
କାବୁଲ: ସରକାର ବଦଳିବା ସହ ବଦଳିଲା ପେସା। ଏଠି ଆମେ ଆଫଗାନିସ୍ତାନର ସରକାର ବଦଳିବା କଥା କହୁଥିବା ସହ କାବୁଲର ଜଣେ ବ୍ୟକ୍ତିଙ୍କ ପେସା ବଦଳିବା କଥା କହୁଛୁ। ଚଳିତ ବର୍ଷ ଅଗଷ୍ଟ ୧୫ରେ ଆଫଗାନିସ୍ତାନକୁ ଅକ୍ତିଆର କରିଥିଲା ତାଲିବାନ। ନିଜର ସରକାର ଗଠନ କରିବା ପରେ ନିଜର ନିୟମ ତାଲିବାନ ତିଆରି କରିଥିଲା। ମହିଳାଙ୍କ ଉପରେ ଅନେକ ପ୍ରତିବନ୍ଧକ ଲଗାଇବା ସହ ସବୁ କ୍ଷେତ୍ରରେ ନିଜର ରାଜୁତି ଆରମ୍ଭ କରିଥିଲା ତାଲିବାନ।

ତାଲିବାନର ରାଜୁତିରୁ ବଞ୍ଚି ପାରିନଥିଲେ ହସିବ ୟୋସୋଫି। ବୟସ ତାଙ୍କର ୩୨ । ସାମ୍ବାଦିକତା କ୍ଷେତ୍ରରେ ୧୮ ବର୍ଷର ଅଭିଜ୍ଞତା । ତାଲିବନ ସରକାର ଆସିବା ପରେ ଆଫଗାନରେ ସାମ୍ବାଦିକମାନଙ୍କର ଅନେକ କ୍ଷତି ହେବା ଆରମ୍ଭ ହୋଇଥିଲା। ହସିବ ଏକ ନିଉଜ ଚ୍ୟାନେଲରେ ନିର୍ଦ୍ଦେଶକ ଓ ପ୍ରଯୋଜକ ଭାବେ କାମ କରୁଥିଲେ। ହେଲେ ତାଲିବାନ ସରକାର ଗଢ଼ିବା ପରେ ମିଡିଆର ଅନେକ କାର୍ଯ୍ୟକ୍ରମ ଉପରେ ରୋକ ଲଗାଇବା ଆରମ୍ଭ କରିଥିଲା। ତାଲିବାନମାନେ ନିଜ ହିସାବରେ କାର୍ଯ୍ୟକ୍ରମ ପ୍ରସାରଣ କରିବାକୁ ଅନୁମତି ଦେବା ଆରମ୍ଭ କଲେ। ରିପୋର୍ଟିଂ ସମୟରେ ମଧ୍ୟ ସେମାନଙ୍କ ବିପକ୍ଷରେ ଖବର ପ୍ରସାରଣ କରିବା ଅସମ୍ଭବ ହୋଇପଡ଼ିଲା ।

ଏହି କାରଣ ପାଇଁ ଅନେକ ଚ୍ୟାନେଲରେ ଏକାଧିକ କାର୍ଯ୍ୟକ୍ରମ ବନ୍ଦ ହୋଇଥିଲା। ଅନେକ ସାମ୍ବାଦିକମାନେ ଚାକିରି ହରାଇଲେ, ଯାହା ଏବେ ବି ଜାରି ରହିଛି। ଚାକିରି ହରାଇଥିବା ସେହି ସାମ୍ବାଦିକମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ହସିବ । ରୋଜଗାରର ଏକମାତ୍ର ମାଧ୍ୟମ ହରାଇବା ପରେ ଏବେ ସେ ଫଳ ବିକି ଚଳୁଥିବା ଜଣାପଡ଼ିଛି। ଯିଏ ଦିନେ ବୁମ୍ କ୍ୟାମେରା ସହ ଦିନ ବିତାଉଥିଲେ ଏବେ ସେ କାବୁଲରେ ଫଳ ଦୋକାନ କରି ଦିନ କାଟୁଛନ୍ତି।
The post ତାଲିବାନ ସରକାର ଆସିବା ପରେ ହରାଇଲେ ଚାକିରି, ଏବେ କାବୁଲର ରାସ୍ତା କଡ଼ରେ ଫଳ ବିକୁଛନ୍ତି ସାମ୍ବାଦିକ first appeared on Sambad.from ବିଶେଷ | Sambad https://ift.tt/30HEWYn
0 Comments