
ନୂଆଦିଲ୍ଲୀ: ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତ୍ରୀ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଳାସମୟ ମହଲ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।, ଯାହାର ମୂଲ୍ୟ ରହିଛି ୪ ହଜାର କୋଟି। ଏହି ମହଲକୁ ସଜାଇବାକୁ କାନ୍ଥରେ ଲାଗିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ସୁନା-ରୂପା, ଯାହାକୁ ଦେଖିଲେ ଆଖି ଝଲସି ଉଠୁଛି। କାରୁକାର୍ଯ୍ୟ ଏମିତି ହୋଇଛି ଯେ, ଥରେ ଏଠାକୁ ଆସିଲେ ଫେରିବାକୁ ମନ ହେବନି । ଏହିଭଳି ଏକ ଭବ୍ୟ ମହଲରେ ରହୁଛନ୍ତି କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ମୋଦୀ ସରକାରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଥିବା ଜ୍ୟୋତିରାଦିତ୍ୟ ହେଉଛନ୍ତି ଗ୍ୱାଲିୟର ସିନ୍ଧିଆ ରାଜବଂଶଜ । ଦେଶରେ ଗଣତନ୍ତ୍ର ଶାସନ ଚାଲୁଥିଲେ ମଧ୍ୟ ଗ୍ୱାଲିୟରରେ ସିନ୍ଧିଆ ବଂଶଜକୁ ରାଜପରିବାର ଭାବେ ମାନି ଆସୁଛନ୍ତି ଲୋକେ । ଆଉ ଜ୍ୟୋତିରାଦିତ୍ୟଙ୍କୁ ମହାରାଜ ଭାବେ ମାନି ଆସୁଛନ୍ତି ଜନତା ।
ଗ୍ୱାଲିୟରରେ ଥିବା ଏହି ବିଳାସମୟ ମହଲର ନାଁ ହେଉଛି ଜୟ ବିଳାସ । ୧୮୭୪ ମସିହାରେ ଏହି ମହଲ ନିର୍ମାଣ କରାଯାଇଥିଲା । ସେତେବେଳେ ମହାରାଜ ଜୟଜିରାଓ ସିନ୍ଧିଆ ଏହି ମହଲ ନିର୍ମାଣ କରିଥିଲେ । ମହଲର ଡିଜାଇନ ବ୍ରିଟେନର ପ୍ରସିଦ୍ଧ ଡିଜାଇନର ମାଇକେଲ ଫିଲୋସ ପ୍ରସ୍ତୁତ କରିଥିଲେ । କୁହାଯାଏ ଏହି ବିଶାଳକାୟ ମହଲ ପ୍ରିନ୍ସ ଜର୍ଜ ଓ ପ୍ରିନ୍ସେସ ମ୍ୟାରୀଙ୍କ ସ୍ୱାଗତ ପାଇଁ କରାଯାଇଥିଲା । ୧୮୭୬ରେ ଏମାନେ ଭାରତ ଆସିଥିଲେ । ଜୟ ବିଳାସ ପ୍ୟାଲେସରେ ୪୦୦ଟି କୋଠରୀ ରହିଛି । ଆଉ ସବୁଠୁ ବଡ କଥା ହେଉଛି, ମହଲର ଛାତରେ ସୁନାର ଲେପ ଦିଆଯାଇଛି । ତିନି ମହଲା ବିଶିଷ୍ଟ ଏହି ଭବ୍ୟ ମହଲର ଭିତର ପାଶ୍ୱର୍କୁ ଆକର୍ଷଣୀୟ କରିବାକୁ ୫୬୦ କିଲୋର ସୁନା ଲେପ ଦିଆଯାଇଛି । ୪୦୦ଟି କୋଠରୀ ମଧ୍ୟରୁ ୪୦ଟି କୋଠରୀକୁ ଏବେ ମ୍ୟୁଜିୟମ କରାଯାଇଛି । ମ୍ୟୁଜିୟମ ଭିତରେ ଏମିତି କିଛି ସାମଗ୍ରୀ ରହିଛି ଯାହା ସିନ୍ଧିଆ ରାଜବଂଶର ସମୃଦ୍ଧିକୁ ଦର୍ଶାଇଥାଏ । ଏଥିରେ ଝାନସୀ ରାଣୀଙ୍କର ଛତା, ଔରାଙ୍ଗଜେବ ଓ ଶାହାଜାହାନଙ୍କ ଅସ୍ତ୍ର ରହିଛି । ଏହାଛଡା ଦେଶ ଓ ବିଦେଶର ଅନେକ କଳାକୃତ୍ତି ଏଠାରେ ରହିଛି ।
ଏହି ମହଲର ଶୋଭାକୁ ଦ୍ୱିଗୁଣିତ କରିଛି ଭିତରେ ଲାଗିଥିବା ଝୁମର । ମହଲ ଭିତରେ ଦୁଇଟି ଝୁମର ଲାଗିଛି, ଯାହାର ଓଜନ ୩୫୦୦ କିଲୋଗ୍ରାମରୁ ଅଧିକ ହେବ । ଏହି ସୁନ୍ଦର ଝୁମରକୁ ବେଲଜିୟମ କଳାକାର ନିର୍ମାଣ କରିଥିଲେ । କୁହାଯାଏ, ଏହି ଝୁମରକୁ ଛାତରେ ଝୁଲାଇବା ପୂର୍ବରୁ ୧୦ଟି ହାତୀ ଛାତ ଉପରକୁ ଚଢା ଯାଇଥିଲା । ଛାତ ଝୁମର ଓଜନକୁ ସମ୍ଭାଳି ପାରିବ କି ନାହିଁ ତାହା ପରୀକ୍ଷା କରିବା ପାଇଁ ଏଭଳି କରାଯାଇଥିଲା । ଗୋଟିଏ ସପ୍ତାହ ଧରି ଏହି ପ୍ରକ୍ରିୟା ଚାଲିବା ପରେ ଛାତରେ ଝୁମର ଲଗାଯାଇଥିଲା ।
ଜୟବିଳାସ ମହଲର ସଂଗ୍ରାହଳୟରେ ରୂପାର ରେଳ ମଧ୍ୟ ରହିଛି । ଆଉ ଏହି ରୂପା ଟ୍ରେନର ଟ୍ରାକ ଡାଇନିଂ ଟେବୁଲ ଉପରେ ରହିଛି । କୌଣସି ବିଶିଷ୍ଟ ଅତିଥି ଆସିଲେ ଏହି ଡାଇନିଂ ଟେବୁଲରେ ରୂପା ରେଳରେ ଖାଦ୍ୟ ପରଷା ଯାଇଥାଏ । ଏହି ମହଲ ମଧ୍ୟରେ ଏକ ଦରବାର ହଲ ରହିଛି, ଯେଉଁଠି ମହାରାଜାଙ୍କ ଦରବାର ବସିଥାଏ । ଯେତେବେଳେ ଏହାର ନିର୍ମାଣ ହୋଇଥିଲା ସେତେବେଳେ ଏଥିପାଇଁ କୋଟିଏ ଟଙ୍କା ଖର୍ଚ୍ଚ ହୋଇଥିଲା । କିନ୍ତୁ ଏବେ ଏହାର ମୂଲ୍ୟ ପାଖାପାଖି ୪୦୦୦ କୋଟିରେ ପହଞ୍ଚିଛି । ଏଠାକୁ ବୁଲିବା ପାଇଁ ଭାରତୀୟ ବ୍ୟକ୍ତିଙ୍କୁ ୧୫୦ ଟଙ୍କାର ଟିକେଟ ଓ ବିଦେଶୀ ବ୍ୟକ୍ତିଙ୍କୁ ୮୦୦ ଟଙ୍କାର ଟିକେଟ କାଟିବାକୁ ପଡିଥାଏ ।
The post କେନ୍ଦ୍ରମନ୍ତ୍ରୀ ସିନ୍ଧିଆଙ୍କ ବିଳାସମୟ ମହଲ: ଭିତରେ ରହିଛି ୪୦୦ କୋଠରୀ, ରୂପା ଟ୍ରେନରେ ପରଷାଯାଏ ଖାଦ୍ୟ first appeared on Sambad.from ବିଶେଷ | Sambad https://ift.tt/3ogJ61i
0 Comments