
କିଶୋର ବାବୁ ଆମ ଗହଣରେ ଆଉ ନାହାନ୍ତି। ଭାବନାକୁ ବାନ୍ଧିବାକୁ ଯେତେ ଚେଷ୍ଟା କଲେ ବି ବାନ୍ଧି ହେଉନାହିଁ – ବିଶ୍ୱାସ ହେଉନି ଯେ ସେ ନାହାନ୍ତି!
ଏବେ ବି ତାଙ୍କ ମୋବାଇଲ ନମ୍ୱରରୁ କଲ୍ ଆସିବା ମାତ୍ରେ ସ୍ୱତଃ ମୁହଁରୁ ବାହାରି ଯାଉଛି – “କୁହନ୍ତୁ କିଶୋର ବାବୁ…।” ସେପଟୁ ତାଙ୍କ ପୁଅର ସ୍ୱର ଶୁଣି ସଂବିତ ଫେରି ଆସୁଛି। “ହଁ ପୁଅ କୁହ…।”
ନିରବରେ ବସିଲା ବେଳେ ଆପେ ଆପେ ତାଙ୍କ ହସ ହସ ମୁହଁ, ଚାଲିବାର ଢଙ୍ଗ, ଦେଖିବା ମାତ୍ରେ ନମ୍ର ଭାବେ ନମସ୍କାର କରିବାର ଠାଣି ଆଖି ଆଗରେ ନାଚି ଯାଉଛି। ଅଭିମାନଆସୁଛି ଭଗବାନଙ୍କ ଉପରେ! ଭଗବାନ କ’ଣ ଠିକ୍ କଲେ? କରୋନା ମହାମାରୀ ଆମ ‘ସମ୍ବାଦ’ ପରିବାରର କିଛି ସହଯୋଗୀଙ୍କୁ ଆମଠୁ ଛଡ଼ାଇ ନେଲା ପରେ ବି ଆହୁରି କ’ଣ ବାକି ଥିଲା? ଶେଷରେ କିଶୋର ରଥଙ୍କ ଭଳି ବଳିଷ୍ଠ ଦୀର୍ଘ ଦେହୀ, ବୁଦ୍ଧିମାନ ଓ ଖେଳପ୍ରେମୀ ସହଯୋଗୀଙ୍କୁ ବି ଆମ ପରିବାରରୁ ଭଗବାନ ଅନ୍ତର କରିଦେଲେ!
‘ସମ୍ବାଦ’ ପରିବାରର ଆମେ ଜଣେ ଜଣେ ସଦସ୍ୟ। କିନ୍ତୁ ଆମମାନଙ୍କୁ ଯିଏ ଦେଖିଛି, ଆମ ସହିତ ସାଥୀ ହୋଇ କାମ କରିବାର ସୁଯୋଗ ପାଇଛି; ସେ ହିଁ ଅନୁଭବ କରିଛି ଆମ ସହକର୍ମୀମାନଙ୍କ ଭିତର କି ଅପୂର୍ବ ଆତ୍ମୀୟତା, ଭଲ ପାଇବା ଏବଂ ଜଣଙ୍କର ଅନ୍ୟ ଜଣଙ୍କ ପ୍ରତି କି ଉତ୍ସର୍ଗୀକୃତ ମନୋଭାବ! ଯିଏ ନ ଦେଖିଛି ସେ ଏହା ବୁଝି ପାରିବ ନାହିଁ। କେବଳ ମୁଁ ନୁହେଁ, ‘ସମ୍ବାଦ’ ପରିବାରର ମୁଖ୍ୟଙ୍କ ଠାରୁ ଆରମ୍ଭ କରି ପ୍ରତ୍ୟେକ ସହଯୋଗୀଙ୍କ ଯାଏ କିଶୋର ରଥଙ୍କ ପରି ସୁଯୋଗ୍ୟ ସାଥୀଙ୍କ ସହ ଯିଏ ମିଶିଛି, ସେ ହିଁ ତାଙ୍କ ବ୍ୟକ୍ତିତ୍ୱ ଦ୍ୱାରା ପ୍ରଭାବିତ ହୋଇଛି। ସେ କେବଳ ବ୍ୟଙ୍ଗ କବିତା ଲେଖୁ ନ ଥିଲେ, କାର୍ଟୁନ ଆଙ୍କୁ ନ ଥିଲେ କି ବଡ଼ ପାଟିରେ ଯାତ୍ରା ଡାଇଲଗ୍ କହୁ ନ ଥିଲେ, ବରଂ ସମସ୍ତଙ୍କୁ ନିଜ ସ୍ନେହର ଡୋରିରେ ବାନ୍ଧି ରଖିଥିଲେ। ତାଙ୍କର ଅବର୍ତ୍ତମାନରେ ଆଜି ସମସ୍ତେ ଝୁରୁଛନ୍ତି ତାଙ୍କୁ। ତାଙ୍କର ବିକଳ୍ପ ଅକଳ୍ପନୀୟ।ଆମର ବିଶ୍ୱାସ ଖୁବ୍ ଶୀଘ୍ର ଭଗବାନ ତାଙ୍କର ଶୂନ୍ୟତାକୁ ପୂରଣ କରିବା ପାଇଁ କିଶୋର ରଥଙ୍କୁ ଆଉ ଥରେ ଜନ୍ମ ଦେବେ।
ଆମ ସଭିଁଙ୍କ ପ୍ରିୟ କିଶୋର ବାବୁଙ୍କ ଆତ୍ମା ଶାନ୍ତି ପାଉ। ତାଙ୍କ ପରିବାର ସୁଖ ଶାନ୍ତିରେ ରୁହନ୍ତୁ, ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା।
The post ବିକଳ୍ପହୀନ କିଶୋର first appeared on Sambad.from ବିଶେଷ | Sambad https://ift.tt/3x8vhWH
0 Comments