ଚେନ୍ନାଇ: ଜୀବନ ବଞ୍ଚାଇ ସମ୍ମାନିତ ହେଲେ ମହିଳା ପୁଲିସ ଇନ୍ସପେକ୍ଟର ରାଜେଶ୍ବରୀ। ଗତକାଲି ଏକ ଭିଡିଓ ଖୁବ ଭାଇରାଲ ହୋଇଥିଲା, ଯେଉଁଥିରେ ପୁଲିସ ଇନ୍ସପେକ୍ଟର ରାଜେଶ୍ବରୀ ଶ୍ମଶାନରେ ଅଚେତ ପଡ଼ିଥିବା ଜଣେ ଯୁବକଙ୍କୁ କାନ୍ଧରେ ବୋହି ଡାକ୍ତରଖାନା ନେଇଥିଲେ। ଠିକ ସମୟରେ ଯୁବକଙ୍କୁ ଡାକ୍ତରଖାନା ନେଇଥିବାରୁ ତାଙ୍କ ଜୀବନ ବଞ୍ଚିଥିବା ବେଳେ ଆଜି ତାଙ୍କୁ ଏହି ମହତ କାମ ପାଇଁ ସମ୍ମାନିତ କରାଯାଇଛି।
ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟଲିନ ଆଜି ବରିଷ୍ଠ ପୁଲିସ କର୍ମଚାରୀଙ୍କ ଉପସ୍ଥିତିରେ ତାଙ୍କ କ୍ୟାମ୍ପ ଅଫିସରେ ବ୍ୟକ୍ତିଗତ ଭାବେ ରାଜେଶ୍ବରୀଙ୍କୁ ସମ୍ମାନିତ କରିଛନ୍ତି। ତାଙ୍କୁ ଦିଆଯାଇଥିବା କୃତଜ୍ଞତା ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ, ସେ ଘଟଣାର ମହତ୍ତ୍ୱକୁ ପ୍ରକୃତରେ ଅନୁଭବ କରିଥିଲେ ଏବଂ ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବା ପାଇଁ ଠିକ ସମୟରେ ପଦକ୍ଷପ ଗ୍ରହଣ କରିଥିଲେ। ରାଜେଶ୍ବରୀଙ୍କ କର୍ତ୍ତବ୍ୟ, ପ୍ରତିବଦ୍ଧତା ଏବଂ ତାଙ୍କର ଏଭଳି ସାହସିକତା ବାସ୍ତବରେ ପ୍ରଶଂସନୀୟ।
ଉଲ୍ଲେଖଯୋଗ୍ୟ, ଗତକାଲି ଭାଇରାଲ ହୋଇଥିବା ଭିଡିଓରେ ଦେଖାଯାଇଥିଲା ଯେ, ମହିଳା ପୁଲିସ ଇନ୍ସପେକ୍ଟର ରାଜେଶ୍ବରୀ ବର୍ଷା ମାଡ଼ରେ ଅଚେତ ହୋଇଯାଇଥିବା ୨୮ବର୍ଷୀୟ ଯୁବକଙ୍କୁ ଦେଖିବା ପରେ କାହାକୁ ଅପେକ୍ଷା ନକରି ବା କାହାର ସାହାଯ୍ୟ ନନେଇ ଏକାକୀ ଯୁବକଙ୍କୁ କାନ୍ଧରେ ଟେକିନେଇଥିଲେ। ଏହା ପରେ ତାଙ୍କୁ ଅଟୋରେ ବସାଇ ଡାକ୍ତରଖାନା ନେଇଥିଲେ ରାଜେଶ୍ବରୀ । ସଠିକ ସମୟରେ ଯୁବକଙ୍କୁ ଡାକ୍ତରଖାନା ନିଆଯିବାରୁ ତାଙ୍କର ଜୀବନ ବଞ୍ଚାଯାଇପାରିଥିଲା।
The post ଅଚେତ ଯୁବକଙ୍କୁ କାନ୍ଧରେ ବୋହି ଜୀବନ ବଞ୍ଚାଇଥିଲେ, ତାମିଲନାଡୁ ମୁଖ୍ୟମନ୍ତ୍ରୀ କଲେ ସମ୍ମାନିତ first appeared on Sambad.from ବିଶେଷ | Sambad https://ift.tt/3FbetRO
0 Comments