ଶେଷ ହେଲା ଯୁବ କଂଗ୍ରେସର ୪୮ଘଣ୍ଟିଆ ଅହୋରାତ୍ର ଧାରଣା

ଭୁବନେଶ୍ବର : ସନସାଇନ୍ ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ଗିରଫ ଦାବି ନେଇ ରାଜଭବନ ସମ୍ମୁଖରେ ପ୍ରଦେଶ ଯୁବ କଂଗ୍ରେସର ଚାଲିଥିବା ଅହୋରାତ୍ର ଗଣଧାରଣା ସୋମବାର ଶେଷ ହୋଇଛି। ଏହି ଅବସରରେ ଯୁବ କଂଗ୍ରେସ ସଭାପତି ସ୍ମୃତିରଂଜନ ଲେଙ୍କାଙ୍କ ନେତୃତ୍ବରେ ଏକ ପ୍ରତିନିଧିମଣ୍ଡଳୀ ରାଜଭବନକୁ ଯାଇ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ୧୧ତାରିଖରେ ଯନ୍ତରମନ୍ତରଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସୂଚନା ଦିଆଯାଇଛି।

ଶ୍ରୀ ଲେଙ୍କା କହିଛନ୍ତି ଯେ ମମିତା ମେହେର ହତ୍ୟା ମାମଲାରେ ପରିବାରକୁ ନ୍ୟାୟ ପ୍ରଦାନ କରିବା ପାଇଁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଲଢ଼େଇ କରାଯିବ। ନବୀନ ସରକାର କିମ୍ବା ତାଙ୍କର କୌଣସି କ୍ଷମତାଧାରୀ ମନ୍ତ୍ରୀ ଦୋଷୀଙ୍କୁ ଘଣ୍ଟ ଘୋଡ଼ାଇ ପାରିବେ ନାହିଁ। ମାମଲାର ଉପଯୁକ୍ତ ତଦନ୍ତ ଓ ଦୋଷୀଙ୍କୁ କଠୋର ଦଣ୍ଡ ପ୍ରଦାନ ପର୍ଯ୍ୟନ୍ତ ଯୁବ କଂଗ୍ରେସ ଆନ୍ଦୋଳନ ଜାରି ରଖିବ। ୧୦ତାରିଖରେ ଦିଲ୍ଲୀସ୍ଥିତ ଆବାସିକ କମିସନରଙ୍କ କାର୍ଯ୍ୟାଳୟ ଓ ୧୧ତାରିଖରେ ଯନ୍ତରମନ୍ତରଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଏହାସହ ରାଷ୍ଟ୍ରପତିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯିବ ବୋଲି ଶ୍ରୀ ଲେଙ୍କା କହିଛନ୍ତି। ଆଜିର ଧାରଣାରେ ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ, ପୂର୍ବତନ ବିଧାୟକ ଚିତ୍ତରଂଜନ ଷଡ଼ଙ୍ଗୀ, ଓଡ଼ିଶା ଓବିସି ସେଲ ମୁଖ୍ୟ ଜ୍ଞାନରଂଜନ ବେଉରା, ରଶ୍ମିରେଖା ମହାପାତ୍ର, ଅଲେଖ ସାମଲ, ବିକ୍ରମ ପଣ୍ଡା, ଯୁବ କଂଗ୍ରେସ ଆଇନ ସେଲ ମୁଖ୍ୟ ଆଦିତ୍ୟ ପ୍ରସାଦ ପରିଡ଼ା, ମହମ୍ମଦ ଅଲିମ, ସତ୍ୟପ୍ରିୟ ସାମଲ ପ୍ରମୁଖ ସାମିଲ ହୋଇଥିଲେ।

The post ଶେଷ ହେଲା ଯୁବ କଂଗ୍ରେସର ୪୮ଘଣ୍ଟିଆ ଅହୋରାତ୍ର ଧାରଣା first appeared on Sambad.

from ବିଶେଷ | Sambad https://ift.tt/3qkbrGx

Post a Comment

0 Comments