ ଟଗର ଗଛ ନିକଟରେ ଛିଡ଼ା ହୋଇ ଖରା ସେକୁଥିବା ସେହି ପନିଟେଲ୍-ଯୁକ୍ତ ତରୁଣଙ୍କୁ ମୁଁ ଅଗତ୍ୟା ପୁଣି ଆବିଷ୍କାର କରେ।

‘ୟେ ମହାଶୟ କିଏ?’ ବୋଲି ମୋର ପ୍ରଶ୍ନର ଉତ୍ତରରେ ଶୁଣେ ‘କିଶୋର’। ସେତେବେଳକୁ କିଶୋରଙ୍କ କଟାକ୍ଷ ଆମମାନଙ୍କୁ ହସାଇ ରସାଇ ମାରୁଥାଏ। ପୁଣି କେତେବେଳେ ଆମ ମଗଜରେ ଚିନ୍ତନ ଲାଗି ଦାନା ବି ଦେଉଥାଏ।

ଓଃ ଇଏ ତାହା ହେଲେ କିଶୋର!

ଅଳ୍ପ ଦିନ ଭିତରେ ଆମ ଦୁହିଁଙ୍କ ଭିତ‌େର ବନ୍ଧୁତା ଜମିଗଲା, ସତେ ଯେମିତି ଆମେ ଦୁହେଁ ବାଲ୍ୟ ବନ୍ଧୁ। ଅକ୍ଳାନ୍ତ କଥାବାର୍ତ୍ତାର ସୁଅ ଛୁଟିଲା ଯେ ଛୁଟିଲା। କଥାବାର୍ତ୍ତା ଭିତରେ କି‌େଶାରର ମୁହଁରୁ ସ୍ବାଭାବିକ ଭାବେ ବାହାରି ଆସେ ସରଳ ଲାଳିକା। ଆମେ ଧାଡ଼ିଏ କହିଲେ ଜବାବରେ କିଶୋର କହିବ ଯତିପାତ ସହିତ ଖଞ୍ଜି ହୋଇଯାଉଥିବା ଭଳି ଆଉ ଗୋଟିଏ ଧାଡ଼ି। ଆମେ ଚମତ୍କୃତ। ସେ ଗହ ଗହ ହସି କହିବ- ‘କବି ଯଦୁମଣିଙ୍କ ଗାଁର ପିଲା ମୁଁ। ୟେ ତାର କମାଲ।’

ସେହି ସମୟରେ ଜାଣିଲି ଯେ ସେ ଓ ମୁଁ ଏକା ବର୍ଷ ମାଟ୍ରିକ ପାସ କରିଥିଲୁ ଓ ସେ ମୋର ସମବୟସ୍କ। ଯେଉଁ ବର୍ଷ ମୋତେ ଚଉବନ ବର୍ଷ ପୂରିଲା, ତାକୁ ବି ପୂରିଲା। ସକାଳେ ଦେଖା ହେଲା। ମୁଁ କହିଲି- ‘କିଶୋର ଚଉବନ ହେଲା!’ କିଶୋର ଚଟାପଟ୍‌ ଉତ୍ତର ଦେଲା- ‘ଚଉବନେ ଯଉବନ!’ ଏଇ କଥାରେ ଦୁଇ ଚଉବନ ବର୍ଷର ଯୁବକ ଧୂମ ହସିଥିଲୁ।
କିନ୍ତୁ ତାର ମାତ୍ର ଚାରି ବର୍ଷ ପରେ ଉଦ୍ଦାମ ଯୁବକ କିଶୋର ଆମ ଗହଣରୁ ଏମିତି ନିରବରେ ଚାଲିଗଲା ଯେ ତାର ଇୟତ୍ତା ନାହିଁ। କିଶୋର ଭଳି ଏକ ବଳିଷ୍ଠ ଉପସ୍ଥିତି ଏମିତି ସହସା ଅନ୍ତର୍ହିତ ହୋଇଯିବ? ବିଶ୍ବାସ କରି ହେଉ ନ ଥିଲା! ଏବେ ବି ବିଶ୍ବାସ କରି ହେଉନାହିଁ ଯେ କିଶୋରକୁ ଆଉ କେବେ ବି ସଶରୀରେ ଦେଖିବାକୁ ମିଳିବ ନାହିଁ। ତାର ଗହଗହ ହସ ଓ ରାଜୋଚିତ ସ୍ବର ଶୁଣିବାକୁ ମିଳିବ ନାହିଁ।

କିଶୋର କାହିଁକି ଏମିତି ଅ‌େବଳର ଚାଲିଗଲା? ଈଶ୍ବର କ’ଣ ତାଙ୍କ ସାମ୍ରାଜ୍ୟରେ ଏମିତି ଜଣଙ୍କୁ ଲୋଡ଼ିଲେ ‌ଯିଏ ତାଙ୍କୁ ରସାଣିତ ବ୍ୟଙ୍ଗ ମାଧ୍ୟମରେ ତାଙ୍କର ତ୍ରୁଟି ବି ଦେଖାଇ ଦେବ?

The post କିଶୋର ଆବିଷ୍କାର first appeared on Sambad.

from ବିଶେଷ | Sambad https://ift.tt/3HDRgtl

Post a Comment

0 Comments