ଭାଙ୍ଗିଗଲା ଚା’ ବିକ୍ରି କରି ୧୬ବର୍ଷରେ ୨୬ଟି ଦେଶ ବୁଲିଥିବା ଯୋଡ଼ି

ନୂଆଦିଲ୍ଲୀ: ସମ୍ମାନ ଏବଂ ପରିଶ୍ରମ ସହିତ କରାଯାଉଥିବା କୌଣସି କାମ ଛୋଟ ହୋଇ ନଥାଏ। ରାସ୍ତା ପାର୍ଶ୍ୱରେ ଠିଆ ହୋଇ ଚା’ ବିକ୍ରି ବି ହେଉନା କାହିଁକି, ଯଦି ଆପଣ ସଚ୍ଚୋଟ ଭାବରେ କାମ କରନ୍ତି ତେବେ ଆପଣଙ୍କୁ ଆଶୀର୍ବାଦ ମିଳିଥାଏ । ଏପରି ଜଣେ ଚା’ ବିକ୍ରେତା ଥିଲେ ଯିଏକି ଦୁନିଆ ଛାଡି ଚାଲିଯିବା ପରେ ଅନେକଲୋକ ତାଙ୍କୁ ମନେ ପକାଉଛନ୍ତି।

କୋଚିରେ ଥିବା ଏକ ଚା ଦୋକାନର ମାଲିକ କେ.ଆର ବିଜୟନଙ୍କର ନଭେମ୍ବର ୧୯ ତାରିଖରେ ହୃଦଘାତରେ ମୃତ୍ୟୁ ହୋଇଛି। ପ୍ରକାଶିତ ରିପୋର୍ଟ ଅନୁଯାୟୀ ମୃତ୍ୟୁ ବେଳକୁ ବିଜୟନଙ୍କୁ ୭୧ ବର୍ଷ ବୟସ ହୋଇଥିଲା। ବିଜୟ ଏବଂ ତାଙ୍କ ପତ୍ନୀ ମୋହନା କୋଚିରେ ଏକ ଚା ଷ୍ଟଲ୍ ଚଲାଉଥିଲେ। ଯାହାର ନାମ ହେଉଛି ‘ଶ୍ରୀ ବାଲାଜୀ କଫି ହାଉସ୍’ । ବିଜୟନ ନିଜର ରୋଜଗାର ସହିତ ସମଗ୍ର ବିଶ୍ୱ ଭ୍ରମଣ କରୁଥିଲେ । ଚା’ ବିକି ବିଶ୍ବ ଭ୍ରମଣ କରିଥିବା ହେତୁ ସେ ସମଗ୍ର କେରଳ ସହିତ ଦେଶରେ ଚର୍ଚ୍ଚାରେ ଥିଲେ।

ନିକଟରେ ବିଜୟନ ଏବଂ ତାଙ୍କ ପତ୍ନୀ ଋଷ ଭ୍ରମଣରେ ଯାଇଥିଲେ। ଯାହାକି ଏହି ଦମ୍ପତିଙ୍କର ଶେଷ ବିଦେଶ ଯାତ୍ରା ଥିଲା। ଯେଉଁମାନେ ବିଜୟନଙ୍କୁ ଜାଣନ୍ତି ସେମାନେ ସୋସିଆଲ ମିଡିଆରେ ତାଙ୍କୁ ମନେ ପକାଇ ଭାବପ୍ରବଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । |

ପ୍ରାୟ ଭାରତର ଅଧିକାଂଶ ସ୍ଥାନ ଏହି ଦମ୍ପତି ଭ୍ରମଣ କରିସାରିଛନ୍ତି। ଚା’ ବିକି ଦେଶ ଭ୍ରମଣ କରୁଥିବା ଖବର ପ୍ରଘଟ ହେବାପରେ ବିଜୟନ ସେଲିବ୍ରିଟି ଚା ବିକ୍ରେତା ହୋଇଯାଇଥିଲେ। ବିଜୟନଙ୍କ କାହାଣୀ ଶୁଣି ଅମିତାଭ ବଚ୍ଚନ, ଶଶି ଥରୁର ଏବଂ ଆନନ୍ଦ ମହିନ୍ଦ୍ରା ମଧ୍ୟ ତାଙ୍କୁ ସାହାଯ୍ୟ କରିଛନ୍ତି।

ଦେଶ ଭ୍ରମଣ ପାଇଁ ଏହି ସ୍ୱାମୀ – ସ୍ତ୍ରୀ ଦୋକାନରୁ ହେଉଥିବା ପ୍ରତିଦିନ ରୋଜଗାରରୁ ୩୦୦ ଟଙ୍କା ସଞ୍ଚୟ କରି ରଖୁଥିଲେ । ୨୦୦୭ ରେ ଦୁହେଁ ପ୍ରଥମ ଥର ପାଇଁ ଇସ୍ରାଏଲ ଗସ୍ତ କରିଥିଲେ । କୁହାଯାଏ ଯେ ଗତ ୧୬ ବର୍ଷ ମଧ୍ୟରେ ଏହି ଦମ୍ପତି ୨୬ ଟି ଦେଶ ଭ୍ରମଣ କରିସାରିଛନ୍ତି। ଏହି ଯାତ୍ରା ପାଇଁ ସେମାନେ ଛୋଟ ଋଣ ମଧ୍ୟ ନେଉଥିଲେ ।

 

The post ଭାଙ୍ଗିଗଲା ଚା’ ବିକ୍ରି କରି ୧୬ବର୍ଷରେ ୨୬ଟି ଦେଶ ବୁଲିଥିବା ଯୋଡ଼ି first appeared on Sambad.

from ବିଶେଷ | Sambad https://ift.tt/3nz0lf2

Post a Comment

0 Comments